Unknown

 

 

 

 

 

 

 

 

 

 

 

ଶିବାବତାର ଶଙ୍କରାଚାର୍ଯ୍ୟ

ଶଙ୍କର ମାଧବ ତୀର୍ଥ ସ୍ୱାମୀ

 

ଶଙ୍କରଙ୍କ ଅବତାରତ୍ୱ ବିଷୟରେ ଶାସ୍ତ୍ରବାକ୍ୟ-

 

(୧)

 

କେରଳେ ଶାଶଳ ଗ୍ରାମେ ବିପ୍ରପତ୍ନ୍ୟାଂ ମଦଂଶତଃ ।

ଭବିଷ୍ୟାମି ମହାଦେବି ! ଶଙ୍କରାଖ୍ୟୋ ଦ୍ୱିଜୋତ୍ତମଃ ।।

 

(ଶିବରହସ୍ୟ ୯ମ ଅଂଶ ୧୬ଶ ଅଧ୍ୟାୟ)

 

(୨)

 

କରିଷ୍ୟତ୍ୟବତାରାଶି ଶଙ୍କରୋ ନୀଳଲୋହିତଃ ।

ଶ୍ରୌତ-ସ୍ମାର୍ତ୍ତ-ପ୍ରତିଷ୍ଠାର୍ଥଂ ଭକ୍ତାନାଂ ହିତକାମ୍ୟୟା ।।

 

(କୂର୍ମପୁରାଣ, ପର୍ବଖଣ୍ଡ, ୩୦ଶ ଅଧ୍ୟାୟ)

 

(୩)

 

ଚତୁର୍ଭିଃ ସହ ଶିଷ୍ୟୈସ୍ଣ ଶଙ୍କରୋଽବତରିଷ୍ୟତି ।

ବ୍ୟାକୁର୍ବଣ୍‌ ବ୍ୟାସସୂତ୍ରାର୍ଥଂ ଶ୍ରୁତେରର୍ଥଂ ଯଥୋଚିତମ୍‌ ।।

 

(ବାୟୁ ପୁରାଣେ)

 

ଶିବାବତାର ଶଙ୍କରାଚାର୍ଯ୍ୟ

 

ପ୍ରଥମ ଅଧ୍ୟାୟ

ଅପୁତ୍ରୀର ପୁତ୍ର ଆଶା

 

ବୈଦିକ ସନାତନ ଧର୍ମ୍ମ ଏ ଭାରତେ ପ୍ରସିଦ୍ଧ,

ଦେବତାଏ ଏଥି ଜନମି କର୍ମ୍ମ କରନ୍ତି ସିଦ୍ଧ ।୧।

କର୍ମଭୂମି ଏହି ଭାରତ ଏଠାରେ କର୍ମ୍ମ କରି,

କର୍ମ୍ମଫଳ ଜୀବ ଭୁଞ୍ଜଇ ଅନ୍ୟତ୍ର ଦେହ ଧରି ।୨।

ବେଦରୁ ଉତ୍ପତ୍ତି ବୈଦିକ ତେଣୁ ଏ ସନାତନ,

ସନାତନ ମାର୍ଗ ବିନାଶ ନୁହଇ କଦାଚନ ।୩।

ଶୂନ୍ୟବାଦୀ ବୌଦ୍ଧ ନାସ୍ତିକ ଦିନେ ହୋଇ ପ୍ରବଳ,

ବୈଦିକ କ୍ରିୟା ଯାଗ ଯଜ୍ଞ ନିନ୍ଦାକଲେ ସକଳ ।୪।

ଯୁକ୍ତିତର୍କେ ହୋଇ ପରାସ୍ତ ଶ୍ରେଷ୍ଠ ବ୍ରାହ୍ମଣକୁଳ,

ସ୍ୱଧର୍ମ ତେଜି ବୌଦ୍ଧ ହେଲେ କେତେ ହେଲେ ବ୍ୟାକୁଳ ।୫।

ଆସେ ତୁ ହିମାଚଳ ଯାଏ ବୈଶ୍ୟ, କ୍ଷେତ୍ରି, ବ୍ରାହ୍ମଣ,

ଡାକିଲେ ସକଳେ ସଂକଟେ ରଖ ହେ ନାରାୟଣ ।୬।

ସାଧୁଜନଙ୍କ ପରିତ୍ରାଣ ଧର୍ମ୍ମର ସଂରକ୍ଷଣ,

କରିବା ପାଇଁ ଅବତାର ପ୍ରଭୁ କର ଗ୍ରହଣ ।୭।

ଆରତଭଂଜନ ଜାଣିଲେ ଭକ୍ତଜନ କାତର,

ବେଦ ଉଦ୍ଧରିବା ମାନସେ ଜାତ ହେଲେ ଶଙ୍କର ।୮।

ଯୋଗେଶ୍ୱର ଯଜ୍ଞପୁରୁଷ ଶିବ ପରମ ବ୍ରହ୍ମ,

ଜାଣିଥିଲେ ଋଷି ଆଗରୁ ଜନ୍ମି ରଖିବେ ଧର୍ମ୍ମ ।୯।

ଐତିହାସିକେ କରିଛନ୍ତି ସମୟ ନିରୂପଣ,

ଖ୍ରୀଷ୍ଟାବ୍ଦ ଅଷ୍ଟମ ଶତାବ୍ଦୀ ମଧ୍ୟେ ଜନ୍ମଗ୍ରହଣ ।୧୦।

ଦିଗ୍‌ବିଜୟ ଗ୍ରନ୍ଥେ ଉଲ୍ଲେଖ ଛବିଶ ଏକତ୍ରିଂଶ,

ଯୁଧିଷ୍ଠ ରାବ୍ଦରେ ଜନମ ନାନା ମତ ବିଶେଷ ।୧୧।

କାଳଟି ନାମେ ଗ୍ରାମ ଏକ ଦାକ୍ଷିଣାତ୍ୟରେ ଖ୍ୟାତ,

ସେ ଗ୍ରାମରେ ପ୍ରଭୁ ଶଙ୍କର ବିପ୍ରକୁଳରେ ଜାତ ।୧୨।

ମାନ୍ଦ୍ରାଜ, କେରଳ ପ୍ରଦେଶ ପଶ୍ଚିମ ସିନ୍ଧୁ ତୀରେ,

ଜନମସ୍ଥାନେ ନୀରୂପଣ ଦିଗ୍‌ବିଜୟ ଆଦିରେ ।୧୩।

ଶିବଗୁରୁ ନାମେ ଜନକ ସତୀ ଦେବୀ ଜନନୀ,

ପଞ୍ଚ ଦ୍ରାବିଡ଼ ଯେ ତାମ୍ବୁତି ବିପ୍ରଗୁଳ ଅଗ୍ରଣୀ ।୧୪।

ନୈଷ୍ଠିକ ପବିତ୍ର ବ୍ରାହ୍ମଣ ସ୍ୱଧର୍ମ-ପରାୟଣ,

ଧନସମ୍ପତ୍ତିରେ ଅତୁଳ ମାତ୍ର ନାହିଁ ନନ୍ଦନ ।୧୫।

ପରବେଶ ବୃଦ୍ଧ ବୟସ ମନେ ଅତ୍ୟନ୍ତ ଦୁଃଖ,

ଅପୁତ୍ରିକ ଦୋଷ ବିଶେଷ କି ହେବ ଅନ୍ୟ ସୁଖ ।୧୬।

ନିଶିଦିନ ମନ ବିଷଣ୍ଣ ପତିପତ୍ନୀ ଉଭୟ,

ବିଶେଷତଃ ଜ୍ଞାନୀ ପଣ୍ଡିତ ପୁଂନାମ-ନର୍କେ ଭୟ ।୧୭।

ପତିମୁଖ ଚାହିଁ ବୋଲନ୍ତି ସତୀ ବିନୟବାଣୀ,

ତନୟ ମୁଖ ନ ଦେଖିଲି ବିମୁଖ ଶୂଳପାଣି ।୧୮।

ଅପୁତ୍ରିକ ଜନ-ବଦନ ଦେଖିବା ନ ଯୋଗାଇ,

ପିତୃଲୋକ ଦୁଃଖୀ ସ୍ୱର୍ଗରେ ତରପଣ ନ ପାଇ ।୧୯।

ପୁତ୍ରପିଣ୍ଡ ବିନା ପିଣ୍ଡର ନ ହୁଅଇ କାରଣ,

ଲେଖିଛନ୍ତି ୠଷି ଏମନ୍ତ ନାନା ଶାସ୍ତ୍ର-ପୁରାଣ ।୨୦।

ଆବାଲ୍ୟରୁ ହରଗଉରୀ ସେବା କରଇଁ ନିତି,

ସ୍ୱାମୀପାଦପଦ୍ମେ ମୋହର ଅଛି ଅଚଳା ଭକ୍ତି ।୨୧।

ଶ୍ରୀଗୁରୁ ସ୍ୱାମୀଙ୍କ ବଚନ ଦୃଢ଼େ ଧରିଛି ଚିତ୍ତେ,

ଶ୍ରୀଗୁରୁ ଶଙ୍କର ଅଭେଦ ଭାବ ଭାବଇ ନିତ୍ୟେ ।୨୨।

କୁଳଧର୍ମ୍ମ ଯଥା ବିହିକ କରୁଅଛି ପାଳନ,

ତଥାପି କାହିଁକି ଅପୁତ୍ରୀ କଲେ ରମାରମଣ ।୨୩।

ଶୁଣି ବୋଲନ୍ତି ଶିବଗୁରୁ ସତ୍ୟ ତୁମ୍ଭ ଏ ବାଣୀ,

କେଉଁ ଅପରାଧେ ଏ ଦଣ୍ଡ ମୁଁ ତ ନ ପାରେ ଜାଣି ।୨୪।

ଚାଲିଯିବା ଶିବ ସନ୍ନିଧି ତହିଁ ତପ ଆଚରି,

ତେଜିବା ଜୀବନ କି ହେବ, ଆଉ ଏ ଦେହ ଧରି !୨୫।

ଏମନ୍ତ ବୈରାଗ୍ୟ ମନରେ ପତିପତ୍ନୀ ଉଭୟ,

ଶଙ୍କର ମନ୍ଦିରେ ମିଳିଲେ ଲଭିବାକୁ ତନୟ ।୨୬।

 

ଦ୍ୱିତୀୟ ଅଧ୍ୟାୟ

ମହେଶଙ୍କ ବରଦାନ ଓ ଶଙ୍କର-ଜନ୍ମ

 

ଶିବଗୁରୁ ସତୀ ସଙ୍ଗତେ ଶିବପ୍ରସନ୍ନ ପାଇଁ,

ଗ୍ରାମାନ୍ତରେ ଶିବମନ୍ଦିରେ ଶିବ ସେବିଲେ ଯାଇ ।୧।

ନିତି ସ୍ନାନ ପୂର୍ଣ୍ଣା ନଦୀରେ ବୃଷପର୍ବା ଶଙ୍କର,

ଜନ-ପୂଜା-ସ୍ରୋତା ବିଧିରେ କରନ୍ତି ନିରନ୍ତର ।୨।

କନ୍ଦମୂଳ ମାତ୍ର ବାରେକ ଦିନେ କରି ଭକ୍ଷଣ,

କେତେ ଦିନ ଦିନ ହରିଲେ ଧିଆଇ ଅନୁକ୍ଷଣ ।୩।

ନୋହିବାରୁ ଶିବ ପ୍ରସନ୍ନ ତେଜିଲେ କନ୍ଦମୂଳ,

ବଞ୍ଚିଲେ ମାତ୍ରକ କେବଳ ପିଇ ଚରଣ-ଜଳ ।୪।

ବାର୍ଦ୍ଧକ୍ୟ ବୟସ ସ୍ୱଭାବେ ତହିଁରେ ଅନଶନ,

ପ୍ରତିଜ୍ଞା ଜୀବନ ତେଜିବେ ନ ହୋଇଲେ ପ୍ରସନ୍ନ ।୫।

ଅସ୍ଥି-ଚର୍ମ୍ମ ମାତ୍ର ରହିଲା ହୋଇଲେ ଅଶକତ,

ପତିପତ୍ନୀ ବେନି ସାଧିଲେ ଅତି କଠୋର ବ୍ରତ । ୬।

ଟଳିଲା ଶଙ୍କର-ଆସନ ଦେଖାଦେଲେ ସ୍ୱପ୍ନରେ,

ଅପୂର୍ବ ମୂରତି ବିଭୂତି ବିଭୂଷିତ ଅଙ୍ଗରେ ।୭।

ବୋଇଲେ ବହୁ ପୁତ୍ର ନେବୁ କିବା ସୁପୁତ୍ର ଏକ,

କହ ତୁ ବିଚାରି ବହନେ ଯାହା ତୋର ବିବେକ ।୮।

ଶୁଣି ଶିବଗୁରୁ ବୋଇଲେ ତୁମ୍ଭ ସମାନେ ଏକ,

ଦୁଃଖର କାରଣ ନ ଦିଅ ମୂର୍ଖପୁତ୍ର ଅନେକ ।୯।

‘ଅସ୍ତୁ’ ବୋଇଲେ ସଦାଶିବ ମାତ୍ର ଅଳ୍ପାୟୁ ହେବ,

ସତୀଗର୍ଭରେ ମୋର ଅଂଶେ ପୁତ୍ରେକ ଜନମିବ ।୧୦।

ବର ଲଭି ବିପ୍ରଦମ୍ପତ୍ତି ହୋଇ ହରଷମନ,

ବିଧିରେ ତପ ସିଦ୍ଧକରି କଲେ ଗୃହେ ଗମନ ।୧୧।

ଶୁଭ୍ରକାନ୍ତି ଶିବ ମୂରତି ସ୍ୱପ୍ନରେ ଦେଖିଥିଲେ,

ଧ୍ୟାନକରି ତାଙ୍କ ପୟରେ ବେନି ଦିନ ବଞ୍ଚିଲେ ।୧୨।

ଦେବକୀ ଜଠରେ ଯେମନ୍ତ ରହିଲେ ଚକ୍ରପାଣି,

ତେମନ୍ତ ଶୋଭା ପ୍ରକଟିଲା ଶ୍ରୀଅଙ୍ଗରେ ବ୍ରାହ୍ମଣୀ ।୧୩।

ଯେ ଯାହା ଯୌବନଶୋଭାକୁ ଫେରିପାଇଲେ ଅଙ୍ଗେ,

ମାସେ ମାସେ ଗର୍ଭ ବଢ଼ିଲା ପ୍ରକୃତି ନୀତି ସଙ୍ଗେ ।୧୪।

ସୂର୍ଯ୍ୟ କୁଜ ଶନି ଯେ ଯାହା ତୁଙ୍ଗ ସ୍ଥାନରେ ସ୍ଥିତି,

ସତୀ କଲେ ପୁତ୍ର ଜନମ କେନ୍ଦ୍ରରେ ବୃହସ୍ପତି ।୧୫।

ଅପୂର୍ବ ଶୋଭା ଶ୍ରୀମଣ୍ଡିତ ଲାବଣ୍ୟ କଳେବର,

ଉପମା ଦେବାକୁ କି ଅଛି ସ୍ୱୟଂ ଯେହୁ ଶଙ୍କର ।୧୬।

ଶିଶୁ-ଶଶୀକଳା ଦିନକୁ ଦିନ ବଢ଼ିଲା ସରି,

ନବ ଯାତ ଶିଶୁସୌନ୍ଦର୍ଯ୍ୟ ବୃଦ୍ଧି ହୁଏ ସେପରି ।୧୭।

ଶିବଗୁରୁଙ୍କର ଆନନ୍ଦ ଯାହା କହି ନୋହିବ,

ବୃଦ୍ଧକାଳେ ପୁତ୍ର ପ୍ରଦାନ କରିଅଛନ୍ତି ଶିବ ।୧୮।

ପୁତ୍ରର କଲ୍ୟାଣ ମନାସି ନେଲେ ବିପ୍ରଙ୍କୁ ଦାନ,

ଦୀନଦୁଃଖୀ ଜନେ ସୁମିଷ୍ଟ ଅନ୍ନ କଲେ ପ୍ରଦାନ ।୧୯।

ପଞ୍ଚୁ ଆତି କୁଳଆଚାର ଷଷ୍ଠୀଦେବୀପୃଜନ,

ଏକୋଇଶା ଏକ ବିଂଶତି ଦିନେ ହେଲା ସମ୍ପନ୍ନ । ୨୦।

ବାଳକସୁଲଭ ଲୀଳାରେ ମୁଗ୍‌ଧ ମାତା ପିଅର୍‌,

ଆନ ନାରୀଗଣେ ଝୁରନ୍ତି ଦେଖି ରୂପ ସୁନ୍ଦର ।୨୧।

ସତ୍ତ୍ୱଗୁଣ ଜ୍ଞାନମୂରତି ଶଙ୍କର ଅବତାର,

ଚାହିଁଲେ ନୟନ ନ ଫେରେ ହସ କି ଚମତ୍କାର !୨୨।

ଦନ୍ତପଂକ୍ତି ଫୁଟି ଦିଶିଲେ ମଧୁମୟ ବଚନ,

ବରଷକ ମଧ୍ୟେ ହୋଇଲା ସମ୍ପୂର୍ଣ୍ଣ ଉଚ୍ଚାରଣ ।୨୩।

ଶଙ୍କରକୃପାରେ ଜନମ ରୂପ ଶଙ୍କର ସମ,

ପିତାମାତା ମନେବିଚାରି ଦେଲେ ଶଙ୍କର ନାମ ।୨୪।

ରାମାୟଣ, ମହାଭାରତ ଆନ ପୁରାଣ ମାନ,

ପିତାମୁଖ ଶୁଣି ଶିଖିଲେ ଶିଶୁ ଅପୂର୍ବ ଜ୍ଞାନ ।୨୫।

ବେନି ବରଷର ବାଳକ ବେଦ, ଉପନିଷଦ,

ଶୁଣି ଶ୍ରୁତିମାର୍ଗେ ରଖିଲେ କଣ୍ଠେ ହୋଇ ପ୍ରମୋଦ ।୨୬।

ତୃତୀୟ ବର୍ଷରେ ବିଧିରେ ଦେଲେ ଶିକ୍ଷାରେ ମନ,

ଚୂଡ଼ାକର୍ମ୍ମ କଲେ ଏକାଳେ ଶିବଗୁରୁ ସମ୍ପନ୍ନ ।୨୭।

କାଳଗତି କିଏ ରୋଧିବ ପିତା ତେଜିଲେ ଦେହ,

ତିନି ବରଷେ ହରାଇଲେ ଶଙ୍କର ପିତୃସ୍ନେହ ।୨୮।

ବିଧବା ଜନନୀ ସମ୍ବଳ ଏକ ମାତ୍ର ନନ୍ଦନ,

କରାଇଲେ ମାତା ଯତ୍ନରେ ବିଧିରେ ଅଧ୍ୟୟନ ।୨୯।

ଉପନୟନ ପାଞ୍ଚ ବର୍ଷେ ହୋଇଲା ସମାପନ,

ବେଦାଧ୍ୟୟନ କରିବାକୁ ଗୁରୁଗୃହେ ଗମନ ।୩୦।

 

ତୃତୀୟ ଅଧ୍ୟାୟ

ଶଙ୍କରଙ୍କ ବିଦ୍ୟାରମ୍ଭ

 

ଅତୁଳ ମେଧାବୀ ବାଳକ ଶ୍ରୁତିଧର ଶଙ୍କର,

ସ୍ମୃତିଶକ୍ତି ଅତି ସୁତୀକ୍ଷ୍‌ଣ ବୁଦ୍ଧି ଅତି ପ୍ରଖର ।୧।

ବେଦୋପନିଷଦ ଯାବତ ନ୍ୟାୟ ଶାଙ୍ଖ୍ୟ ଦର୍ଶନ,

ପାତଞ୍ଜଳ ବଇଶେଷିକ ସର୍ବ ସ୍ମୃତି-ପୁରାଣ ।୨।

ଅଳ୍ପ ଦିନ ଗୁରୁଗୃହରେ ରହି କଲେ ଆୟତ୍ତ,

ସକଳ ବିଦ୍ୟାରେ ନିପୁଣ ତତ୍ତ୍ୱଜ୍ଞାନୀ ଅତ୍ୟନ୍ତ ।୩।

ଗୁରୁକୁଳେ ଥିବା ପଣ୍ଡିତେ ଦେଖି ଆଶ୍ଚର୍ଯ୍ୟ ଶକ୍ତି,

ଲଜ୍ଜାରେ ବିନମ୍ର ହୋଇଣ କଲେ ଅତ୍ୟନ୍ତ ଭକ୍ତି ।୪।

ଆଦର୍ଶ ବାଳବ୍ରହ୍ମଚାରୀ ତେଜରେ ଅଗ୍ନିଶିଖା,

ଗୁରୁଭକ୍ତି ଅତି, ବିଲୁପ୍ତ ଉଦ୍ଧତ ଅହମିକା ।୫।

ଭିକ୍ଷାବୃତ୍ତି ଗୁରୁ ଆଶ୍ରମେ ବ୍ରହ୍ମଚାରୀଙ୍କ ଧର୍ମ୍ମ,

ଅଧ୍ୟୟନ ସଙ୍ଗେ ସଂଯମସାଧନ ନିତ୍ୟକର୍ମ୍ମ ।୬।

ଭିକ୍ଷା ଅର୍ଥେ ଦିନେ ଶଙ୍କର ଗଲେ ବୁଲି ଗ୍ରାମକୁ,

ଏକ ଗୃହେ ମିଳି ବୋଇଲେ ‘ଭିକ୍ଷା ଦିଅ’ ଆମ୍ଭଙ୍କୁ ।୭।

ସେ ଅତି ଗରିବ ବ୍ରାହ୍ମଣ ଆଦ୍ୟନ୍ନ ଘରେ ନାହିଁ,

ବ୍ରାହ୍ମଣୀ ଦୁଃଖରେ କାନ୍ଦିଲେ ବ୍ରହ୍ମଚାରୀ ଅନାଇଁ ।୮।

ଆହା ମୋର ଭାଗ୍ୟ ଏ ପରା ବାଳ-ବ୍ରହ୍ମଚାରୀଙ୍କୁ,

ଦୁଃଖୀ ମୁଁ ତୋଷି ନ ପାରିଲିଁ ଦେଇ ଅନ୍ନ ଭିକ୍ଷାକୁ ।୯।

ଏହାଙ୍କ ମୁଖରେ ସୁମିଷ୍ଟ ଅନ୍ନଭିକ୍ଷା ଯେ ଦିଏ,

ଧନ୍ୟ ତାର ଗୃହସମ୍ପଦ ଧନ୍ୟ ଗୃହିଣୀ ସିଏ ।୧୦।

ଆମଳକୀ ଏକ ମାତ୍ରକ ଗୃହେ ଖୋଜି ପାଇଲା,

ଭିକ୍ଷାଦେଇ କରେ ଦୁଃଖରେ ନେତ୍ରୁ ବାରି ତେଜିଲା ।୧୧।

ବିନୟେ ବୋଇଲା ବଚନ ଅତି ଦରିଦ୍ର ମୁହିଁ,

ତୁମ୍ଭ ପରା ବ୍ରହ୍ମଚାରୀକୁ ଭିକ୍ଷା ଦେବାକୁ ନାହିଁ ।୧୨।

ଜାଣି ତା ହୃଦୟ ଶଙ୍କର ହେଲେ ଅତ୍ୟନ୍ତ ଦୁଃଖୀ

ଭାବିଲେ କେମନ୍ତେ ଏ ଗୃହୀ ହେବେ ଅତ୍ୟନ୍ତ ସୁଖୀ ।୧୩।

ଗ୍ରାମାନ୍ତରେ ଯାଇ ତକ୍ଷଣେ ଲକ୍ଷ୍ମୀଙ୍କୁ ସ୍ତୁତି କଲେ,

ସ୍ତୁତିରେ ହୋଇ ସୁପ୍ରସନ୍ନ ଦେବୀ ଦର୍ଶନ ଦେଲେ ।୧୪।

ପରଦୁଃଖ ହୋଇ କାତର କୃପାସିନ୍ଧୁ ଶଙ୍କର,

ବୋଇଲେ ମାତ ଏ ଗୃହସ୍ଥ ଦୁଃଖ ବହନ ହର ।୧୫।

ପୂର୍ଣ୍ଣକର ୟାଙ୍କ କୁଟୀର ଦେଇ ପ୍ରଚୁର ଧନ,

ଏ ଅତି ଗରିବ ବ୍ରାହ୍ମଣ ସ୍ୱଧର୍ମ୍ମ-ପରାୟଣ ।୧୬।

ଶୁଣି ମହାଲକ୍ଷ୍ମୀ ବୋଇଲେ ଯାହା କହିଲ ସତ,

ମାତ୍ର ଏହାଙ୍କର କାହାରି ନାହିଁ ପୂର୍ବସୁକୃତ ।୧୭।

ମୋ ଅନୁଗ୍ରହ ପାଇବାକୁ ଏ ନୁହନ୍ତି ଭାଜନ,

କିଛି କର୍ମ୍ମ ଏ କରି ନାହିଁ କାହୁଁ ପାଇବ ଧନ ? ୧୮।

ଶଙ୍କର ବୋଇଲେ–ଜନନୀ ମୋତେ ପ୍ରସନ୍ନ ଯେବେ,

ଏ ମୋର ପ୍ରାର୍ଥନା ବହନ ପୂର୍ଣ୍ଣକର ଗୋ ତେବେ ।୧୯।

ଧନ-ଧାନ୍ୟ-ଗାଭୀ-ସୁବର୍ଣ୍ଣେ ପୂର୍ଣ୍ଣକର ତା ଘର,

ହେଉ ବୋଇଲେ ଭଗବତୀ ବାହୁଡ଼ିଲେ ଶଙ୍କର । ୨୦ ।

ଲକ୍ଷ୍ମୀ ବିଜେକଲେ ତା ଘରେ ବିପ୍ର ଐଶ୍ୱର୍ଯ୍ୟବନ୍ତ,

ଆଶ୍ଚର୍ଯ୍ୟ ହୋଇଲେ ସକଳେ ଦେଖି ଲୀଳା ଏମନ୍ତ ।୨୧।

ପରଦୁଃଖେ ଦୁଃଖୀ ଶଙ୍କର ପରହିତ ସାଧନ,

କରିବାରେ ସଦା ମାନସ ହୋଇଥାଇ ପ୍ରସନ୍ନ ।୨୨।

ମାତ୍ରକ ସାତ ବରଷରେ ସମ୍ପୂର୍ଣ୍ଣ ଅଧ୍ୟୟନ,

ବାହୁଡ଼ିଲେ ଗୁରୁଗୃହରୁ ଗୃହେ ସମାବର୍ତ୍ତନ ।୨୩।

ବନ୍ଧୁ-ବାନ୍ଧବ ଗୁରୁଜ୍ଞାତି ଇଷ୍ଟ ମଇତ୍ର ଜନ,

ଜ୍ଞାନ ଗରିମା ପରଶଂସି ହେଲେ ଆନନ୍ଦ ମନ । ୨୪।

 

ଚତୁର୍ଥ ଅଧ୍ୟାୟ

ବାଳ-ପ୍ରତିଭା

 

ଇତିହାସ ଶାସ୍ତ୍ର ପୁରାଣ ବେଦବେଦାଙ୍ଗ ମାନ,

ସବୁଥିରେ ମହାପଣ୍ଡିତ ବୃହସ୍ପତି ସମାନ ।୧।

ଜ୍ଞାନଗରିମା ଦୂରଦେଶେ ଲୋକମୁଖେ ପ୍ରଚାର,

ପଣ୍ଡିତେ ପରଖି ଜାଣିଲେ ନିଶ୍ଚେ ଏ ଅବତାର ।୨।

ଗୁରୁ କରି ଜ୍ଞାନ ଶିଖିଲେ ଦୂରୁ ଆସି ପଣ୍ଡିତେ,

କିଶୋରଲାବଣ୍ୟ ଶରୀର ଶୋଭା ଗୁଣ ସଙ୍ଗତେ ।୩।

ଚିର ପ୍ରଥା ସଙ୍ଗୀ ସଙ୍ଗତେ ହୁଅନ୍ତି ଅବତାର;

ଯେଉଁ କାର୍ଯ୍ୟ ପାଇଁ ଆସନ୍ତି ସଙ୍ଗୀ ସେ ପରକାର ।୪।

ଜନମଲଭିଲେ ଶ୍ରୀ ବିଷ୍ଣୁ ପଦ୍ମପାଦ ନାମରେ,

ହସ୍ତାମଳକ ନାମେ ଜାତ ବାୟୁଦେବ ମର୍ତ୍ତ୍ୟରେ ।୫।

ମଣ୍ଡନ ମିଶ୍ର ସୁରେଶ୍ୱର ନାମେ ବ୍ରହ୍ମା ଜନମ,

ବୃହସ୍ପତି ଦେହ ବହିଲେ ଆନନ୍ଦ ଗିରି ନାମ ।୬।

ଚିତ୍ସୁକ ନାମକୁ ବହିଲେ ଜାତହୋଇ ବରୁଣ,

ଶିଷ୍ୟ ରୂପେ ଦେହ ଧଇଲେ ଅନେକ ଦେବଗଣ ।୭।

ଉଭୟ ଭାରତୀ ନାମକୁ ଧଇଲେ ସରସ୍ୱତୀ,

ମଣ୍ଡନ ମିଶ୍ରଙ୍କ ଘରଣୀ ରହିଛି କିମ୍ବଦନ୍ତୀ ।୮।

ପୂର୍ବେ ପଦ୍ମଯୋନି ନିକେଟେ ଯେତେକ ୠଷିଗଣ,

କରୁଥିଲେ ଏକ ଚିତ୍ତରେ ଚାରି ବେଦାଧ୍ୟୟନ ।୯।

ଥିଲେ ତାଙ୍କ ମଧ୍ୟେ ଦୁର୍ବାସା ସ୍ୱଭାବରେ କୋପନ,

ଲାଗିଯାଏ ତାଙ୍କ ରସନା ବିକୃତ ଉଚ୍ଚାରଣ ।୧୦।

ଶୁଣି ସରସ୍ୱତୀ ହସକୁନ ପାରିଲେ ସମ୍ଭାଳି,

ଅପମାନ ମଣି ଦୁର୍ବାସା ଗଲେ କୋପରେ ଜଳି ।୧୧।

ଶାପ ଦେଲେ ଋଷି ମର୍ତ୍ତ୍ୟରେ ତୋର ହେଉ ଜନମ,

ଉଦ୍ଧତ ସ୍ୱଭାବ ବହିଛି, ଭୋଗକର କରମ ।୧୨।

ଶୁଣି ବାଣୀ ଶଙ୍କାଚିତ୍ତରେ ପାଦେ କଲେ ମିନତି,

‘‘କହ ମହୠଷି କେମନ୍ତେ ଶାପୁଁ ହେବି ମୁକତି ?’’ ୧୩।

କହିଲେ ଦୁର୍ବାସା—‘‘ମର୍ତ୍ତ୍ୟରେ ଶଙ୍କର ଅବତରି,

ତାରିବେ ତରିବ ସେଦିନ ତାଙ୍କୁ ଦର୍ଶନ କରି’’ ।୧୪।

ସେହି ସରସ୍ୱତୀ ଉଭୟ ଭାରତୀ ରୂପେ ଜାତ,

ପୂର୍ବ ଉପାଖ୍ୟାନ ଏମନ୍ତ ଅଛି ଲୋକରେ ଖ୍ୟାତ ।୧୫।

ଯୁଗେ ଯୁଗେ ଏହି ନିୟମ ପ୍ରଭୁଙ୍କ ଅବତାର,

ଦେବଗଣ ସଙ୍ଗେ କରନ୍ତି ମର୍ତ୍ତେ ଧର୍ମ୍ମ ପ୍ରଚାର ।୧୬।

ବେଦୋକ୍ତ ବୈଦିକ ଧରମ ଅଟଇ ସନାତନ,

ବିଲୁପ୍ତ ହେବାରୁ ଶରୀର ବହିଲେ ପଞ୍ଚାନନ ।୧୭।

ଦେବଗଣ ସଙ୍ଗେ ପାଷଣ୍ଡ ମତକରି ଖଣ୍ଡନ,

ଆ-ସେତୁ ହିମାଚଳ ଯାଏ କଲେ ଧର୍ମ୍ମ ସ୍ଥାପନ ।୧୮।

ସକଳ ବିଦ୍ୟାକୁ ଆୟତ୍ତ କରି ସାତ ବରଷେ,

ଜନନୀସେବାରେ ରହିଲେ ନିଜ ଗୃହେ ହରଷେ ।୧୯।

ମାଆଙ୍କ ଶଙ୍ଖାଳି ଶଙ୍କର ବୃଦ୍ଧା ଜନନୀ ସତୀ,

ସେବାରେ ଥାନ୍ତି ନିରନ୍ତର ମାତୃଭକତି ଅତି ।୨୦।

ନିତି ପୂର୍ଣ୍ଣନଦୀ ସ୍ନାହାନ କରନ୍ତି ସତୀ ଦେବୀ,

ଆଚାର ନିଷ୍ଠା ଗୃହୀଙ୍କର ବଞ୍ଚନ୍ତି ଇଷ୍ଟ ସେବି ।୨୧।

ଗ୍ରୀଷ୍ମଋତୁ ରୌଦ୍ର ପ୍ରଚଣ୍ଡ ପଥ ବାଲୁକାମୟ,

ଦିନେ ସ୍ନାନ ସାରି ଫେରିବା ପଥେ ଦେବୀ ଅଥୟ ।୨୨।

ନ ଚଳେ ଚରଣ ପଡ଼ିଲେ ମାତା ପଥ ଉପରେ,

ଧାଇଁଯାଇ ଟେକି ଆଣିଲେ ଶଙ୍କର ନିଜ ଘରେ ।୨୩।

ସିଞ୍ଚି ବିଞ୍ଚି କଲେ ସାଷ୍ଟାମ ଦୁଃଖୀ ହୋଇ ଶଙ୍କର,

ମାତୃଦୁଃଖ ନିବାରିବାକୁ ସେବା କଲେ ଶଙ୍କର ।୨୪ ।

ପ୍ରସନ୍ନ ହେବାରୁ ବୋଇଲେ—‘‘ମାତାଙ୍କ ସ୍ନାନ ପାଇଁ,

ପୂର୍ଣ୍ଣାନଦୀ ବହୁ ନିକଟେ ଏତିକି ମୁଁ ମାଗଇଁ ।’’ ୨୫।

‘ତଥାସ୍ତୁ’ ବୋଲି ଶୂଳପାଣି ଅନ୍ତର୍ଦ୍ଧାନ ହୋଇଲେ,

ପୂର୍ଣ୍ଣାନଦୀ ଗୃହ ନିକଟେ ପ୍ରଭାତରେ ଦେଖିଲେ ।୨୬।

ଆଶ୍ଚର୍ଯ୍ୟ ହୋଇଲେ ସକଳେ ଧନ୍ୟ ଶଙ୍କର ଶକ୍ତି !

ପ୍ରଶଂସା କଲେ ନରନାରୀ ଧନ୍ୟ ଏ ମାତୃଭକ୍ତି !୨୭।

ଅଲୌକିକ ଶକ୍ତି ଏମନ୍ତ ଲୋକେ ହେଲା ରଟନା,

କେରଳ ନୃପତି ଜାଣିଲେ ଏହି ସବୁ ଘଟଣା ।୨୮।

ବହୁ ଦୂରଦେଶୁ ସୁଜନେ ଆସିଲେ ଦର୍ଶନକୁ,

ଉପଦେଶାମୃତ ଶ୍ରବଣେ ଧନ୍ୟକଲେ ନିଜକୁ ।୨୯।

ଦିନଦିନ ବୃଦ୍ଧି ପାଇଲା ଅଲୌକିକ ପ୍ରତିଭା,

ଦରଶନ ଆଶେ ବ୍ୟାକୁଳ ସେ କେରଳ-ମଘବା ।୩୦।

 

ପଞ୍ଚମ ଅଧ୍ୟାୟ

ଶଙ୍କରଙ୍କ ସହିତ କେରଳ ନୃପତିଙ୍କ ଭେଟ

 

ଅଷ୍ଟମ ବର୍ଷର ବାଳକ ସର୍ବବିଦ୍ୟା-ନିପୁଣ;

ତ୍ୟାଗୀ ବ୍ରହ୍ମଚାରୀ ଅଦ୍ଭୁତ ଶକ୍ତିସମ୍ପନ୍ନ ପୁଣ ।୧।

ଯଥା ବାମନ ବ୍ରହ୍ମଚାରୀ ପରହିତରେ ବ୍ରତୀ,

ନିମନ୍ତ୍ରଣ ଦେଇ ମନ୍ତ୍ରୀଙ୍କୁ ପଠାଇଲେ ନୃପତି।୨।

ସୁସଜ୍ଜିତ କରିବରେକ ଉପଢୌକନ ନେଇ,

ଭେଟିଲେ ଅମାତ୍ୟ ରାଜାଙ୍କ କାଳଟି ଗ୍ରାମେ ଯାଇ ।୩।

ବିଧିରେ ପ୍ରଣମି କହିଲେ,‘‘ମୁଁ ରାଜ ଅନୁଚର,

ଉପହାର ରୂପେ ନିଅନ୍ତୁ ଏ ଭେଟି ରାଜାଙ୍କର ।୪।

ରାଜସଭାକୁ ବିଜେ ହେଉ ଏହା ପୃଷ୍ଠରେ ବସି,

ବୋଲନ୍ତି ଶଙ୍କର ଏମନ୍ତ ଶୁଣି ମଧୁରେ ହସି ।୫।

‘‘ଭିକ୍ଷାବୃତ୍ତି ମୋର କେବଳ ବ୍ରାହ୍ମଣ ବ୍ରହ୍ମଚାରୀ,

ବସ୍ତ୍ର-ଆଡ଼ମ୍ବରବିହୀନ ଜୀର୍ଣ୍ଣ ଅଜିନଧାରୀ ।୬।

ଉପାସନା ସନ୍ଧ୍ୟା ବନ୍ଦନା ଅଗ୍ନିହୋତ୍ରାଦି କର୍ମ୍ମ,

ଗୁରୁସେବା ବେଦାଧ୍ୟୟନ ଅଟେ ମୋହର ଧର୍ମ୍ମ ।୭।

କରୀ ନେଇ ମୁଁ କି କରିବି ଏହା ରାଜସମ୍ପଦ,

ସ୍ୱଧର୍ମନିଷ୍ଠ ବ୍ରାହ୍ମଣଙ୍କୁ ଏହା ମହାବିପଦ ।’’ ୮।

କହିବ ରାଜାଙ୍କୁ ଏପରି ଦାନ ଦ୍ୱିଜେ ଅଯୋଗ୍ୟ,

ତପସ୍ୱୀମାନଙ୍କୁ ଉଚିତ ନୁହେ ରାଜସ୍ୱୀ ଭୋଗ୍ୟ ।୯।

ଭିକ୍ଷାସୀ ବ୍ରାହ୍ମଣ ରହିବେ ସ୍ୱଧର୍ମେ ନିଷ୍ଠାବାନ,

କାୟମନୋବାକ୍ୟେ କରିବେ ବିଶ୍ୱହିତ ସାଧନ ।୧୦।

ଶୁଭମାର୍ଗେ ତାଙ୍କୁ ନିଅନ୍ତୁ ଧନଲୋଭ ନ ଦେଇ,

ଧରମର ପ୍ରତିପାଳକ ପରା ରାଜାଟି ସେହି ।୧୧।

ନିରୁତ୍ତର ମନ୍ତ୍ରୀ ଏମନ୍ତ ଶୁଣି ପ୍ରଣମି ପାଦେ,

ଫେରି ଜଣାଇଲେ ରାଜାଙ୍କୁ ଭେଟି ରାଜପ୍ରାସାଦେ ।୧୨।

ଶ୍ରୀ ରାଜଶେଖର ନୃପତି ମନ୍ତ୍ରୀମୁଖରୁ ଶୁଣି,

ଦରଶନ ପାଇଁ ଉଦ୍‌ବେଗ ହୋଇ ସାଜିଲେ ପୁଣି ।୧୩।

ଆଶ୍ଚର୍ଯ୍ୟ ବ୍ରାହ୍ମଣ ନିର୍ଲୋଭୀ ଅତି ରାଜସମ୍ପଦେ,

କିଏ ସେ ଏହି ବ୍ରହ୍ମଚାରୀ ପେଲିଦିଅନ୍ତି ପଦେ ।୧୪।

ନିଶ୍ଚୟ ଏ କେଉଁ ଦେବତା ମାନବ ଅବତାର,

କରିବେ କି ସତେ ଭାରତେ ବୈଦିକର ସଂସ୍କାର !୧୫।

ମନରେ ଏମନ୍ତ ବିଚାରି ରାଜା ଶଙ୍କର ଘରେ,

ଦୂରେ ଯାନ ଥୋଇ ପ୍ରବେଶ ହେଲେ ଗମି ପୟରେ ।୧୬।

ଶିଷ୍ୟଗଣେ ଘେରିଅଛନ୍ତି ବେଦାନ୍ତ ଆଲୋଚନା,

କରନ୍ତି ଶଙ୍କର ଦେଖିଲେ ନୃପତି ମହାମନା ।୧୭।

ଗ୍ରହଗଣ ମଧ୍ୟେ ଯେମନ୍ତ ଗ୍ରହରାଜ ଶୋଭିତ,

ଉପଗତ ହେଲେ ଆଗକୁ ମାନସେ ଭୟ ଭୀତ ।୧୮।

ଦଶ ସହସ୍ର ସ୍ୱର୍ଣ୍ଣମୁଦ୍ରା ପାଦ ତଳରେ ଥୋଇ,

ଯଥାଯୋଗ୍ୟ କଲେ ପ୍ରଣତି ଚିତ୍ତେ ହୋଇ ବିନୟୀ ।୧୯।

ଜାଣି ଶ୍ରୀଶଙ୍କର ନୃପତି ଆସନେ ବସାଇଲେ,

ମଧୁର ସ୍ନେହ ସମ୍ଭାଷଣେ କୁଶଳ ପଚାରିଲେ ।୨୦।

ଅଜିନ-ବସନ କୌପୀନ ତେଜସ୍ୱୀ ବ୍ରହ୍ମଚାରୀ,

ଦେଖି ଗୁଣମୁଗ୍‌ଧ ହୋଇଲେ କେରଳ-ଦଣ୍ଡଧାରୀ ।୨୧।

ତ୍ରିତୟ ନାଟକ ନାମେକ ରାଜାଙ୍କ ସ୍ୱରଚିତ,

ପଢ଼ି ଶୁଣାଇଲେ ଶଙ୍କରେ ହେଲେ ଆନନ୍ଦ ଚିତ୍ତ ।୨୨।

ସୁପ୍ରସନ୍ନ ହୋଇ ବୋଇଲେ—‘‘ରାଜେନ୍ଦ୍ର ମାଗ ବର’’,

ନୃପତି ବୋଇଲେ—‘‘ମୋହର ନାହିଁ କୁଳେ କୁମର’’।୨୩।

ଶଙ୍କର ବୋଇଲେ କାମନା ପୂର୍ଣ୍ଣ ହେବ ତୁମ୍ଭର;

ଏହି ସ୍ୱର୍ଣ୍ଣମୁଦ୍ରା ବିତରି ପୁତ୍ରେଷ୍ଟି-ଯଜ୍ଞ କର ।୨୪।

ସ୍ପର୍ଶନ କରି ସେ କାଞ୍ଚନ ଫେରାଇଲେ ରାଜାଙ୍କୁ,

ଫେରିଲେ ନୃପତି ସଦନେ ଭକ୍ତିରେ ନମି ତାଙ୍କୁ ।୨୫।

ଗୃହେ ଫେରି ଯଜ୍ଞ ଆଚରି ପୁତ୍ର ହେଲେ ପ୍ରାପତ,

ତ୍ୟାଗୀ ଶ୍ରୀ ଶଙ୍କର-ପୟରେ ରହିଲେ ଅନୁଗତ ।୨୬।

ବୃଦ୍ଧା ଜନନୀ ଦିନୁଦିନ ଅଶକତ ହୁଅନ୍ତି,

ଭକ୍ତିରେ ଶଙ୍କର ସର୍ବଦା ମାତୃସେବା କରନ୍ତି ।୨୭।

ଗତେ ଏମନ୍ତେ କେତେ ଦିନ ଅଷ୍ଟ ବରଷ ମଧ୍ୟେ,

ଶଙ୍କର ହେଲେ ଅବତାର ଜାଣିଲେ ଋଷିବୃନ୍ଦେ ।୨୮।

ଦର୍ଶନ-ମାନସେ ପ୍ରବେଶ ହେଲେ କାଳଟୀ ଗ୍ରାମେ;

ଜନନୀସେବାରେ ଶଙ୍କର ଅଛନ୍ତି ନିଜ ଧାମେ ।୨୯।

ଏମନ୍ତ ସମୟେ ଭେଟିଲେ ମୁନି ଋଷିକୁଟୀରେ,

ପାଦ୍ୟଅର୍ଘ୍ୟ ଦେଇ ପୂଜିଲେ ଜନନୀ ଝଟତିରେ ।୩୦।

 

ଷଷ୍ଠ ଅଧ୍ୟାୟ

ମାତୃ ପ୍ରବୋଧ

 

ଅଗସ୍ତ୍ୟ ଗୌତମ ଦଧୀଚି ଉପମନ୍ୟୁ ମୁନିଏ,

ଶଙ୍କର-ଦର୍ଶନେ ଶଙ୍କର ଗୃହେ ଗଲେ ବିଜୟେ ।୧।

ସତୀ ଦେବୀ ବୃଦ୍ଧା ଜନନୀ ତାଙ୍କ ଧୋଇ ଚରଣ,

ଆସନେ ବସାଇ ତୋଷିଲେ କହି ମିଷ୍ଟ ବଚନ ।୨।

ଧନ୍ୟ ଆଜ ମୋର ଗୃହସ୍ଥାଶ୍ରମ, ଧନ୍ୟ ଜୀବନ !

ପବିତ୍ର ଚରଣ ପରଶେ ସବୁ ହୋଇଲା ଧନ୍ୟ ।୩।

କୋଟିଜନ୍ମ ପାପ ବିନାଶ ହେଲା ତୁମ୍ଭ ଦର୍ଶନେ,

କର ଏ ତନୟେ ଆଶିଷ ସର୍ବେ ପ୍ରସନ୍ନ ମନେ ।୪।

ଅଳ୍ପ ବୟସେ ଏ ହୋଇଛି ସର୍ବ-ଶାସ୍ତ୍ରେ ପଣ୍ଡିତ,

କହ ପୂର୍ବଜନ୍ମବୃତ୍ତାନ୍ତ ତୁମ୍ଭେ ସର୍ବବିଦିତ ।୫।

ଅଗସ୍ତ୍ୟ ବୋଲନ୍ତି—‘‘ଗୋ ମାତ ! ଶୁଣ କହୁଛି ତାହା,

ପତିପତ୍ନୀ ତୁମ୍ଭ ଉଭୟେ ତପେ ପାଇଛ ଏହା ।୬।

ତପେ ତୋଷି ଶଶିଶେଖର ଏକ ସୁପୁତ୍ର ବର,

ମାଗି ଲଭିଲେ ଏ କୁମର ବର ତୋହର ବର ।୭।

ଶଙ୍କର ଅଂଶରେ ଶଙ୍କର ଅବତୀର୍ଣ୍ଣ ତୋ କାଳେ,

ଅକ୍ଷୟ କୀରତି ରଖିବେ ଅଳ୍ପ ଦିନେ ଭୂତଳେ ।୮।

ଅଧିକ ଦିନ ନ ରହିବେ ଅଳ୍ପାୟୁ ତୋର ସୁତ,

ଜୀବନ୍ତ କୀର୍ତ୍ତିରେ ଯାବତ ରହିବ ପଞ୍ଚଭୂତ ।୯।

ଶୁଣି ଶୋକାତୁରେ ଜନନୀ ଧଇଲେ ୠଷିପାଦ,

ସତ କହ କେତେ ବରଷେ ହେବ ମୋତେ ପ୍ରମାଦ ।୧୦।

ଷୋହଳ ବରଷ ଅଥବା ଆଉ ହେବ ଷୋହଳ,

ଏତକର ଶେଷ ହୋଇବ ତାଙ୍କ କାର୍ଯ୍ୟ ବହୁଳ ।୧୧।

ଶୁଣି ସତୀ ଦେବୀ ପଡ଼ିଲେ ଢଳି ମହୀ ଉପରେ,

ମାଆ ମାଆ ବୋଲି ଶଙ୍କର ତୋଳି ଧଇଲେ ଖରେ ।୧୨।

କହି ନାନା ଚାଟୁ ବଚନ ମନେ ଦେଲେ ସାନ୍ତ୍ୱନା,

ପ୍ରବୋଧିଲେ କେତେ ୠଷିଏ କରି ଶୁଭ କାମନା ।୧୩।

ଶଙ୍କର ବିଧିରେ ତାଙ୍କର କଲେ ଯୋଗ୍ୟ ସମ୍ମାନ,

ବଚନେ ବଚନେ ପ୍ରକାଶକଲେ ଆପଣା ଜ୍ଞାନ ।୧୪।

ମୁନିଗଣେ ଧନ୍ୟ ମଣିଲେ ନେତ୍ରେ ଦେଖି ଶଙ୍କର,

ଅନ୍ତରେ ଶଙ୍କରେ ପ୍ରଣମି ହୋଇଗଲେ ଅନ୍ତର ।୧୫।

ଝର ଝର ନୀର ଝରଇ ନେତ୍ରୁ ମାତା ବିକଳ,

ବୋଲନ୍ତି—‘‘ଯାଉ ମୋ ଜୀବନ ଧିକ ପୋଡ଼ା କପାଳ !୧୬।

ତୋ ପରା ତନୟ ଲଭିଲି ତୋଷି ସେବାରେ ଶିବ,

ଶୁଣିଲେ ଏ କଥା କେ ମାତା ଜୀବନରେ ରହିବ ?୧୭।

ନ ପିଇବି ଆଉ ସଲିଳ ନ ରଖିବି ଜୀବନ,’’

ଶୁଣି ଜ୍ଞାନୀବର ବୋଲନ୍ତି—ମାତ ଶୁଣ ବଚନ ।୧୮।

କିଏ ମୁଁ କେ ତମେ, ଏ ଦେହ ସଙ୍ଗେ କିବା ସମ୍ବନ୍ଧ ?

ପକାଅ ଅନ୍ତରେ ନୟନ ଆଉ ନ ହୁଅ ଅନ୍ଧ ।୧୯।

ନ ଥିଲା ନ ଥିବ, ଦେହ କ୍ଷରକର ପ୍ରନାଶ,

ପଞ୍ଚଭୂତ ବିଶ୍ୱ ପ୍ରପଞ୍ଚ ମାୟା ହେବ ବିକାଶ ।୨୦।

ଏଥିରେ କାହିଁକି ମମତା ଦେଖ ନିଜ ଶରୀର,

ବାଳ-ଯୁବା-ବୁଦ୍ଧା ଯାଉଛି କିଛି ନୁହଇ ଚିର ।୨୧।

କୁସୁମ-କଳିକା ପରାଏ ଫୁଟିଯାଉଛି ଝଡ଼ି,

କିଏ ସେ ଏ ଖେଳ ଖେଳୁଛି ମହା ବିଶ୍ୱକୁ ଗଢ଼ି !୨୨।

ସେହି ପଞ୍ଚଭୂତ ନିବାସୀ ସବୁ ତାଙ୍କରି ଖେଳ,

ବିକାଶ, ବିନାଶ ଲାଗିଲି ହେଲେ ଯେ ଯାହା ବେଳ ।୨୩।

ନ ରଖି ପାରୁଛ ଆପଣା ଦେହ ଆପଣା କରି,

ମମତା ଲଗାଇ କାନ୍ଦୁଛ ଅନ୍ୟ ଦେହେ ଆଦରି ।୨୪।

ଜଡ଼ଜଗତେ ଏ ନଶ୍ୱର ସତ୍ୟ ତତ୍ତ୍ୱକୁ ଦେଖ,

ଅଜର ଅମର ଆତ୍ମା ସେ ନାହଁ ତା ବ୍ୟତିରେକ ।୨୫।

ମୋର ଦେହ, ମୋର ସଂସାର, ମୋର ଇନ୍ଦ୍ରିୟଗଣ ।

ଏ ସବୁ ମାୟାର ମହିମା ବୋଲିବା ଅକାରଣ ।୨୬।

ଜୀବ ରୂପେ ପ୍ରତି ଘଟରେ ପରମାତ୍ମାଙ୍କ ବାସ,

କାମନା-ଭେଦରେ ଶରୀର ଗୋଟି ଗୋଟି ପ୍ରକାଶ ।୨୭।

କାମନା ପୂରିଲେ ସରିଲା ସବୁ ସଂସାର-ଖେଳ,

କାମନାରେ ସିନା ରହିଛି ସବୁ ସଂସାର-ମେଳ ।୨୮।

ପାପର ମୂଳ ଏ କାମନା ବାନ୍ଧିରଖିଛି ଜୀବ,

କାମନା ନ ଥିଲେ ଏ ଜୀବ କେବଳ ସଦାଶିବ ।୨୯।

ପାଣିର ଫୋଟକା ଏ ଦେହ ପଞ୍ଚଭୂତ ବିକାର,

କାହିଁକି ମମତା ଏଥିରେ ମାତ ! ମନେ ବିଚାର ।୩୦।

ଜନମିଲେ ନିଶ୍ଚେ ମରଣ ମଲେ ନିଶ୍ଚେଁ ଜନମ,

କାମନା ପଛରେ ଏ ଜୀବ ଧାଇଁ ପାଉଛି ଶ୍ରମ ।୩୧।

ଜନନୀ ଘେନ ମୋ ବଚନ ପ୍ରୀତି ଆତ୍ମାରେ କର,

ସେହି ଏକା ସତ୍ୟ ଅନିତ୍ୟ ଏ ବିଶ୍ୱଚରାଚର ।୩୨।

ବିଶ୍ୱମୟ ଦେଖ ତାହାଙ୍କୁ ସେହି ତୁମ୍ଭ ଭିତରେ,

ତାଙ୍କରି ଶକତି ଲଗାଅ ତାଙ୍କ ସେବା ଅର୍ଥରେ ।୩୩।

ସଂକୀର୍ଣ୍ଣ ଏ ମିଥ୍ୟା ସ୍ୱାର୍ଥକୁ ଚିତ୍ତରୁ ଦୂରକର,

ପୁତ୍ର-କଳତ୍ର-ପରିବାର ମିଥ୍ୟା ମାୟାର ଘର ।୩୪।

ଶଙ୍ଖଚକ୍ରଗଦା ପଙ୍କଜ-ଧାରୀ ଶ୍ରୀ ନରାୟଣ,

ପୀତାମ୍ବରଧାରୀ କିରୀଟ କଉସ୍ତୁଭ-ଭୂଷଣ ।୩୫।

ଦେଖ ଦିନକର-ମଣ୍ଡଳେ ତାଙ୍କ ଅପୂର୍ବ ଜ୍ୟୋତି,

ତାଙ୍କରି ଅଭୟ ଚରଣେ ରଖ ସତତ ମତି ।୩୬।

ମୋହ ପାଇଁ ଚିନ୍ତା ନ କର ମୋର କାର୍ଯ୍ୟ ବହୁତ,

ଇଚ୍ଛାରେ ମୋର ହୋଇପାରେ ନିଶ୍ଚେଁ ଜୀବିତ ମୃତ ।୩୭।

ଭବିଷ୍ୟତ କଥା ଅଜଣା ତା ପାଇଁ ନୁହ ଦୁଃଖୀ,

କର୍ମ-ପଥେ ଚାଲ ଆଗେଇ କର୍ମ୍ମ ସାଧନେ ସୁଖୀ ।୩୮।

ଏମନ୍ତ ବଚନେ ଜନନୀ ଚିତ୍ତ ହୋଇଲା ସ୍ଥିର,

ଭେଦିବାକୁ ଚିନ୍ତା କରନ୍ତି ଶୁଣି ତନୟ ଗିର ।୩୯।

ଶଙ୍କରଙ୍କର ଏ ପ୍ରକାର ତ୍ୟାଗ ଜାଣି ସ୍ୱଜନ,

ଭାବିଲେ ବହନେ କରିବା ଶୁଭ ବିଭା ବନ୍ଧନ ।୪୦।

 

ସପ୍ତମ ଅଧ୍ୟାୟ

ଆଶମାନ୍ତର ଚିନ୍ତା

 

ଅଷ୍ଟମ ବର୍ଷର ବାଳକ ବାଲ୍ୟ ବିବାହ ପ୍ରଥା,

ଥିଲା ସେ ସମୟେ ଶାସ୍ତ୍ରୀୟ ବିଧି ନୁହେ ଅଯଥା ।୧।

ରୂପ ଗୁଣରେ ଅଦ୍ୱିତୀୟ ଲୋକମାନ ଶଙ୍କର,

ଏ ମନ୍ତ୍ର ସୁପାତ୍ର ଲଭିବା ଲୋକ ମଧ୍ୟେ ଦୁଷ୍କର ।୨।

ବିପୁଳ ଯୌତୁକ ସହିତେ ସୁପାତ୍ରୀ ଦେବା ପାଇଁ,

କୁଳ ଶୀଳ ବିଜ୍ଞ ପଣ୍ଡିତେ କେତେ ଆସିଲେ ଧାଇଁ ।୩।

କୁଳ ବୃଦ୍ଧ ଜନ ମୁଖରୁ ଏହା ଶୁଣି ଶଙ୍କର,

ବିନୟେ ଜନନୀ ଆଗରେ ଜଣାଇଲେ ଉତ୍ତର ।୪।

ଦାର ପରିଗ୍ରହ ନ କରି ହେବି ଚତୁର୍ଥାଶ୍ରମୀ,

ବିଶ୍ୱ ହିତେ କାର୍ଯ୍ୟ କରିବି ସାରା ଭାରତ ଭ୍ରମୀ ।୫।

କରମା ସୁଦୟା ଅନୁଜ୍ଞା ମୋତେ ଦିଅ ଏତିକି,

ନ ଚାହେଁ ବିବାହ ନ ଚାହେଁ ଏ ସମାଜ ନୀତିକି ।୬।

ମାତା ଅନୁମତି ନ ଦେଲେ ସନ୍ନ୍ୟାସ ବିଧି ନାହିଁ,

ଅଶାସ୍ତ୍ରୀୟ ଗୃହ ତେଜିବା ପାପ ପେଟର ପାଇଁ ।୭।

ସ୍ୱଧର୍ମ୍ମରେ ନିଷ୍ଠା ଯାହାର ସଂସାରରେ ବୈରାଗ୍ୟ,

ସେ ସିନା ଆଶ୍ରମ ତେଜିବେ ଥିଲେ ପୁରବ ଭାଗ୍ୟ ।୮।

ବୁଲି ଖାଇବାକୁ ଶରଧା ସ୍ୱଧର୍ମେ ଅବହେଳା,

ଭବ ସିନ୍ଧୁ ତରି ଯିବାକୁ ନାହିଁ ତାଙ୍କର ଭେଳା ।୯।

ଗୁରୁ ଶାସ୍ତ୍ର ବାକ୍ୟେ ସୁଦୃଢ଼ ବିଶ୍ୱାସ ଯାହାଙ୍କର,

ଶାସ୍ତ୍ର ବିଧିମତେ ହୋଇବେ ସେହି ଆଶ୍ରମାନ୍ତର ।୧୦।

କର୍ମ ତ୍ୟାଗ ନୁହେ କାହାର ଫଳ ବ୍ୟସନ ତ୍ୟାଗ,

ବିଶ୍ୱ ହିତେ କର୍ମ କରିବା ଅଟେ ଜ୍ଞାନ ବୈରାଗ୍ୟ ।୧୧।

ଧରମର ତତ୍ତ୍ୱ ନ ଜାଣି ଧର୍ମ୍ମ ଧର୍ମ୍ମ ଚିତ୍କାର,

କରିବା ଲୋକକୁ ଜାଣିବ ଏ ଉନ୍ମାଦ ବିକାର ।୧୨।

ଆତ୍ମଜ୍ଞାନ ହୀନ ଲୋକର ସନ୍ନ୍ୟାସ ମୋକ୍ଷ ନାହିଁ,

ଆତ୍ମ ଜ୍ଞାନ ହେଲେ ବାହାର ଆଡ଼ମ୍ବର ନ ଥାଇ ।୧୩।

ସାଧକ ଏ ପଥେ ଯେ ଜନ ସେ ତ ହେବେ ମଉନ,

ନାହିଁ ତାଙ୍କ ଭୋଗ ସମ୍ବନ୍ଧ ନାହିଁ ତର୍କ ବଚନ ।୧୪।

ବହୁ ଜନ୍ମ ପୁଣ୍ୟ ସଞ୍ଛୟ ହୋଇଲେ ଚିତ୍ତ ଶୁଦ୍ଧି,

ଚିତ୍ତ ଶୁଦ୍ଧି ହେଲେ ଆତ୍ମାରେ ଲାଗଇ ମନ ବୁଦ୍ଧି ।୧୫।

ଦଳ ବଳ ଧନ ସମ୍ପଦ ସମାଜ ଦୃଢ଼ କରି,

ଜ୍ଞାନ କର୍ମ ବିନା ଦମ୍ଭରେ କେହି ନ ପାରେ ତରି ।୧୬।

ବେଦ ଅର୍ଥେ କରି ଅନର୍ଥ ଖୋଜି ସହଜ ପନ୍ଥା,

ସ୍ୱର୍ଗ ମୋକ୍ଷ ଆଶ ଯାହାଙ୍କ ତାଙ୍କ ଉଦ୍ୟମ ବୃଥା । ୧୭।

ଶାସ୍ତ୍ର ବିହିତି ଯେ ସ୍ୱଧର୍ମ ତାହା ଆଚରି ଜୀବ,

ଅନାୟାସେ ଭବ ବନ୍ଧନୁ ମୁକତ ପାଇ ଯିବ ।୧୮।

ସ୍ୱଧର୍ମ ତେଜି ପର ଧର୍ମ ଯେ କରେ ଆଚରଣ,

ସଦଗତି ନୁହେ ତାଙ୍କର ବୃଥା ଦେହ ଧାରଣ ।୧୯।

ଦିଅ ଅନୁମତି ଜନନୀ ମୁହିଁ ସନ୍ନ୍ୟାସୀ ହେବି,

ସ୍ୱଧର୍ମ ପାଳନେ ସ୍ୱ ଦେହ ମନ ସମର୍ପି ଦେବି ।୨୦।

ଏମନ୍ତ ଶୁଣି ସୁତ ମୁଖ ଜନନୀ ଶୋକାତୁର,

କୋଳେ ଧରି ଚୁମ୍ବି ବଦନ ବୋଇଲେ ରେ କୁମର ।୨୧।

ଜ୍ଞାନୀ ତୁ ଅଳପ ବୟସେ ସର୍ବଶାସ୍ତ୍ର ନିପୁଣ,

କେଉଁ ଭାଗ୍ୟ ବଳେ ପାଇଛୁ ଅସାଧାରଣ ଗୁଣ ।୨୨।

ତୋତେ ବୁଝାଇବା ଶକତି କିଞ୍ଚିତେ ନାହିଁ ମୋର,

ଭାଗ୍ୟ ବଳେ କୋଳେ ଧରିଛି ହୋଇ ଜନନୀ ତୋର ।୨୩।

ଶୁଣିଛି ପୁରାଣ ବଚନ ଶ୍ରେଷ୍ଠ ଗୃହସ୍ଥାଶ୍ରମ,

ଏହା ଆଶ୍ରୟରେ ବଞ୍ଚନ୍ତି ଅନ୍ୟ ତିନି ଆଶ୍ରମ ।୨୪।

ଜଗତ ଜୀବଙ୍କୁ ପାଳିବା ଅଟେ ଗୃହସ୍ଥ ଧର୍ମ,

ସର୍ବ ଦେବା ଦେବୀ ତୋଷିବା ଅଟେ ଗୃହସ୍ଥ କର୍ମ ।୨୫।

ସକଳ ଐଶ୍ୱର୍ଯ୍ୟ ଭୋଗିବା ପାଇଁ ମାନବ ଦେହ,

ବିଷ୍ଣୁଙ୍କୁ ଜାଣି ସ୍ୱହୃଦରେ ଅର୍ପଣକର ସେହି ।୨୬।

କ୍ଷୁଧା ତୁର ଦୁଃଖୀ ଅତିଥି ଦେଖି ଯତ୍ନେ ପୂଜିବ,

ସ୍ୱର୍ଗ ମୋକ୍ଷ ଫଳ ଗୃହସ୍ଥ ଗୃହେ ବସି ଲଭିବ ।୨୭।

ଆଦରେ ଗୁରୁ ପିତା ମାତା ତାଙ୍କ ସେବିବ ପଦ,

ଅଧର୍ମ ପଥକୁ ନ ଯିବ କହିବ ସତ୍ୟ ପଦ ।୨୮।

ଜପ ହୋମ ପୂଜା ତର୍ପଣ ତୀର୍ଥ ବ୍ରତ କରିବ,

ଅଧିକ ସଞ୍ଚୟ ନ କରି ସୁପାତ୍ରେ ବିତରିବ ।୨୯।

ସରଳ ଶିଷ୍ଟ ବ୍ୟବହାରେ ତୋଷିବ ସର୍ବ ଜନ,

ନ କହିବ କେବେ କାହାକୁ ମିଥ୍ୟା କ୍ରୂର ବଚନ ।୩୦।

ସମସ୍ତଙ୍କ ହିତ ଚିନ୍ତିବ ହିଂସା ଦ୍ୱେଷ ନ କର,

ସର୍ବମୟ ହରି ଦେଖିବ ଏ ସଂସାର ତାଙ୍କର ।୩୧।

ତାଙ୍କରି ସେବାରେ ରହିବ କରି ଗୃହସ୍ଥାଶ୍ରମ,

ଜାଣଇଁ ମୁଁ ଏତେ ମାତ୍ରକ ସବୁ ଧର୍ମ୍ମେ ଉତ୍ତମ ।୩୨।

କେତେ ମୂନି ୠଷି ଜାଣିଛି ସର୍ବେ ଅଟନ୍ତି ଗୃହୀ,

ଆଦର୍ଶ ଶ୍ରୀକୃଷ୍ଣ ଜନକ ମାନବ ଦେହ ବହି ।୩୩।

ବ୍ରହ୍ମଚର୍ଯ୍ୟ ଗତେ ଗୃହସ୍ଥାଶ୍ରମ ତହୁଁ ସନ୍ନ୍ୟାସ,

କ୍ରମ ପଥେ ଗିତ କରିବ ବ୍ରହ୍ମ ପ୍ରାପ୍ତି ସକାଶ ।୩୪।

ଆଠ ବରଷର ବାଳକ କାହିଁ ସନ୍ନ୍ୟାସ ହେବୁ,

ବୃଦ୍ଧା ଜନନୀ ମୁଁ ତୋହର କାହାକୁ ଅର୍ପି ଦେବୁ ।୩୫।

କିଏ ଅନ୍ନ ଜଳ ଦେବରେ ଆଣି ମୁହଁରେ ମୋର,

ଏକ ମାତ୍ର ତୁ ମୋ ଜୀବନ ଦୁଃଖିନୀର କୁମର ।୩୬।

କେହି ନାହିଁ ସାହା ମୋହର ତୁ ମୋ ଏକା ସମ୍ବଳ,

ଛାଡ଼ି ଯିବୁ ଯେବେ ଧନରେ ଆଣି ଦିଅ ଗରଳ । ୩୭।

ତିନି ବର୍ଷରେ ତୋ ପିଅର ତେଜି ଗଲେ ସ୍ୱର୍ଗକୁ,

ବଞ୍ଚିଛି ମୁଁ ଏକା କେବଳ ଚାହିଁ ତୋର ମୁଖକୁ ।୩୮।

ମୋ ଅନ୍ତେ ତୁ ତୋର ଯେ ଇଚ୍ଛା ତା କରିବୁ ପୂରଣ,

ଜନନୀର ସେବା ତେଜିବା ନୁହି ବଡ଼ ପଣ ।୩୯।

ରଖିଲେ ରଖ ମୋ ବଚନ ନ ରଖିଲେ ଏକ୍ଷଣି,

ଜୀବନ ତେଜିବି ତୋ ଆଗେ ଆରେ କୁମରମଣି ।୪୫।

ଅନ୍ତ୍ୟେଷ୍ଟୀ କ୍ରିୟା ମୋ କରିବୁ ଏହା କର୍ତ୍ତବ୍ୟ ତୋର,

ପିଣ୍ଡ ଦାନେ ପିତୃ ତାରିବା ପାଇଁ ଜାତ କୁମର ।୪୧।

ଏମନ୍ତ ବୋଲନ୍ତେ ଶଙ୍କର ହୋଇଲେ ନିରୁତ୍ତର,

କେମନ୍ତେ ହୋଇବେ ସନ୍ନ୍ୟାସ ଚିନ୍ତିଲେ ନିରନ୍ତର ।୪୨।

 

ଅଷ୍ଟମ ଅଧ୍ୟାୟ

ସନ୍ନ୍ୟାସ ଅନୁମତି

 

ବିଶ୍ୱର କାରଣ ବିଶ୍ୱର ବୀଜ ବିଶ୍ୱ ଆଧାର,

ବିଶ୍ୱ ହିତେ ହୋଇ ଛନ୍ତି ସେ ବିଶ୍ୱରେ ଅବତାର ।୧।

ଯାହାଙ୍କ ଇଚ୍ଛାରେ ଜଗତ ହୁଅଇ ଆତ ଜାତ,

ଚନ୍ଦ୍ର, ସୂର୍ଯ୍ୟ, ତାରା ଆକାଶେ ହୋଇଅଛନ୍ତି ଜାତ ।୨।

ସୃଷ୍ଟି ସ୍ଥିତିଲୟ କାରଣ ତିନି ରୂପ ତାଙ୍କର,

ବ୍ରହ୍ମା ବିଷ୍ଣୁ ଶିବ ବୋଲନ୍ତି ଏକ ଆତ୍ମା ଶଙ୍କର ।୩।

ପରଂବ୍ରହ୍ମ ରୂପ ଅଗମ୍ୟ ମୋକ୍ଷ ଦାତା ମହେଶ,

ଚାରି ବେଦ ଯାହା ମହିମା ପାଇଛନ୍ତି ଅଶେଷ ।୪।

ଦୈନିକ ଧର୍ମ ସଂସ୍ଥାନେ ସେ ହର ଅବତାର,

ତାଙ୍କ ଗତି ପଥ ରୋଧିବା କାହିଁ ଶକ୍ତି ମାତର ।୫।

କୁଳବୃଦ୍ଧଜନେ ଶୁଣିଲେ ହେବା କଥା ସନ୍ନ୍ୟାସ,

ମଧୁର ବୋଇଲେ ବାବୁରେ ତେଜ ଏବେ ଏ ଆଶ ।୬।

ଚଉବନ ବରଷ ଗତେ ଦେଖି ପଉତ୍ର ମୁଖ,

ଗୃହସ୍ଥାଶ୍ରମକୁ ଉପେଖି ବନେ ଲଭିବ ସୁଖ ।୭।

ପୁତ୍ର ବିନା ପିଣ୍ଡ କାରଣ ନୁହେ ଶାସ୍ତ୍ର ବଚନ,

ପିଣ୍ଡ ଦାନେ ପିତୃ ଗଣକୁ ପୁଣି ତାର ବହନ ।୮।

ମାତୁଳ କ୍ରମରେ ମାନବ ଜାତ ଦେଖ ନିଶ୍ଚୟ,

କୁଳଶୀଳ ଜାଣି ପାତ୍ରୀ ଏ ଆମ୍ଭେ କରିଛୁ ଥୟ ।୯।

ଶଙ୍କର ବୋଇଲେ ତୁମ୍ଭର ବାକ୍ୟ ଶାସ୍ତ୍ର ପ୍ରମାଣ,

ମାତ୍ର କେତେ ମତେ ତନୟ ଜାତ ହୁଅନ୍ତି ଜାଣ ।୧୦।

ଦାର ପରି ଗ୍ରହ କରିବେ କେବଳ ଗୃହୀମାନେ,

ଅନ୍ୟ ଆଶ୍ରମରେ ତନୟ ହେବେ ଅନ୍ୟ ବିଧାନେ ।୧୧।

ଜ୍ଞାନୀ ଜ୍ଞାନ ରୂପା ରମଣୀ ସଙ୍ଗେ କରି ରମଣ,

ଶିଷ୍ୟରୂପେ ଜାତ କରିବେ ସନ୍ନ୍ୟାସୀ ଏ ନନ୍ଦନ ।୧୨।

ବାନପ୍ରସ୍ଥ ବ୍ରହ୍ମଚାରୀଙ୍କ ଏହି ମତେ ସନ୍ତାନ,

ଶିଷ୍ୟରୂପେ ପୁତ୍ର କରିବା ଶାସ୍ତ୍ରର ଏ ବିଧାନ ।୧୩।

ଯୋନି କର୍ଣ୍ଣବିଳ ରସନା ଲିଙ୍ଗ ସ୍ୱରୂପ ଜାଣ,

ଧ୍ୱନି ବ୍ରହ୍ମବୀଜ ନିକ୍ଷେପେ ପୁତ୍ର ଜାତ ପ୍ରମାଣ ।୧୪।

ବ୍ରହ୍ମଚାରୀ ମାତ୍ରେ ଗୃହସ୍ଥ ହେବେ ନାହିଁ ଏମନ୍ତ,

ବ୍ରହ୍ମଚାରୀ ହେବେ ସନ୍ନ୍ୟାସୀ ହୋଇଲେ ଜ୍ଞାନମନ୍ତ ।୧୫।

ଭୋଗ ବିଳାସରେ ବାସନା ଥିଲେ ଗୃହସ୍ଥାଶ୍ରମ,

ବୈରାଗ୍ୟ ଉଦୟ ମାତ୍ରକେ ଧର୍ମ୍ମ ଚତୁର୍ଥାଶ୍ରମ ।୧୬।

ଏଣୁ ମୁଁ ସନ୍ନ୍ୟାସ ହେବାକୁ କରିଅଛି ନିଶ୍ଚୟ,

ବିଶ୍ଚହିତେ କର୍ମ୍ମ ସାଧବି ହୁଅ ସର୍ବେ ସଦୟ ।୧୭।

ଅତି ଜ୍ଞାନ ବୃଦ୍ଧି ଶଙ୍କର ବଚନେ ନିରୁତ୍ତର,

ମାତ୍ର ନ ମାନନ୍ତି ଜନନୀ ମାୟା ମୋହ ଅନ୍ତର ।୧୮।

ମାତା ଅନୁମତି କେମନ୍ତେ ଅବିଳମ୍ବେ ମିଳିବ,

ଭାବନ୍ତେ ଏମନ୍ତ ଅଦଭୂତ ଘଟାଇଲା ଦଇବ ।୧୯।

ବୃଷ୍ଟି ଧାରେ ପୂର୍ଣ୍ଣ ହୋଇଛି ପୂର୍ଣ୍ଣାନଦୀ ପ୍ରବାହ,

ତହିଁ ସ୍ନାନକରୁ ଶଙ୍କର ପାଦେ ଧଇଲା ଗ୍ରାହ ।୨୦।

ଭୀଷଣ କୁମ୍ଭୀର ନ ଛାଡ଼େ ପାଦ ଧରିଛି ବଳେ,

ଆର୍ତ୍ତନାଦ କଲେ ଶଙ୍କର କଣ୍ଠ ସମାନ ଜଳେ ।୨୧।

ପୁତ୍ର ଡାକ ଶୁଣି ବାଘୁଣୀ ପରି ଧାଇଁଲା ବୁଢ଼ୀ,

ପୁତ୍ରକୁ ନିରେଖି ଜଳରେ କୁଳେ ପଡ଼େ କଚାଡ଼ି ।୨୨।

କି ବୁଦ୍ଧି କରିବି ଧନରେ ଉପାୟ ଦିଶୁ ନାହିଁ,

ରକ୍ଷାକର ପ୍ରଭୁ ସଙ୍କଟୁ କର ପୁତ୍ରକୁ ତ୍ରାହି ।୨୩।

କିଏ କାହିଁ ଅଛ ଆସରେ ଆଣ ମୋ ଧନମଣି,

କୁମ୍ଭୀର ନେଉଛି ଦୂରକୁ ଗିଳି ଦେବ ଏକ୍ଷଣି ।୨୪।

ଉଚ୍ଚ ସ୍ୱରେ କାନ୍ଦି ବିକଳେ କରେ ପିଟନ୍ତି ମଥା,

ଶଙ୍କର ବୋଇଲେ ଜନନୀ ଏବେ ଶୁଣ ମୋ କଥା ।୨୫।

ଗିଳୁଛି କୁମ୍ଭୀର ଉପାୟ ନାହିଁ ସନ୍ନ୍ୟାସ ବିନା,

ଏବେ ବି ସନ୍ନ୍ୟାସ ହେଲେ ମୁଁ ଛାଡ଼ି ଦେବ ଏ ସିନା ।୨୬।

ସନ୍ନ୍ୟାସର ନାହିଁ ବଇରି ମିତ୍ର ଏକାନ୍ତ ବୋଧ,

ବଞ୍ଚାଇବାକୁ ଇଚ୍ଛାଥିଲେ ପୂର୍ଣ୍ଣକର ମୋ ସଧ ।୨୭।

ସନ୍ନ୍ୟାସ ମୁଁ ବୋଲି ଜାଣିଲେ ନିଶ୍ଚେ ଛାଡ଼ିବ ପାଦ,

ଶୁଣି ଜନନୀ ହତ ବୁଦ୍ଧି ବେନି ଦିଗେ ପ୍ରମାଦ ।୨୮।

ହେଲେ ହେଉ ପଛେ ସନ୍ନ୍ୟାସ ବଞ୍ଚି ରହୁ ଜୀବନେ,

ସନ୍ନ୍ୟାସୀ ହୁଅ ତୁ ବୋଇଲେ ଦେବୀ ଉଚ୍ଚ ବଚନେ ।୨୯।

ଶୁଣି ବାହୁ ଟେକି ଉଚ୍ଚରେ ବୋଇଲେ ମୁଁ ସନ୍ନ୍ୟାସ,

ତିନିବାର ଉଚ୍ଚେ ବୋଇଲେ ମନେ ହୋଇ ଉଲ୍ଲାସ ।୩୦।

ଛାଡ଼ ପଳାଇଲା କୁମ୍ଭୀର ଜଳୁ ଉଠିଲେ ଖରେ,

ଆନନ୍ଦେ ଭକ୍ତିରେ ନମିଲେ ଜନନୀଙ୍କ ପୟରେ ।୩୧।

କୋଟିନିଧି ସମ ହୃଦରେ ଭିଡ଼ି ବିହି ଚୁମ୍ବନ,

ଦେଲି ଅନୁମତି ବୋଇଲେ ହୋଇ ପ୍ରସନ୍ନ ମନ ।୩୨।

ବିଶ୍ୱ ହିତେ ହୁଅ ସନ୍ନ୍ୟାସୀ ଧର୍ମ୍ମ ଦୃଢ଼ରେ ପାଳ,

ଦଣ୍ଡ କମଣ୍ଡଳୁ କୌପୀନ ଘେନ ରୁଦ୍ରାକ୍ଷ ମାଳ ।୩୨।

ବିଭୂତି ଭୂଷଣେ ଦିଶିବୁ ବାଳ ଶଙ୍କର ସରି,

ତୋର ଚତୁର୍ଦ୍ଦଶ ପୁରୁଷ ଯିବେ ସ୍ୱର୍ଗକୁ ତରି ।୩୩।

ଦଶ ଦିଗେ ତୋତେ ରଖନ୍ତୁ ଜଗି ଧର୍ମ ଦେବତା,

ଯାହାଙ୍କ ଇଚ୍ଛାରେ ଜଗତ ସେହି ବିଶ୍ୱ କରତା ।୩୪।

ଜିତେନ୍ଦ୍ରିୟ ହୋଇ ସ୍ୱଧର୍ମ୍ମ ପାଳ ହୋଇ ଅଟଳ;

ପବିତ୍ର ହେଉ ଏ ଧରଣୀ ଲାଗି ତୋ ପଦତଳ ।୩୫।

ହେଉ ଯାହା ମୋର ହେବରେ ଅଛି ଲଲାଟା ଲେଖା,

ଆଉ ଏ ଜୀବନେ ନୋହିବ ତୋର ଶ୍ରୀମୁଖ ଦେଖା ।୩୬।

ଏମନ୍ତ ବୋଲନ୍ତେ ଶଙ୍କର ପୁଣି ନମି ଚରଣେ,

ଜ୍ଞାତି କୁଟୁମ୍ବଙ୍କୁ ଡକାଇ ନିବେଦିଲେ ତକ୍ଷଣେ ।୩୭।

ପାଳିବ ମୋ ବୃଦ୍ଧା ଜନନୀ ଜନନୀ ସମ କରି

ରୋଗ ଯନ୍ତ୍ରଣାରେ ସେବିବ ସର୍ବେ ବୈଦ୍ୟକୁ ବରି ।୩୮।

କରିବ ଅନ୍ତେଷ୍ଟିକ୍ରିୟାକୁ ନିଜ କୁଳ ବିଧାନେ,

ସବୁ ସମର୍ପିଲି ମାତାଙ୍କୁ ରଖିବ ସନମାନେ ।୩୯।

ବୋଲନ୍ତି ବୋଇଲେ ଜନନୀ ମୋତେ ମୋ ଭାଗ୍ୟ ଜଣା,

ତୋତେ ଆଜନ୍ମରୁ ଭରସା କରି ଏହି ଘଟଣା ।୪୦।

ଶଙ୍କର ବୋଇଲେ ଜନନୀ ମୋର ସତ୍ୟ ବଚନ,

ସ୍ମରିଲା ମାତ୍ରକେ ଭେଟିବ ଆସି ତୁମ୍ଭ ଚରଣ ।୪୧।

ସ୍ମରିବା ମାତ୍ରକେ ଜାଣିବି ଥିଲେ ଯେତେ ଦୂରରେ,

ପଲକ ମଧ୍ୟରେ ଭେଟିବି ଆସି ତୁମ୍ଭ ପୟରେ ।୪୨।

ଏମନ୍ତ ବଚନେ ପ୍ରବୋଧି ପଦରଜ ଘେନିଲେ,

ବିଶ୍ୱହିତେ ପଦବ୍ରଜରେ ଇଷ୍ଟ ସ୍ମରି ଚଳିଲେ ।୪୩।

 

ନବମ ଅଧ୍ୟାୟ

ଗୁରୁ ପ୍ରାପ୍ତି

 

ବେଦ ଧ୍ୱନି କଲେ ବ୍ରାହ୍ମଣେ ହରି ହରି ଶବଦ,

ହୁଳହଳି ନାଦେ ରମଣୀ ବନ୍ଦାଇଲେ ଶ୍ରୀ ପଦ ।୧।

ଧନ୍ୟ ଧନ୍ୟ ସବୁ ମୁଖରେ ସତୀ ଦେବୀଙ୍କୁ ଚାହିଁ,

ଧନ୍ୟ ଧରିଥିଲ ଗର୍ଭରେ ପବିତ୍ର କଳ ମହୀ ।୨।

ଶଙ୍କରଙ୍କ ଗୁଣ ଗୁଣନ୍ତି କେ କେତେ ପରକାରେ,

ଦେଖୁଁ ଦେଖୁଁ ହେଲେ ଅନ୍ତର ଗତି କରି ପଥରେ ।୩।

ଭୟଙ୍କର ବନ ଗହନ ହିଂସ୍ରକ ମହାବଳ,

ନଈ ନାଳ ଖାଲ ପର୍ବତ ପଥ ଜ୍ଞାନ କୋମଳ ।୪।

ସର୍ବ ବ୍ରହ୍ମମୟ ବିଲୋକି ବ୍ରହ୍ମଜ୍ଞାନୀ ତେଜସ୍ୱୀ,

ବୃକ୍ଷ ମୂଳେ ଭୟ ସଙ୍କୁଳେ ସୁଖେ ପୁହାନ୍ତି ନିଶି

ଦଣ୍ଡକମଣ୍ଡଳୁ କୌପୀନ ଗୌରିକ ଭସ୍କଭାଲେ,

ଶୂନ୍ୟେ ରହି ଦେଖି ଚକିତ ଦେବଗଣ ସକଳେ ।୬।

ନିରେଖି ନର୍ମଦାକୂଳରେ ଏକ ଋଷିଆଶ୍ରମ,

ପ୍ରବେଶି ଦେଖିଲେ ଶୁଖୁଛି କୌପନୀ ମୃଗଚର୍ମ ।୭।

ବ୍ୟାସସୁତ ଶୁକ ତାଙ୍କର ଶିଷ୍ୟ ଗଉଡ଼ପାଦ,

ତାଙ୍କ ଶିଷ୍ୟ ଗୋବିନ୍ଦନାଥ ବେଦାନ୍ତବିଶାରଦ ।୧୮।

ସାଂଖ୍ୟର ପ୍ରକୃତି ପ୍ରଧାନ ବେଦାନ୍ତ ମାୟାବାଦ,

ସାମଞ୍ଜସ୍ୟ ମତ ଯାହାଙ୍କ ସେହିଟି ଗୌଡ଼ପାଦ ।୯।

ତାଙ୍କ ପଟ୍ଟଶିଷ୍ୟ ଗୋବିନ୍ଦନାଥ ସେ ତତ୍ତ୍ୱଜ୍ଞାନୀ,

ଅଧ୍ୟୟନ କାଳେ ଶଙ୍କର ଥିଲେ ଏହାଙ୍କୁ ଜାଣି ।୧୦।

ବରିଥିଲେ ଗୁରୁ ପଣରେ ଏହାଙ୍କୁ ଅନ୍ତର୍ଗତେ,

ମନରେ ଆନନ୍ଦ ଅଶେଷ ଆଶ୍ରମ ଉପଗତେ ।୧୧।

ଗୁହା ମଧ୍ୟେ ଯୋଗ-ଆସନେ ଗୋବିନ୍ଦନାଥ ସ୍ଥିତ,

ଦଣ୍ଡବତ ହୋଇ ନମିଲେ ଶଙ୍କର ଯଥୋଚିତ ।୧୨।

ଯୋଗୀବର ଧ୍ୟାନେ ଜାଣିଲେ ବିଶ୍ୱଗୁରୁ ଶଙ୍କର,

ନରଦେହ ଧରିଅଛନ୍ତି ଶିଷ୍ୟ ହେବେ ମୋହର ।୧୩।

ପୁନଃ ସଂସ୍ଥାପନ କରିବେ ବୈଦିକ ସନାତନ,

ଧନ୍ୟ ଆଜ ମୋର ଆଶ୍ରମ ଧନ୍ୟ ହେଲା ଜୀବନ।୧୪।

ପଚାରିଲେ ଗୁରୁ କିଏ ସେ ତୁମ୍ଭେ କାହୁଁ ଆସିଛ,

ଦଣ୍ଡକମଣ୍ଡଳୁ କୌପୀନ ଯତିବେଶ ବହିଛ ।୧୫।

ଶଙ୍କର ବୋଇଲେ ନୁହେଁ ମୁଁ କ୍ଷିତି ଆକାଶ ଜଳ,

ପଞ୍ଚଭୂତ କିଛି ନୁହେଁ, ମୁଁ ତେଜ ଅବା ଅନିଳ ।୧୬।

ମନ ଆଦି ଯେତେ ଇନ୍ଦ୍ରିୟ ମୁଁ ତା କିଛି ନୁହଇଁ,

ପରମ ଶିବ ମୁଁ ନିର୍ଲିପ୍ତ ପରମାତ୍ମା ଅଟଇ ।୧୭।

ତପୀବର କର କରୁଣା ଅଟେ ଶିଷ୍ୟ ତୁମ୍ଭର,

ବ୍ରହ୍ମଜ୍ଞାନ ଆଶେ ଆସିଛି ବାସନା ପୂର୍ଣ୍ଣକର ।୧୮।

ଭୋଦେବ ! ଅଟେ ପତଞ୍ଜଳି ଯୋଗୀଜନ ପ୍ରଧାନ,

ଶିଷ୍ୟ କରି କର କୃପାରେ ବ୍ରହ୍ମଜ୍ଞାନ ପ୍ରଦାନ ।୧୯।

ଅନନ୍ତଦେବ ଅବତାର ଶିବଲିଙ୍ଗ ଭୂଷଣ

ତତ୍ତ୍ୱଜ୍ଞାନ ଦାନେ ହରୁଛ ଧରଣୀର ଦୂଷଣ ।୨୦।

କ୍ଷମୀ ଅପରାଧ ମୋ ପରେ ହୁଅ ପ୍ରସନ୍ନମତି,

ଗୁରୁ କୃପା ବିଦା ଏ ଭବେ ନାହିଁ କାହାରି ଗତି ।୨୧।

ବ୍ରହ୍ମା ବିଷ୍ଣୁ ହର ପରମ ବ୍ରହ୍ମ ଅଟନ୍ତି ଗୁରୁ,

ପିତାମାତା ସ୍ୱାମୀ ସୋଦର ଗୁରୁ କଳପତରୁ ।୨୨।

କୃପା ପାରାବାର ଶ୍ରୀଗୁରୁ ଭବ ଅର୍ଣ୍ଣବତରି,

ଉଦ୍ଧର ଅଧମେ ଭୋଦେବ ! ବ୍ରହ୍ମଜ୍ଞାନ ବିତରି ।୨୩।

ଶିଷ୍ୟମୁଖୁ ଶୁଖି ଏମନ୍ତ ତତ୍ତ୍ୱ ତାର ବଚନ,

ବୋଇଲେ ବିଶ୍ରାମକର ହେ କରି ମନ ପ୍ରସନ୍ନ ।୨୪।

ବହୁ ଦୂର ପଥ ଆସିଛ ବାଳକ ସୁକୁମାର,

ଦିନ ଅବସାନ ହେଲାଣି ନିତ୍ୟକର୍ମକୁ ସାର ।୨୫।

ଗୁରୁଆଜ୍ଞା ପାଇ ଶଙ୍କର ମନୁ ତେଜିଲେ କ୍ଳେଶ,

ଗୁରୁପଦ ସେବି ଏକାନ୍ତେ କଲେ ରଜନୀ ଶେଷ ।୨୬।

ବ୍ରହ୍ମ ମୁହୂର୍ତ୍ତରେ ଭକ୍ତିରେ କରି ଗୁରୁ ସ୍ମରଣ,

ଶଯ୍ୟା ତେଜି ଶୌଚ ସ୍ନାନାଦି କରିଣ ସମାପନ ।୨୭।

ବନ୍ଦୀ ଶ୍ରୀ ଚରଣ ଗୁରୁଙ୍କ ଛାମୁରେ ଉପଗତ,

ଆଚରିଲେ ସେବାକର୍ମ୍ମକୁ ବିଧିରେ ଭୃତ୍ୟବତ ।୨୮।

ଯୋଗ୍ୟପାତ୍ର ପାଇ ଶ୍ରୀଗୁରୁ ଗୋବିନ୍ଦ ପୂଜ୍ୟ ପାଦ,

ବ୍ରହ୍ମଜ୍ଞାନତତ୍ତ୍ୱ ପ୍ରଦାନ କଲେ ହୋଇ ଆନନ୍ଦ ।୨୯।

ବିଧିରେ ସେବାରେ ଶଙ୍କର କରି ଗୁରୁ ପ୍ରସନ୍ନ,

ସିଦ୍ଧିକଲେ ଯୋଗୀ ସମାଧି ଦୃଢ଼େ କରି ପ୍ରଯତ୍ନ ।୩୦।

ସର୍ବଶାସ୍ତ୍ରେ ମହାପଣ୍ଡିତ ହେଲେ ଅଳ୍ପ ଦିନରେ,

ତତ୍ତ୍ୱମସି ମହାବାକ୍ୟ ଏ ଅଦ୍ୱଇତବାଦରେ ।୩୧।

ଏ ମୂଳମନ୍ତ୍ର ପ୍ରଚାରକ ଆଦ୍ୟରେ ବେଦବ୍ୟାସ,

ତାଙ୍କ ପୁତ୍ର ଶୁକ ତାଙ୍କର ଗଉଡ଼ପାଦଶିଷ୍ୟ ।୩୨।

ତାଙ୍କ ଶିଷ୍ୟ ଗୋବିନ୍ଦନାଥ ଏ ତତ୍ତ୍ୱ ଅଧିକାରୀ,

ଏ ତତ୍ତ୍ୱ ଲଭିଲେ ଶଙ୍କର ଗୁରୁ ପ୍ରସନ୍ନ କରି ।୩୩।

ବ୍ରହ୍ମୋପାସନାରେ ସତତ ହୋଇ ସମାଧିସ୍ଥିତ,

ଅଳପ ଦିନରେ ହୋଇଲେ ସୋଽହଂ ତତ୍ତ୍ୱବିଦିତ ।୩୪।

ଶିବ ଅବତାର ଶଙ୍କର ସର୍ବଜ୍ଞ ମହାଜ୍ଞାନୀ,

ତଥାପି ଜ୍ଞାନ ପ୍ରାପ୍ତ ହେଲେ ଗୋବିନ୍ଦେ ଗୁରୁ ମାନି ।୩୫।

ଗୁରୁ ବିନା ଜ୍ଞାନ ନ ହୁଏ କାହା ହୃଦରୁ ଜାତ,

ଗୁରୁ କୃପା ହେଲେ ମୂରୁଖେ ହୁଅନ୍ତି ସର୍ବଜ୍ଞାତ ।୩୬।

ସୁରାସୁର ନର କିଏ ସେ ନ ସେବି ଗୁରୁପାଦ,

ବ୍ରହ୍ମଜ୍ଞାନ ପ୍ରାପ୍ତ ହେବାର ଶୁଣାନାହିଁ ସଂବାଦ ।୩୭।

ଗୁରୁ କୃପାରୁ ଆତ୍ମଜ୍ଞାନ ଜ୍ଞାନରୁ ହୁଏ ମୁକ୍ତି,

ଜ୍ଞାନ ବିନା ମୁକ୍ତି ନୁହଇ କର ଯେ ଯେତେ ଯୁକ୍ତି ।୩୮।

 

ଦଶମ ଅଧ୍ୟୟ

ଶିକ୍ଷା-ସମାପ୍ତି

 

ଗୁରୁ ସେବି ଗୁରୁ ଆଶ୍ରମେ ସୁଖେ ରହି ଶଙ୍କର,

ବ୍ରହ୍ମବିଦ୍ୟା ଯୋଗ ଶାସ୍ତ୍ରରେ ସିଦ୍ଧ ହେଲେ ସତ୍ତ୍ୱର ।୧।

ଶିବ-ଅବତାର ଶଙ୍କର ସର୍ବଜ୍ଞ ଯୋଗେଶ୍ୱର,

ତଥାପି ସେବିଲେ ଶ୍ରୀ ଗୁରୁ ଗୋବିନ୍ଦଙ୍କ ପୟର ।୨।

ବର୍ଷାକାଳ ହେଲା ପ୍ରବେଶ ଆକାଶ ମେଘାଚ୍ଛନ୍ନ,

ପବନ ତାଣ୍ଡବ ସଙ୍ଗତେ ଜୀମୂତ ଗରଜନ ।୩।

ଘନ ଘନ କଳାମେଘରେ ବିଜୁଳିର ଚମକ,

ମୁଷଳ ଧାରରେ ବରଷା ଦର୍ଦ୍ଦୁର ମକ ମକ ମକ ।୪।

ଘୋର ଘଡ଼୍‌ ଘଡ଼ି ଶବଦେ ଖସିପଡ଼େ ଅଶନି,

ଭୟେ କମ୍ପମାନ ଆକାଶ ବନଗିରି ଧରଣୀ ।୫।

ଏମନ୍ତ ପ୍ରକୃତିର ଲୀଳା ଦିନେ ହେଲା ଭୀଷଣ,

ଫାଟିଯାଏ କର୍ଣ୍ଣ କୁହର ବ୍ୟଥିତ ଜୀବଗଣ ।୬।

ଏମନ୍ତ ସମୟେ ଶଙ୍କର ଦିନେକ ବ୍ରହ୍ମଧ୍ୟାନ,

କରି ବସିଛନ୍ତି ବିଲୁପ୍ତ ହୋଇଛି ବାହ୍ୟଜ୍ଞାନ ।୭।

ପ୍ରକୃତିର ଘୋର ତାଣ୍ଡବ ସେ ନ ଜାଣନ୍ତି କିଛି,

ନିର୍ବି କଳ୍ପ ସମାଧି ଯୋଗଚିତ୍ତ୍ୱ ବ୍ରହ୍ମେ ମିଶିଛି ।୮।

ଆବାଲ୍ୟରୁ ବ୍ରହ୍ମପିପାସୁ ଲଭି ବ୍ରହ୍ମେ-ଆଶ୍ୱାଦ,

ନିଶ୍ଚଳ ନୀରବ ଧିଆନ ନାହିଁ ଭୟ ପ୍ରମାଦ ।୯।

ତାଙ୍କ ସମାଧିକୁ ଭାଙ୍ଗିବା ନାହିଁ କାହା ଶକତି,

ଅଦ୍ୱୈତ ବ୍ରହ୍ମରେ ବିଲୀନ ସୋହଂ ରୂପେ ଅଛନ୍ତି ।୧୦।

ରବି-ଶଶି-ଗ୍ରହ-ନକ୍ଷତ୍ର-ମେଘତଡ଼ିତ ଆଦି,

କିଛି ନାହିଁ କେବଳ ବ୍ରହ୍ମ ନିର୍ବିକଳ୍ପ ସମାଧି ।୧୧।

ଏହି ସମାଧି ବିନା ଜୀବ ମୋକ୍ଷହୋଇ ନ ପାରେ,

ସିଦ୍ଧି ହୁଏ ଏହା କେବଳ ସଦ୍‌ଗୁରୁ କୃପାରେ ।୧୨।

ବ୍ରହ୍ମଜ୍ଞାନୀ ଯୋଗୀଶଙ୍କର କିଛି ଦିନ ଏପରି,

ରହିଲେ ଗୁରୁଆଶ୍ରମରେ ଯୋଗମାର୍ଗ ଆଚରି। ।୧୩।

ଏକ ସମୟରେ ପ୍ରବଳ ମେଘ ବର୍ଷିଲା ପାଣି,

ନଈ ବଢ଼ିକୂଳ ଡେଇଁଲା କାନ୍ଦିଲେ ଜନପ୍ରାଣୀ ।୧୪।

ଗ୍ରାମେ ଗ୍ରାମେ ଜଳ ପଶିଲା ଭାସିଗଲା ସମ୍ପଦ,

ଆର୍ତ୍ତନାଦ କଲେ ସକଳେ ଗ୍ରାସୀ ଗଲା ବିପଦ ।୧୫।

ସେହି ଇନ୍ଦ୍ର ଭବାନଦୀର ତୀରେ ଗୁରୁ-ଆଶ୍ରମ,

ବେଢ଼ିଗଲା ଜଳ ଆଶ୍ରମ ବୁଡ଼ିବା ଉପକ୍ରମ ।୧୬।

ସମାଧି ଆଚରି ଶ୍ରୀଗୁରୁ ବସିଛନ୍ତି ଆସନେ,

ଶଙ୍କର ଏମନ୍ତ ବିପତ୍ତି ଦେଖି ନିଜ ନୟନେ ।୧୭।

ପରଦୁଃଖେ ଦୁଃଖୀ ଦୟାର୍ଦ୍ର ହୃଦ ହୋଇ କାତର,

ଦୁଃଖୀକୁ ତାରିବା ନିମନ୍ତେ ବାହାରିଲେ ସତ୍ୱର ।୧୮।

ଭାଙ୍ଗିବ ଗୁରୁଙ୍କ ସମାଧି ବଢ଼ି ଆସୁଛି ଜଳ,

ଉଭୟ ଚିନ୍ତାରେ ମାନସ ହେଲା ଅତି ବିକଳ ।୧୯।

ସ୍ମରି ଗୁରୁମନ୍ତ୍ର କରକୁ କରି କୁମ୍ଭ ଆକୃତି

ନଦୀସ୍ରୋତ ମୂଖେ ଧଇଲେ ଯୋଗୀବର ଝଟତି ।୨୦।

ଧାଇଁ ଜଳରାଶି ସେ କରେ ପଶିଗଲା ଉଭେଇ,

ଶୁଖିଗଲା ନଦୀ ଆଶ୍ଚର୍ଯ୍ୟ ହେଲେ ଲୋକେ ଅନାଇଁ ।୨୧।

ଯୋଗବଳେ କିବା ଅସାଧ୍ୟ ଅଗ୍ରସ୍ତ୍ୟ ମହାୠଷି,

ସାତସମୁଦ୍ରକୁ ଚଳୁକେ ଦେଇଥିଲେ ତ ଶୋଷି ।୨୧।

ବାଳଯୋଗୀବର ଶଙ୍କର ପ୍ରବଳ ନଦୀଜଳ,

କର କୁମ୍ଭେ ଭରି ରଖିଲେ ଧନ୍ୟ ଯୋଗର ବଳ ।୨୩।

ସମାଧି ଯୋଗ ତ୍ୟାଗକରି ଗୁରୁ ବସି ଆସନେ,

ଶିଷ୍ୟର ଏମନ୍ତ କୃତିକୁ ଦେଖି ହରଷ ମନେ ।୨୪।

ପୁଚ୍ଛିଲେ ନଦୀର ଏ ଗତି ହୋଇଅଛି କିପାଁଇ,

ବୋଇଲେ ଭୋଦେବ ! ସମାଧି ଭଙ୍ଗ ନ ହେବା ପାଇଁ ।୨୫।

ଲଙ୍ଘିକୁଳ ଗ୍ରାମ ଆଶ୍ରମ ବୁଡ଼ାଇଲା ଗରଜି,

ଜନପ୍ରାଣୀଙ୍କୁ କନ୍ଦାଇଲା ଦୟାମାୟା ବରଜି ।୨୬।

ତେଣୁ ବନ୍ଦି କରି ରଖିଛି କ୍ଷମ ମୋ ଅପରାଧ,

ଅପରାଧ ଏ ନୁହେ ତୁମ୍ଭ ସାଧିଅଛ ଅସାଧ ।୨୭।

ମୁକ୍ତକର ଏବେ ବହନ ଜଳଚର ନିଶ୍ଚୟ,

ଜଳ ବିନା ପ୍ରାଣେ ଯାତନା ଲଭନ୍ତି ଅତିଶୟ ।୨୮।

ଆଜ୍ଞା ମାତ୍ରେ ଧୀର ଗଭୀର ଧାରେ ବହିଲା ନଦୀ,

ଶ୍ରୀଗୁରୁ ଜାଣିଲେ ଶଙ୍କର ହେଲେ ଯୋଗରେ ସିଦ୍ଧି ।୨୯।

ଆନନ୍ଦରେ ପାଶେ ବସାଇ ବୋଲନ୍ତି ତପୋଧନ,

ହେ ବତ୍ସ ! ତୁମ୍ଭ ଶିକ୍ଷା ଶେଷ ଦେଖି ହେଲି ପ୍ରସନ୍ନ ।୩୦।

 

ଏକାଦଶ ଅଧ୍ୟାୟ

ଗୁରୁ-ଆଶ୍ରମରୁ କାଶୀଯାତ୍ରା

 

ଭୃତ୍ୟବତ୍‌ ଗୁରୁସେବାରେ ଖଟିଥାଆନ୍ତି ଯତି,

ଦିନୁ ଦିନ ଗୁରୁଙ୍କ ମନ ହେଲା ପ୍ରସନ୍ନ ଅତି ।୧।

ବରଷାକାଳ ଗତହେଲା ପରବେଶ ଶରଦ,

ଶୀତଳ ସୁଗନ୍ଧ ପବନ ଜନମନ ଆନନ୍ଦ ।୨।

ତଟିନୀ ତଡ଼ାଗ ନିର୍ମ୍ମଳ ସଲିଳ ବିତରିଲେ,

କମଳ କୁମୁଦ ବକଶି ସରସୀରେ ଖେଳିଲେ ।୩।

ନିର୍ମ୍ମଳ ଆକାଶେ ବରଷେ ପୀୟୁଷ ସୁଧାକର,

ଜନପ୍ରାଣୀ ମନ ଆନନ୍ଦ ନାହିଁ ନୀର କାକର ।୪।

ନାନା କୁସୁମରେ ସୁବେଶ ରଚିଲେ ଧରାରାଣୀ,

ଚଷା ଚାଷ ଦେଖି ଆନନ୍ଦେ କ୍ଷେତେ ସମ୍ଭାଳେ ପାଣି ।୫।

ଯୋଗୀ ବ୍ରହ୍ମଜ୍ଞାନୀ ଆସନ ପ୍ରାଣାୟାମ ସମାଧି,

ଆଚରି ଦେଖନ୍ତି ବ୍ରହ୍ମଙ୍କୁ ଅଷ୍ଟାଙ୍ଗଯୋଗ ସାଧି ।୬।

ସ୍ନାନ ସାରି ପ୍ରକୃତିଦେବୀ ପିନ୍ଧି ନୀଳବସନ,

ଖେଳାନ୍ତି ସନ୍ତାନେ ଆଶ୍ୱାସି ହସହସ ବଦନ ।୭।

ଏମନ୍ତ ସମୟେ ଶ୍ରୀଗୁରୁ ହୋଇ ଅତି ପ୍ରସନ୍ନ,

ଶିଷ୍ୟକୁ ନିକଟେ ବସାଇ ବୋଲନ୍ତି ଏ ବଚନ ।୮।

ଶିକ୍ଷା ଶେଷ ହେଲା ତୁମ୍ଭର ନିର୍ମ୍ମଳ ବ୍ରହ୍ମଜ୍ଞାନ,

ହୃଦୟରେ ପରମତତ୍ତ୍ୱ ଅଦ୍ୱୈତ ବିଦ୍ୟମାନ ।୯।

ଏବେ ଭବ-ଘୋର-ଯନ୍ତ୍ରଣା-ପ୍ରପୀଡ଼ିତ ମାନବ,

ଦୁଃଖେ ହୋଇ ଦୁଃଖୀ ଉଦ୍ଧାର କର ତାହାଙ୍କୁ ଯବ ।୧୦।

ଯାଅ ବାଗଣସା ଧାମକୁ ଯହିଁ ବିଶ୍ୱଇଶ୍ୱର,

ଜୀବମୁକ୍ତିପଥ ଦେଖାଅ ପାଷଣ୍ଡେ ଅଗୋଚର ।୧୧।

ବିରାଟ ଯଜ୍ଞ ଅନୁଷ୍ଠାନ ହିମାଚଳ ଶିଖରେ,

କରିଥିଲେ ଅତ୍ରୀ ମହର୍ଷି ଏକ ପୂର୍ବକାଳରେ ।୧୨।

ସୁନି ଋଷି ମଦି ସକଳେ ଇନ୍ଦ୍ରାଦି ଦେବଗଣେ,

ମିଳିଥିଲେ ସର୍ବେ ସେଠାରେ ଯଜ୍ଞର ନିମନ୍ତ୍ରଣେ ।୧୩।

ଚିହିଁ ସେହି ଦେବସଭାରେ ବ୍ୟାସଦେବ ତାଙ୍କର,

ରଚିତ ବ୍ରହ୍ମସୂତ୍ର ଗୋଟି କହୁଥିଲେ ସୁନ୍ଦର ।୧୪।

ମୁଁ ତାଙ୍କୁ ବୋଇଲି ଭୋଦେବ ବିଶ୍ୱ ହିତେ ଆପଣ,

ବେଦକୁ କରିଛି ବିଭାଗ ଲେଖିଅଛ ପୁରାଣ ।୧୫।

ଅଷ୍ଟାଦଶ ମହାପୁରାଣ ମହାଭାରତ ଆଦି,

ଯୋଗ ଶାସ୍ତ୍ର ବ୍ୟାଖ୍ୟା କରିଛ କଠୋର ତପ ସାଧି ।୧୬।

ରଚିଅଛ ବ୍ରହ୍ମସୂତ୍ର ଏ ଏହା ପ୍ରକୃତ ମର୍ମ୍ମ,

ଜ୍ଞାନୀ ହେବା ଲୋକ ପକ୍ଷରେ ନୁହେ ସହଜ କର୍ମ୍ମ ।୧୭।

ଏଣୁ ଏହାର ଭାଷ୍ୟ ଏକ ଦେବ ପ୍ରକାଶ କର,

ଦୁର୍ବୋଧ୍ୟ ହୋଇଲେ ସୁବୋଧ ବୁଝିବେ ସବୁ ନର ।୧୮।

ଶୁଣି ଦେବ ହୋଇଲେ ବତ୍ସ କହିଲ ସତ,

ଶିବଙ୍କ ସଭାରେ ଏ କଥା ହୋଇଅଛି ସମ୍ମତ ।୧୯।

ମୋ ପରି ସର୍ବଜ୍ଞ ପଣ୍ଡିତ ଜଣେ ଶିଷ୍ୟ ତୁମ୍ଭର,

ରଚିବେ ଏ ବ୍ରହ୍ମସୂତ୍ରର ଭାଷ୍ୟ ଅତି ସୁନ୍ଦର ।୨୦।

ଶିବ-ଅବତାର ବହିବେ ନାମ ଶଙ୍କରାଚାର୍ଯ୍ୟ,

ତୁମ୍ଭ ଶିଷ୍ୟ ହୋଇ ସାଧିବେ ବିଶ୍ୱର ହିତ କାର୍ଯ୍ୟ ।୨୧।

ତୁମ୍ଭେ ସେହି ଦେବାଧି ଦେବ ଅବତାର ଶଙ୍କର,

ଧନୀ ହୋଇଛି ମୁଁ ନିଶ୍ଚୟ ଗୁରୁ ତୁମ୍ଭର ।୨୨।

ଏବେ ଯାଅ କାଶୀଧାମକକୁ ପ୍ରକାଶ ନିଜ ଶକ୍ତି,

ବ୍ରହ୍ମସୂତ୍ର ଭାଷ୍ୟ ବିରଚି ଦିଅ ଜୀବଙ୍କୁ ମୁକ୍ତି ।୨୩।

ବିଶ୍ୱମାନବର କଲ୍ୟାଣ ବେଗେ କର ସାଧନ,

ହିନ୍ଦୁ ଧରମକୁ ଉଦ୍ଧାର କର ଯେ ସନାତନ ।୨୪।

ଅଦ୍ୱୈତବାଦର ମହିମା ହେଉ ବିଶ୍ୱେ ଘୋଷିତ,

ଜ୍ଞାନଗରିମାରେ ବିଶ୍ୱକୁ କର ସୁଆଲୋକିତ ।୨୫।

ପାଷଣ୍ଡ ନାସ୍ତିକ ମତ ଯେ ତାହା କର ଖଣ୍ଡନ,

ସାର ବ୍ରହ୍ମତତ୍ତ୍ୱ ଅଦ୍ୱୈତବାଦ କର ସ୍ଥାପନ ।୨୬।

ଶିରେ ଧରି ଗୁରୁବଚନ ନମି ଗୁରୁପୟର,

କାଶୀଧାମକୁ ଯାତ୍ରାକଲେ ନବ ଯତି ଶଙ୍କର ।୨୭।

 

ଦ୍ୱାଦଶ ଅଧ୍ୟାୟ

କାଶୀକ୍ଷେତ୍ରରେ ସ୍ୱପ୍ରତିଭା ପ୍ରକାଶ

 

ପତିତପାବନୀ ଜାହ୍ନବୀ ତୀରେ ଭୂସ୍ୱର୍ଗ-କାଶୀ,

ଅନ୍ନପୂର୍ଣ୍ଣା ସଙ୍ଗେ ବିଜୟେ ଦେବ କୈଳାଶବାସୀ ।୧।

କାଶୀ ପୁଣ୍ୟତୀର୍ଥ ମାହାତ୍ମ୍ୟ ପୁରାଣେ ଗାଇଛନ୍ତି,

ମହାପାପୀ ତାପୀ ମାନବ ତହିଁ ମୋକ୍ଷଲଭନ୍ତି ।୨।

ଦେବାଦେବୀ ମୁନିଋଷିଙ୍କ ସଙ୍ଗେ ଭବ ଭବାନୀ,

ବିରାଜିତ ସଦା ମାନବେ ହୋଇ କୈବଲ୍ୟ ଦାନୀ ।୩।

ଜ୍ଞାନୀ ସୁପଣ୍ଡିତ ଧର୍ମଜ୍ଞ ନରେ କ୍ଷେତ୍ର ଶୋଭନ,

ମର୍ତ୍ତ୍ୟେ ଶିବଲୋକ ପ୍ରସିଦ୍ଧ ସେବନ୍ତି ସୁରଗଣ ।୪।

ତହିଁ ଯତୀବର ଶଙ୍କର ଯାଇ ହେଲେ ପ୍ରବେଶ,

ଗଙ୍ଗାକାଶୀକ୍ଷେତ୍ର ମାହାତ୍ମ୍ୟ ଜ୍ଞାତହେଲେ ବିଶେଷ ।୫।

କାଶୀପଞ୍ଚକ ସ୍ତୋତ୍ର ତହିଁ ଆଦ୍ୟରେ ବିରଚିଲେ,

ହରଗଉରୀ ପାଦେ ମନ ରଖି ଦିନ ବଞ୍ଚିଲେ ।୬।

ଜ୍ଞାନୀବର ଜ୍ଞାନଗରିମା ଲୋକେ ହେଲା ପ୍ରଚାର

ଦରଶନ ଆଶେ ମିଳିଲେ ଜ୍ଞାନୀଜନ ଅପାର ।୭।

ଧର୍ମ୍ମ ଚର୍ଚ୍ଚା ଯୋଗସାଧନା ବସି କରନ୍ତି ନିତି,

ବହୁ ଜ୍ଞାନୀ ଜନେ ଦର୍ଶନେ ନାଶନ୍ତି ଭବଭୀତି ।୮।

ବହୁ ଶିଷ୍ୟ ହେଲେ ଭକ୍ତିରେ ପୂଜାକରି ଶ୍ରୀପଦ,

ଶାସ୍ତ୍ର ଉପଦେଶ ଶ୍ରବଣେ ନାଶି ଭ୍ରମ ପ୍ରମାଦ ।୯।

ଶଙ୍କର ସ୍ୱରୂପ ଶଙ୍କର ଶୁଭ୍ର ଉଜ୍ଜ୍ୱଳ କାନ୍ତି,

ପ୍ରଦୀପ୍ତ ଅନଳ ସଦୃଶ ବେନି ନୟନ ଜ୍ୟୋତି ।୧୦।

ଶାନ୍ତସୌମ୍ୟ ମୂର୍ତ୍ତି ସ୍ୱଭାବ ଅତି ଧୀର କୋମଳ,

ଭାଷାର ଝରଇ ଅମୃତ ହୃଦକ୍ଷେତ୍ର ସରଳ ।୧୧।

ଲୋକ ବ୍ୟବହାରେ ମଧୁର ଭାବ ହୁଏ ପ୍ରକାଶ,

ଦେଖି ସର୍ବେ ବଶ ହୁଅନ୍ତି ମନେ ନ ରଖି ତ୍ରାସ ।୧୨।

ଦୂରଦୂରାନ୍ତରେ ସୁଖ୍ୟାତି ଲୋକେ ହେଲା ପ୍ରଚାର,

ବ୍ରହ୍ମଜ୍ଞାନୀ ଅଦ୍ୱୈତବାଦୀ ଶିବଙ୍କ ଅବତାର ।୧୩।

ସୁଜ୍ଞାନୀ ପଣ୍ଡିତେ ମିଳିଲେ ବହୁ ଦୂର ଦେଶରୁ,

ଲଭି ଉପଦେଶ ତେଜିଲେ ସବୁ ଶଙ୍କା ମନରୁ ।୧୪।

ପାଣ୍ଡିତ୍ୟ ପ୍ରତିଭା ପ୍ରକାଶ ହୋଇଲା ଅଲୌକିକ,

ବ୍ରହ୍ମଜ୍ଞାନୀ ଯୋଗବଳରେ ପୂଜ୍ୟ ହେଲେ ଅଧିକ ।୧୫।

ଏମନ୍ତେ ରହି ଗଙ୍ଗାତୀରେ ଧ୍ୟାୟୀ ଶଙ୍କରପଦ,

ସର୍ବଜ୍ଞ ହୋଇ ସିଦ୍ଧକଲେ ମହାଯୋଗ ସମ୍ପଦ ।୧୬।

ଏକାଳେ ବ୍ରାହ୍ମଣ ଯୁବକ ଏକ ସୌମ୍ୟ ମୂରତି ।

ସକଳ ବେଦରେ ପାରଗ ଭେଟିଗଲେ ପ୍ରଣତି ।୧୭।

ନିରେଖି ସ୍ନେହ-ସମାଦରେ ରଖି ମସ୍ତକେ କର,

ଆଶ୍ରୀର୍ବାଦ କରି ବସାଇ ପଚାରନ୍ତି ଶଙ୍କର ।୧୮।

କିଏ ତୁମ୍ଭେ ବିପ୍ରକୁମାର ଆସିଅଛ କି ଆଶେ,

କାହିଁ ନିବାସ ବିଦ୍ୟାବୁଦ୍ଧି ମୁଖକାନ୍ତି ପ୍ରକାଶେ ।୧୯।

ବିନୟୀ ବ୍ରାହ୍ମଣକୁମାର କହିଲେ, ଯୋଡ଼ି କର,

‘‘ପ୍ରଭୋ ! କାବେରୀ ନଦୀତୀରେ ଚୋଳଦେଶ ମୋହର ।୨୦।

ବୁଲି ନାନା ଦେଶ ଆସିଛି ବାର୍ତ୍ତା ପାଇ ଛାମୁରେ,

ବ୍ରହ୍ମଜ୍ଞାନଦାନେ ବିତର କୃପା ଦୀନ ଆତୁରେ ।୨୧।

ଦୟାସିନ୍ଧୁ ପ୍ରଭୁ ଆପଣ ଅଧମକୁ ଉଦ୍ଧାର,

ଅଦୈତ-ବ୍ରହ୍ମଜ୍ଞାନ ଦାନେ ହୋଇଛ ଅବତାର ।୨୨।

ସେ ଜ୍ଞାନ ଯେ ଜନ ଲଭିଛି ତାକୁ ତୁଚ୍ଛ ସଂସାର,

ଶିବ-ବହ୍ମଲୋକ ପର୍ଯ୍ୟନ୍ତେ ବାଞ୍ଛା ନ ରହେ ତାର ।୨୩।

ସର୍ବଜ୍ଞ ହେ ଅନ୍ତରଯାମି ! ଦେଖ କୃପା ନୟନେ,

ଆସିଛି ଅଧମ ଉଦ୍ଧାର ହେବା ପାଇଁ ଜୀବନେ ।’’ ୨୪।

ତେଜପୁଞ୍ଜ ଦିହେ ଝଟକେ ମୁଖମଣ୍ଡଳେ ଜ୍ୟୋତି,

ଦେଖି ଶୁଣି ସାର ବଚନେ ରୁହ ବୋଲନ୍ତି ଯତି ।୨୫।

ବତ୍ସ ହେଲେ ଶିଷ୍ୟ ପୂରିବ ତୁମ୍ଭ ମନବାସନା,

କର ବ୍ରହ୍ମଜ୍ଞାନ ଅର୍ଜନ ଦୃଢ଼େ କର ସାଧନା ।୨୬।

ସନନ୍ଦନ ନାମ ଏହାଙ୍କ ହେଲେ ଶିଷ୍ୟ ପ୍ରଧାନ,

ତହୁଁ କ୍ରମେ କ୍ରମେ ମିଳିଲେ ଅନ୍ୟାନ୍ୟ ଶିଷ୍ୟଗଣ ।୨୭।

ଚିତ୍‌ ସୁଖାଦି ଆନନ୍ଦଗିରି ଶିଷ୍ୟପଣେ ଖଟିଳେ,

ଜ୍ଞାନନଗରୀ କାଶୀକ୍ଷେତ୍ରେ ବହୁ ଶିଷ୍ୟ ଜୁଟିଲେ ।୨୮।

ଦିନେକ ମଧ୍ୟାହ୍ନ ସ୍ନାହାନ ସାରି ଶିଷ୍ୟ ସଙ୍ଗତେ,

ମଣିକର୍ଣ୍ଣିକାରୁ ଫେରନ୍ତି ହରମନ୍ଦିର ପଥେ ।୧୯।

ଚଣ୍ଡାଳ ଜଣେକ ସଙ୍ଗକେ ଘେନି ଚାରି କୁକ୍‌କୁର,

ପଥ ଅବରୋଧି ବସିଛି ଦେଖି ଭାଷି ଶଙ୍କର ।୩୦।

ଅସ୍ପଶ୍ୟ ଚଣ୍ଡାଳ ଅଟୁରେ ପୁଣି କୁକ୍‌କୁର-ମେଳ,

ଦୂରେ ଯାଅ ଯିବି ଦର୍ଶନେ ଗଡ଼ିଯାଉଛି ବେଳ ।୩୧।

ଶୁଣି ଅଳ୍ପ ହସି ଚଣ୍ଡାଳ ତାଙ୍କୁ ନ ଛାଡ଼ି ବାଟ,

ବୋଇଲା ହେ ଅହେ ତବାଦୀ ସନ୍ନ୍ୟାସୀ ଯୋଗୀରାଟ ।୩୨।

ଜାଣ ତୁମେ ବେଦାନ୍ତ ବାକ୍ୟ ‘ଏକ ମେବା ଦ୍ୱିତୀୟ’,

ଭେଦାଭେଦ ନାହିଁ ଏକ ସେ ଅଖଣ୍ଡ ଅଦ୍ୱିତୀୟ ।୩୩।

ଦେହୀ ଦେହ ଛାଡ଼ି କେମନ୍ତେ ଦୂରେ ଯାଇପାରିବ,

ସଚ୍ଚିଦାନନ୍ଦ ଘନବ୍ରହ୍ମ ସବୁ ଦେହେ ଜାଗିବ । ୩୪।

ଯତିବର ଦେଖ ତୁମ୍ଭର ଦେହ ଭିତରେ ଯିଏ,

ମୋ ଦେହ ଭିତରେ ଅଭିନ୍ନ ବିରାଜୁଛନ୍ତି ସିଏ ।୩୫।

ଏକାତ୍ମା ସର୍ବବ୍ୟାପୀ ଆତ୍ମା ମଧ୍ୟେ ଭେଦ-କଳ୍ପନ,

ବ୍ରାହ୍ମଣ-ଚଣ୍ଡାଳ ଏମନ୍ତ କରୁଅଛ ଗଣନା ।୩୬।

ସୂର୍ଯ୍ୟ ପ୍ରତିବିମ୍ବ ସୁରାରେ ଅବା ଗଙ୍ଗାନୀରରେ,

ଯହିଁ ପଡ଼ିଲେ ସେ ଏକଇ ସୂର୍ଯ୍ୟ ବିଶ୍ୱରୂପରେ ।୩୭।

ଅନନ୍ତ ଅବ୍ୟକ୍ତ ଅଚିନ୍ତ୍ୟ ଅନାଦି ପରଂବ୍ରହ୍ମ,

ସର୍ବଭୂତେ ପରିବ୍ୟାପ୍ତ ସେ ତୁମ୍ଭେ ଦେଖିବା କ୍ଷମ ।୩୮।

ଲୋକାଚାର ଭୟେ କେବଳ ବହିଛ ଅଭିମାନ,

ଅଦ୍ୱୈତବାଦୀ ହେ ବେଦଜ୍ଞ ଏ କେଉଁ ବ୍ରହ୍ମଜ୍ଞାନ ? ୩୯।

ଶୁଚିମନ୍ତ ତୁମ୍ଭେ ବ୍ରାହ୍ମଣ ମୁଁ ଅସ୍ପୃଶ୍ୟ ଚଣ୍ଡାଳ,

ଅପବିତ୍ର ହେବ ଛୁଇଁଲେ କରୁଅଛ କଟାଳ ।୪୦।

ଏପରି ଭେଦଜ୍ଞାନ ନେଇ ତୁମ୍ଭେ ବିଶ୍ୱକଲ୍ୟାଣ,

କେମନ୍ତେ ସାଧିବ ଏକ ହିଁ କୋଟି ବିଶ୍ୱ ମାଣ । ୪୧।

ସେ ମଣି ପରାଶେ ପାରେ କି ରହି ଶୁଚି ଅଶୁଚି,

ପଞ୍ଚଭୂତ ମାୟା ଜଗତ ନାନାରୂପେ ଦିଶୁଛି ।୪୨।

ଅହଂକାର ଅଭିମାନରୁ ହୋଇଛି ଲୋକାଚାର,

ତତ୍ତ୍ୱଜ୍ଞାନୀ ଯୋଗୀ ବେଦଜ୍ଞ ତୁମ୍ଭ ଏ ବ୍ୟବହାର । ୪୩।

ଚଣ୍ଡାଳମୁଖରୁ ଏମନ୍ତ, ଶୁଣି ତତ୍ତ୍ୱ ବଚନ,

ଜ୍ଞାନୀବର ତାଙ୍କୁ ବୋଇଲେ ହୋଇ ଲଜ୍ଜିତ ମନ ।୪୪।

ଆହେ ତତ୍ତ୍ୱଜ୍ଞାନୀ କହିଲ ଯାହା ଅଟଇ ସତ,

ମୋହାଚ୍ଛନ୍ନ ମୁହିଁ ହୋଇଛି ଆତ୍ମଜ୍ଞାନ-ବିସ୍ମୃତ ।୪୫।

ତତ୍ତ୍ୱଜ୍ଞାନ ସାର ବଚନ ଶୁଣି ତୁମ୍ଭ ମୁଖରୁ,

ଜାଣିଲି ଦେବତାଦର୍ଶନ ଦେଲ କୃପାବଶରୁ ।୪୬।

ଭ୍ରମ ଦୂରକଲ ଦେଖଇ ସତ୍ୟ ଦୋଷ ମୋହର,

ଅହେତୁକ ଦୟା ବନ୍ଦଇ ଗୁରୁ ତୁମ୍ଭ ପୟର ।୪୭।

କିଏ ଦେବ ଶିକ୍ଷା ଦେବାକୁ ମୋତେ ଦେଲ ଦର୍ଶନ,

ସ୍ୱରୂପ ପ୍ରକାଶି କୃତାର୍ଥ କର ହୋଇ ପ୍ରସନ୍ନ ।୪୮।

ଏମନ୍ତ ବିନୟେ ବୋଲନ୍ତେ ହେଲେ ସେ ଅନ୍ତର୍ଦ୍ଧାନ,

ସ୍ୱୟଂ ବିଶ୍ୱନାଥ ସମ୍ମୁଖେ ହୋଇଲେ ବିଦ୍ୟମାନ । ୪୯।

ଚାରିବେଦ ଚାରି କୁକୁର ଚାରି କରେ ଶୋଭିଲେ,

ଦେଖି ଶଙ୍କର ବେଦସାର ଶିବସ୍ତୋତ୍ର ଗାଇଲେ ।୫୦।

ସ୍ତବ ଶୁଣି ଶିବ ପ୍ରସନ୍ନ ହୋଇ ବୋଇଲେ ଧୀରେ,

ବତ୍ସ ବ୍ରହ୍ମବିଦ୍ୟାପ୍ରଭାବେ ପୂଜ୍ୟହେବ ମହୀରେ ।୫୧।

ବ୍ରହ୍ମସୂତ୍ର ଉଷ୍ୟ ରଚିବା ଏକା ତୁମ୍ଭେ ସମର୍ଥ,

ବେଦ ବେଦାନ୍ତର ଜାଣିଛ ତୁମ୍ଭେ ପ୍ରକୃତ ଅର୍ଥ ।୫୨।

ଚାରି ବେଦ ଉପନିଷଦ ଭାଷ୍ୟ କରି ପ୍ରଚାର,

ନାନା ମତକରି ଖଣ୍ଡନ ଲୋକଭ୍ରମ ନିବାର ।୫୩।

ଅଦ୍ୱୈତବାଦର ମହିମା ଲୋକେ ପଚାରକର,

ବ୍ରହ୍ମସତ୍ର ଭାଷ୍ୟ ଲଭିବ ସୁରନଚେ ଆଦର ।୫୪।

ଅଦ୍ୱିତୀୟ ତୁମ୍ଭ ପ୍ରତିଭା ହେ ନିଷ୍ଠାପରାୟଣ,

ଯଥାର୍ଥ ବେଦୋକ୍ତ ମାର୍ଗରେ କର ମାନବେ ପ୍ରାଣ ।୫୫।

ସନାତନ ବୈଦିକ ଧର୍ମ୍ମ ପୁଣି ଉଦ୍ଧାର କରି,

ବିଲୀନ ହେବ ମୋ ଶରୀରେ ମୋକ୍ଷପଦକୁ ବରି ।୫୬।

ଏମନ୍ତ କହି ମହାଦେବ ଅନ୍ତର୍ଦ୍ଧାନ ହୋଇଲେ,

ବିସ୍ମୟହୋଇ ଶ୍ରୀଶଙ୍କର ଶିଷ୍ୟ ସଙ୍ଗା ଗମିଲେ । ୫୭।

ନିତ୍ୟକର୍ମ୍ମ ସାରି ପରମ ବ୍ରହ୍ମେ ଲଗାଇ ମନ,

ସମାଧି ଆଚରି ବସିଲେ ଗଙ୍ଗାତୀରେ ଆସନ ।୫୮।

ଏମନ୍ତ ଘଟନା ଅନେକ ଘଟିଛି କାଶୀକ୍ଷେତ୍ରେ,

ଶିଷ୍ୟଗଣ ହେଲେ ସ୍ତମ୍ଭିତ ତାହା ଦେଖି ସ୍ୱନେତ୍ରେ । ୫୯।

ଧର୍ମ୍ମ ଉଦ୍ଧାରିବା ସକାଶେ ଯେ ଶରୀର ଧରନ୍ତି,

ସେ ପରମବ୍ରହ୍ମ ଶଙ୍କର ନରଲୀଳା କରନ୍ତି ।୬୦।

 

Unknown

ତ୍ରୟୋଦଶ ଅଧ୍ୟାୟ

ଭାଷ୍ୟ-ପ୍ରଣୟନ ଓ ପଦ୍ମପାଦ-ଉପାଖ୍ୟାନ

 

ଶଙ୍କର ଆଦେଶେ ଶଙ୍କର ମନ ହେଲା ଉଦବେଗ,

ବ୍ରହ୍ମସୂତ୍ର ଭାଷ୍ୟ ଲେଖିବେ କାହିଁ କିପରି ବେଗ ।୧।

ଛାଡ଼ି ବାରାଣସୀ ଉତ୍ତରମୁଖେ କଲେ ଗମନ,

ଶିଷ୍ୟଗଣ ସଙ୍ଗେ କରନ୍ତି ନାନା ସ୍ଥାନ ଦର୍ଶନ ।୨।

ହିମାଳୟ ପାଦଦଶରେ ଯାଇ ହେଲେ ପ୍ରବେଶ,

ପାରିହେଲେ ହରଦ୍ୱାରକୁ ଦେଖିଲେ ହୃଷୀକେଶ ।୩।

ତ୍ରି ତାପନାଶିନୀ ଜାହ୍ନବୀ ଶୁଦ୍ଧ ନିର୍ମ୍ମଳ ଧାର,

ସ୍ନାନେ ପାନେ ହୋଇ ସନ୍ତୋଷ ହେଲେ ସେ ସ୍ଥାନୁ ପାର ।୪।

ଦୁର୍ଗମ ଦୂରଗିରି ପଥ କରିଣ ଅତିକ୍ରମ,

ଶିଷ୍ୟ ସଙ୍ଗେ ହେଲେ ପ୍ରବେଶ ବଦରିକା ଆଶ୍ରମ ।୫।

ବ୍ୟାସଦେବଙ୍କର ଆଶ୍ରମ ପୁଣ୍ୟତୀର୍ଥ ପ୍ରସିଦ୍ଧ,

ତପସ୍ୟାରେ ରତ ସେଠାରେ ମୁନିଋଷିଏ ସିଦ୍ଧ ।୬।

ଗିରିକନ୍ଦର ସୁଶୋଭିତ ନିର୍ଜନ ଶାନ୍ତିମୟ,

ବ୍ରହ୍ମଜ୍ଞାନୀ ଯୋଗୀଦେବତାମାନଙ୍କର ଆଳୟ।୭।

ତହିଁ ଏକ ଗୁହା ମଧ୍ୟରେ କରି ଦୃଢ଼ ଆସନ,

ବ୍ରହ୍ମସୂତ୍ର ଭାଷ୍ୟ ଲେଖିଲେ ଶଙ୍କର ତପୋଧନ ।୮।

ଉପନିଷଦମାନଙ୍କର ଭାଷ୍ୟମାନ ଲେଖିଲେ,

ଅଧ୍ୟାତ୍ମ ବହୁ ଗ୍ରନ୍ଥରାଜି ସେଠାରେ ବିରଚିଲେ ।୯।

ଦେବ-ମୁନି-ଋଷି ସଙ୍ଗତେ ନିତି ହୁଅନ୍ତି ମେଳ,

ବେଦଶାସ୍ତ୍ର ଆଲୋଚନାରେ ସୁଖେ କଟାନ୍ତି କାଳ ।୧୦।

ଏମନ୍ତେ ରହି କିଛି କାଳ କାମନା ସିଦ୍ଧ କରି ।

ବାହୁଡ଼ିଲେ ପୁଣି କାଶୀକୁ ଶିଷ୍ୟ ସଙ୍ଗତେ ଧରି ।୧୧।

ଯୋଗଜ୍ଞାନ ତତ୍ତ୍ୱଦର୍ଶନେ ତହିଁ ସୁସିଦ୍ଧ ହୋଇ,

ଗଙ୍ଗାକୂଳେ ହେଲେ ପ୍ରବେଶ ଅମୂଲ୍ୟ ଶାସ୍ତ୍ର ନେଇ । ୧୨।

ଜାଣିବା ମାତ୍ରକେ ସୁଜ୍ଞାନୀ ପଣ୍ଡିତେ ହେଲେ ଠୁଳ,

ବ୍ରହ୍ମସୂତ୍ର ଭାଷ୍ୟ ଶୁଣିବା ପାଇଁ ସର୍ବେ ବ୍ୟାକୁଳ ।୧୩।

ଶିଷ୍ୟମାନଙ୍କୁ ସ୍ନେହକରି କରନ୍ତି ଶିକ୍ଷାଦାନ,

ସନନ୍ଦନ ଆଦି ଜ୍ଞାନୀକୁ ବ୍ରହ୍ମସୂତ୍ର ବ୍ୟାଖ୍ୟାନ ।୧୪।

ସକଳେ ମଣିଲେ କୃତାର୍ଥ ଲଭି ଦୁର୍ଲ୍ଲଭ ଜ୍ଞାନ,

ବହୁ ପଣ୍ଡିତ ସମାଗମ ଶୁଣିବାକୁ ବ୍ୟାଖ୍ୟାନ ।୧୫।

ସନନ୍ଦନ ଭକ୍ତିସେବାରେ ସଦା ହୋଇ ପ୍ରସନ୍ନ,

କରାଇଲେ ବ୍ରହ୍ମସୂତ୍ରକୁ ତ୍ରିବାର ଅଧ୍ୟୟନ ।୧୬।

ଆନ ଶିଷ୍ୟମାନେ ମନରେ ଈର୍ଷା ଭାବ ବହିଲେ,

ଗୁରୁସ୍ନେହ ତାଙ୍କୁ ଅଧିକ ଏମନ୍ତ ବିଚାରିଲେ ।୧୭।

ଜାଣିଲେ ଶଙ୍କର ତାଙ୍କର ଏହି ମନର ଭ୍ରାନ୍ତି,

ନିବାରିବା ପାଇଁ ଦିନେକ ଦେଖାଇଲେ ତା ଭକ୍ତି ।

ଦିନେ ସନନ୍ଦନ ନାଆରେ ଗଲେ ଗଙ୍ଗା ସେପାରି,

ପୂଜା ପାଇଁ ଫୁଲ ଆଣିବେ ଏହା ମନେ ବିଚାରି ।୧୯।

କୂଳେ ନାଆ ବାନ୍ଧି ପଶିଲେ ଫୁଲବନ ମଧ୍ୟରେ,

ଏ କାଳେ କେ ଜଣେ ନାଆକୁ ବାହିଆଣିଲା ଖରେ ।୨୦।

ସନନ୍ଦନ ତୋଳି ସୁମନ ଫେରି ଖୋଜିଲେ ତରୀ,

ଦେଖିଲେ ସେ କୂଳେ ବାନ୍ଧିଛି କିଏ ସେ ନେଇକରି ।୨୧।

ପୂଜାବେଳ ହୁଏ ଉଛୁର ଫୁଲ ଆଣ ସତ୍ତ୍ୱର,

ଏମନ୍ତ ଗୁରୁଙ୍କ ଇଙ୍ଗିତ ଜାଣିଣ ତରତର ।୨୨।

ମନେ ବିଚାରିଲେ ଅନନ୍ତ ଘୋର ଭବସାଗର,

ଗୁରୁକୃପା ବଳେ ତରନ୍ତି କେତେ ଅଧମ ନର ।୨୩।

ଏବା କେତେ ମାତ୍ର ଏହା ମୁଁ ନ ତରିବି କିପାଇଁ,

ଭାବି ଗୁରୁ ମନ୍ତ୍ରକୁ ସ୍ମରି ଦେଲେ ପଦ ବଢ଼ାଇ ।୨୪।

ଦୃଢ଼ ଗୁରୁଭକ୍ତି ବିଶ୍ୱାସ ଗଙ୍ଗାଦେବୀ ଜାଣିଲେ,

ପ୍ରତି ପଦକ୍ଷେପେ ପଦ୍ମେକ ଜଳରେ ଫୁଟାଇଲେ ।୨୫।

ପଦ ରଖି ପ୍ରତି ପଦ୍ମରେ ଗୁରୁଙ୍କ ପଦ ଧ୍ୟାୟି,

ପାରିହୋଇ ନଦୀ ନମିଲେ ଗୁରୁପୟରେ ଯାଇ ।୨୬।

ଅନ ଶିଷ୍ୟେ ଥିଲେ ଅନାଇଁ ଦେଖି ହେଲେ ବିସ୍ମିତ,

ଆଶୀର୍ବାଦ କଲେ ଶ୍ରୀଗୁରୁ ହୋଇ ହରଷ ଚିତ୍ତ ।୨୭।

ପଦ୍ମ ପରେ ରଖି ପୟର ଗଙ୍ଗାନଦୀ ତରିଲ,

ହେ ବତ୍ସ ! ପଦ୍ମପାଦ ନାମ ଆଜିଠାରୁ ବହିଲ ।୨୮।

ପ୍ରଶଂସି ଏମନ୍ତ ଶିଷ୍ୟକୁ ମଗ୍ନହେଲେ ଧ୍ୟାନରେ,

ଦୃଢ଼ ଗୁରୁଭକ୍ତି ପ୍ରଭାବେ କି ଅସମ୍ଭବ ବିଶ୍ୱରେ !୨୯।

 

ଚତୁର୍ଦଶ ଅଧ୍ୟାୟ

ବ୍ୟାସଦେବଙ୍କଦ୍ୱାରା ଭାଷ୍ୟ-ସମର୍ଥନ

 

ଶଙ୍କରଙ୍କ ପାଣ୍ଡିତ-ପ୍ରଭା ଚତୁର୍ଦ୍ଦିଗେ ବ୍ୟାପିଲା,

ଯଶଖ୍ୟାତି ଶୁଣି ପଣ୍ଡିତଙ୍କର ଈର୍ଷା ବଢ଼ିଲା ।୧।

ତର୍କଯୁକ୍ତିରେ ଆଗଭର ହେଇ ହେଲେ ପରାସ୍ତ,

ବ୍ରହ୍ମଜ୍ଞ ଶଙ୍କର ଅଟନ୍ତି ଐଶ୍ୱରୀ ଶକ୍ତିପ୍ରାପ୍ତ ।୨।

ଅଜ୍ଞାନୀ ଦାମ୍ଭିକ ପଣ୍ଡିତେ ବାକ୍‌ବିତଣ୍ଡାକାରୀ,

ଧର୍ମତତ୍ତ୍ୱଜ୍ଞାନବିହୀନ କପଟୀ ଅନାଚାରୀ ।୩।

କାମସଂକଳ୍ପ ସିଦ୍ଧି ପାଇଁ ବୈଦିକ ଅନୁଷ୍ଠାନ,

ଆଗମ ଶାସ୍ତ୍ରକୁ ଆଚରି କେହି ଲୋକେ ପ୍ରଧାନ ।୪।

ଶଙ୍କର ସ୍ୱରୂପ ଶଙ୍କର: ଧର୍ମ ଉଦ୍ଧାର ପାଇଁ,

ତାଙ୍କ ଅଗ୍ରତରେ ଅଜ୍ଞାତ କାହିଁ ପାଇବ ଠାଇଁ ।୫।

ଯାଗଯଜ୍ଞାଦି କର୍ମକାଣ୍ଡ କାମ୍ୟ କର୍ମେ ଲାଗିଲା,

ଉପନିଷଦ ବ୍ରହ୍ମଜ୍ଞାନ ବିପ୍ରକୁଳୁ ଲିଭିଲା ।୬।

ବୌଦ୍ଧ ଶୂନ୍ୟବାଦେ ସ୍ୱଧର୍ମ ହିନ୍ଦୁ ତେଜି ବସିଲେ,

ସନାତନ ବୈଦିକ ମାର୍ଗ ମାନବେ ଉପେକ୍ଷିଲେ ।୭।

ବେଦସମର୍ଥିତ ଯେ ଧର୍ମ ଋଷିଂକ ପ୍ରବର୍ତ୍ତିତ,

ଯେଉଁ ହିନ୍ଦୁଧର୍ମ ଜଗତେ ସୁରନର ପୂଜିତ ।୮।

ନାନାମତ ନାନା ପଥରେ ମାନବ ଅଧୋଗତି,

ଦେଖି ଅବତାର ଶଙ୍କର ପ୍ରତ୍ୟେକ୍ଷ ପଶୁପତି ।୯।

ମହା ମହାଜ୍ଞାନୀ ପଣ୍ଡିତେ ଖଟିଲେ ଶିଷ୍ୟପଣେ,

କୃତାର୍ଥ ମଣିଲେ ଯଥାର୍ଥ ଶୁଣି ଜ୍ଞାନ ବଚନେ ।୧୦।

ବ୍ରହ୍ମସୂତ୍ରଭାଷ୍ୟ ପଢ଼ାନ୍ତି ଶିଷ୍ୟଗଣେ ହରଷେ,

ପୁଣି ଜ୍ଞାନଲୋକ ବିକାଶ ହେଲା ଭାରତବର୍ଷେ ।୧୧।

ଦିନେ ବସି ଗଙ୍ଗାତଟରେ ଗତ କରି ମଧ୍ୟାହ୍ନ,

ଶାରୀରିକ ସୂତ୍ରଭାଷ୍ୟକୁ କରୁଥାନ୍ତି ବ୍ୟାଖ୍ୟାନ ।୧୨।

ଶିଷ୍ୟଗଣେ ବେଢ଼ି ଶୁଣନ୍ତି କରି ମନୋନିବେଶ,

ଏକାଳେ ବୃଦ୍ଧ ବିପ୍ର ଜଣେ ତହିଁ ହେଲେ ପ୍ରବେଶ ।୧୩।

ଶଙ୍କରଙ୍କୁ ଚାହିଁ ପୁଚ୍ଛନ୍ତି ତୁମ୍ଭେ କେ ଯତିବର,

ପଢ଼ାଉଛ ଏ କେଉଁ ଶାସ୍ତ୍ର ଦିଅ ମୋତେ ଉତ୍ତର ।୧୪।

ଶୁଣି ବୋଲନ୍ତି ଶିଷ୍ୟଗଣ ଶୁଣ ଆହେ ବ୍ରାହ୍ମଣ !

ଉପନିଷଦ ସବୁ ଯାହା ଅଟେ କଣ୍ଠଭୂଷଣ ।୧୫।

ସେହି ଏହି ଶଙ୍କରାଚାର୍ଯ୍ୟ ଗୁରୁଦେବ ଆମ୍ଭର,

ଶାରୀରିକ ଭାଷ୍ୟରଚକ ଗୂଢ଼ ବହ୍ମସୂତ୍ରର ।୧୬।

ପଢ଼ାଉଅଛନ୍ତି ଆମ୍ଭଙ୍କୁ ତାହା ହୋଇ ପ୍ରସନ୍ନ,

ଶୁଣି ସେ ବ୍ରାହ୍ମଣ ବୋଲନ୍ତି ଆଚାର୍ଯ୍ୟଙ୍କୁ ବଚନ ।୧୭।

ବେଦବ୍ୟାସଙ୍କ ବିରଚିତ ବ୍ରହ୍ମସୂତ୍ରର ଭାଷ୍ୟ,

କରିଅଛ ଯେବେ ମୋ ଆଗେ କର କିଛି ପ୍ରକାଶ ।୧୮।

ଶଙ୍କର ଆଚାର୍ଯ୍ୟ ଏମନ୍ତ ବିପ୍ରମୁଖରୁ ଶୁଣି,

ବୋଲନ୍ତି ବିନୟ ମଧୁରେ ଶୁଣ ହେ ବିପ୍ରମଣି ।୧୯।

ବ୍ରହ୍ମସୂତ୍ର ଅର୍ଥ ଜାଣନ୍ତି ଯେତେକ ଗୁରୁଜନ,

କରଯୋଡ଼ି ତାଙ୍କୁ ଭକ୍ତିରେ କରୁଅଛିବନ୍ଦନ ।୨୦।

ଭାଷ୍ୟପ୍ରଣୟନ କରିଛି ଏଥିରେ ଗର୍ବ ନାହିଁ,

ପଚାରନ୍ତୁ ଦେବି ଉତ୍ତର ଜାଣିଅଛି ମୁଁ ଯାହି ।୨୧।

ଶୁଣି ଜ୍ଞାନୀବର ପୁଛିଲେ ତୃତୀୟ ଅଧ୍ୟାୟର,

ପ୍ରଥମ ପାଦକୁ ଶୁଣାଅ ନିଜ ଭାଷ୍ୟ ତୁମ୍ଭର ।୨୨।

ଶୁଣି ଯତିବର ବୋଲନ୍ତି ଜୀବ ଛାଡ଼ି ଶରୀର,

ନିଜ ରୂପେ କରେ ଗମନ ସୂକ୍ଷ୍ମରୂ ସୂକ୍ଷ୍ମତର ।୨୩।

ମନ ଆଦି ଯେତେ ଇନ୍ଦ୍ରିୟ ସଙ୍ଗେ ମିଶି ରହନ୍ତି,

କର୍ମସୂତ୍ରେ ପାଞ୍ଚଭୌତିକ ଦେହ ପୁଣି ଧରନ୍ତି ।୨୪।

ଶୁଣି ଜ୍ଞାନୀ ବିପ୍ର ଏହାର କଲେ ବହୁ ଖଣ୍ଡନ,

ତୀକ୍ଷ୍‌ଣବୁଦ୍ଧି-ଯତି କରନ୍ତି ସଂଶୟକୁ ଭଞ୍ଜନ ।୨୫।

ଆଠ ଦିନ ଯାଏ ଲାଗିଲା ଯୁକ୍ତି ଏକ ସୂତ୍ରରେ,

କେହି କାହାକୁ ନାହିଁ ଊଣା ଗୂଢ଼ ତତ୍ତ୍ୱଜ୍ଞାନରେ ।୨୬।

ଶିଷ୍ୟଗଣେ ଶୁଣି ବିସ୍ମିତ ପଦ୍ମପାଦ ଚତୁର,

ଏକାନ୍ତେ ବୋଲନ୍ତି ଭୋ ଗୁରୁ ! ନୁହନ୍ତି ଏ ଭୂସୁର ।୨୭।

ସ୍ୱୟଂ ବେଦବ୍ୟାସ ପରୀକ୍ଷା ପାଇଁ ଅଛନ୍ତି ଆସି,

ଆପଣ ତ ଅଟ ପ୍ରତ୍ୟକ୍ଷ ଶିବ କୈଳାସବାସୀ ।୨୮।

ବାଦରାୟଣ ନାରାୟଣ ଶଙ୍କର ତ ଶଙ୍କର,

ହରିହର ଶାସ୍ତ୍ରଦ୍ୱନ୍ଦରେ ଆମ୍ଭେ ଛାର କିଙ୍କର ।୨୯।

ଏହାଙ୍କୁ ମନୁଷ୍ୟ ନ ଗଣ ବେଦବ୍ୟାସ ନିଶ୍ଚୟ,

ଶୁଣି ଶଙ୍କରଙ୍କ ମନରେ ହେଲା ଭକ୍ତି ଉଦୟ ।୩୦।

ଭକ୍ତିରେ ଯୋଡ଼ି ବେନିକର ବିରଚି ଦିନ୍ୟ ସ୍ତବ,

ଗାଇଲେ ଅପୂର୍ବ ମିଳନ ଆଜି ହେଲା ସମ୍ଭବ ।୩୧।

ଆପଣ କୃଷ୍ଣଦ୍ୱୈପାୟନ ଅଟନ୍ତି ବେଦବ୍ୟାସ,

କୃପା କରି ଦେଲ ଦର୍ଶନ ନିଜ ରୂପ ପ୍ରକାଶ ।୩୨।

ଆପଣଙ୍କ ରଚିତ ସତ୍ର ତାର ଭାଷ୍ୟ ମୋହର,

ହୋଇଛି କି ଏହା ଯଥାର୍ଥ ଦେବ ପ୍ରକାଶ କର ।୩୩।

କଟାଦାଢ଼ି-ଯଜ୍ଞୋପବୀତ-କୃଷ୍ଣାଜିନ ଧାରଣ,

ବିଦ୍ୟୁ ସମ କାନ୍ତି ଝଟକେ ମେଘସମ ବରଣ ।୩୪।

ପରହିତବ୍ରତ ସତତ ବ୍ରହ୍ମସୂତ୍ର ରଚିଛ,

ଅଷ୍ଟାଦଶ ମହାପୁରାଣ ଲୋକହିତେ ଲେଖିଛ ।୩୫।

ୠକ୍‌ଯଜୁ ସାମ ଅଥର୍ବ ବେଦକୁ କଲ ଚାରି,

ମହାଭାରତ ଲେଖିଅଛ କଳିକଳୁଷହାରୀ ।୩୬।

ଭୂତ ଭବିଷ୍ୟ ବର୍ତ୍ତମାନ ତିନି କାଳ ଜାଣୁଛ,

ଯୋଗତତ୍ତ୍ୱ ସୂକ୍ଷ୍ମ ବିଚାର ସାଧି ସିଦ୍ଧି ଲଭିଛ ।୩୭।

ଏକମାତ୍ର ଭବସାଗରେ କର୍ଣ୍ଣଧାର ଆପଣ,

ସର୍ବଜ୍ଞ ହେ ପରମ ବ୍ରହ୍ମ ଧନ୍ୟ ଦେଲ ଦର୍ଶନ ।୩୮।

ବାଳକସ୍ୱଭାବ ଚପଳ କ୍ଷମା କରି ମୋ ଦୋଷ,

କହ ଶାରୀରିକ ଭାଷ୍ୟ ମୋ ଶୁଣି ହେଲ କି ତୋଷ ?୩୯।

ଏମନ୍ତ ଶଙ୍କର ସ୍ତବରେ ବ୍ୟାସ ହୋଇ ପ୍ରସନ୍ନ

ସ୍ୱରୂପ ଦେଖାଇ ଆଶିଷ କଲେ ହରଷ ମନ ।୪୦।

ଗଙ୍ଗାନୀରେ ଧୋଇ ପୟର ଯତି ଆସନ ଦେଲେ,

ଶିଷ୍ୟଗଣେ ଯଥା ଯୋଗ୍ୟରେ ଋଷିପଦ ବନ୍ଦିଲେ ।୪୧।

ଶଙ୍କରଙ୍କୁ ଚାହିଁ ବୋଲନ୍ତି ବ୍ୟାସ ମଧୁର ବାଣୀ,

ଶିବ ଅବତାର ହୋଇବେ ଅଛି ଆଗରୁ ଜାଣି ।୪୨।

ବେଦ ଅର୍ଥ ଅନର୍ଥକାରୀ ବହୁ ବାଦ ଭାରତେ,

ସନାତନ ଧର୍ମ୍ମ ନାଶିବେ ଅନାଚାରୀ ପଣ୍ଡିତେ ।୪୩।

ସେ କାଳେ ଶଙ୍କର ଶରୀର ଧରି ବ୍ରାହ୍ମଣକୁଳେ,

ପୁଣି ବେଦଶାସ୍ତ୍ର ବିହତ ଜ୍ଞାନ ଦେବେ ଭୂତଳେ ।୪୪।

ତୁମ୍ଭେ ଅଟ ସେହି ଶଙ୍କର ସାଧ ଆପଣା କାର୍ଯ୍ୟ,

ବେଦବେଦାନ୍ତ ବ୍ରହ୍ମସୂତ୍ର ଭାଷ୍ୟ ଲେଖ ନିଧାର୍ଯ୍ୟ ।୪୫।

ପାଷଣ୍ଡ ମତବାଦ ଯେତେ ତର୍କେ କରି ଖଣ୍ଡନ,

ବେଦୋକ୍ତ ସନାତନ ଧର୍ମ୍ମ ପୁଣି କର ସ୍ଥାପନ ।୪୬।

ସର୍ବଜ୍ଞ ସର୍ବଶକ୍ତିମାନ ଜ୍ଞାନୀ ପରମ ଯୋଗୀ,

ସନ୍ମାର୍ଗ ଦେଖାଇ ଉଦ୍ଧାର ମାନବ ଭବରୋଗୀ ।୪୭।

ବେଦାନ୍ତ ଅଦ୍ୱୈତ ପ୍ରଚାର କର ମର୍ତ୍ତ୍ୟମଣ୍ଡଳେ,

ବର୍ଣ୍ଣାଶ୍ରମ ଚାରି ଆଶ୍ରମ ପୁଣି ରାଜୁ ଭୂତଳେ ।୪୮।

ବେଦାନ୍ତ ଶାରୀରିକ ଭାଷ୍ୟ ଆଦି ତୁମ୍ଭର ଗ୍ରନ୍ଥ,

ପୂଜା ପାଇ ବିଶ୍ୱମାନବେ ଦେଖାନ୍ତୁ ଦିବ୍ୟ ପଥ ।୪୯।

ଏହି ମୋହର ଆଶୀର୍ବାଦ ବତ୍ସ ଦିଅ ମେଲାଣି,

ବୋଲନ୍ତେ ବୋଇଲେ ଶଙ୍କର ସବୁ ଶେଷ ହେଲାଣି ।୫୦।

ସୂତ୍ରଭାଷ୍ୟ ଲେଖି ପ୍ରଚାରିଅଛି ଅଦ୍ୱୈତବାଦ,

କାର୍ଯ୍ୟ ଶେଷ ଏବେ ପୂରାଅ ମୋର ମନର ସଧ ।୫୧।

କ୍ଷଣେ ରହନ୍ତୁ ମୋ ଅଗ୍ରତେ ମଣିକର୍ଣ୍ଣିକା ନୀରେ,

ବିଲୋକୀ ଶ୍ରୀପଦ ତେଜିବି ଏ ନଶ୍ୱର ଶରୀରେ ।୫୨।

ଶୁଣି ମହୠଷି ବୋଲନ୍ତି ସେବେଳ ହୋଇ ନାହିଁ,

ଅଛନ୍ତି ଆହୁରି ଦୁର୍ଜ୍ଜୟ ପଣ୍ଡିତ କାହିଁ କାହିଁ ।୫୩।

ଆସିଥିଲେ ଆଠ ବରଷ ପରମାୟୁକୁ ନେଇ,

ପୁଣ ଆଠ ବର୍ଷ ଲଭିଲ ନିଜ ଶକ୍ତି ଦେଖାଇ ।୫୪।

ଷୋହଳ ବରଷ ହୋଇଛି ଏବେ ତୁମ୍ଭ ବୟସ,

ଶିବ ପ୍ରସନ୍ନରେ ବଢ଼ିଲା ପୁଣି ଷୋହଳ ବର୍ଷ ।୫୫।

ବତିଶ ବରଷେ ସରିବ ତୁମ୍ଭର କାର୍ଯ୍ୟମାନ,

ସୁରକ୍ଷା କରି ହିନ୍ଦୁଧର୍ମ୍ମ ଯିବ ଆପଣା ସ୍ଥାନ ।୫୬।

ନଭମଣ୍ଡଳ ଥିବାଯାଏ ଶଶାଙ୍କ ଦିବାକର,

ତ୍ରି ଲୋକେ ପୂଜାପାଉଥିବ ରହି ଭାଷ୍ୟ ତୁମ୍ଭର ।୫୭।

ଏମନ୍ତ କହି ଅନ୍ତର୍ଦ୍ଧାନ ତହୁଁ ହୋଇଲେ ମୁନି,

ଦେଖି ସଶିଷ୍ୟରେ ଶଙ୍କର କ୍ଷଣେ ରହିଲେ ତୁନି ।୫୮।

ଚିନ୍ତାକରି ବ୍ୟାସବଚନ ମନେକଲେ ନିଶ୍ଚୟ,

ଧର୍ମ୍ମରୁ ଗ୍ଳାନି ନିବାରିବି କରି ଦିଗ୍‍ବିଜୟ ।୫୯।

 

ପଞ୍ଚଦଶ ଅଧ୍ୟାୟ

ଦିଗ୍‌ବିଜୟ-ଯାତ୍ରା ଓ ଭଟ୍ଟପାଦ ମୋକ୍ଷ୍ୟ

 

ବହୁ ଦେବାଦେବୀ ମହର୍ଷି ବହୁ ପଣ୍ଡିତଗଣ,

କାଶୀକ୍ଷେତ୍ର ଗଙ୍ଗାତଟରେ କରୁଥାନ୍ତି ଦର୍ଶନ ।୧।

ଶାରୀରିକ ଭାଷ୍ୟ ଆଚାର୍ଯ୍ୟ ମୁଖୁ ଶୁଣି ବ୍ୟାଖ୍ୟାନ,

କୃତକୃତ୍ୟ ହୋଇ ପ୍ରଶଂସି ଫେରନ୍ତି ନିଜ ସ୍ଥାନ ।୨।

ବ୍ୟାସଦେବଙ୍କର ବଚନେ ଦିଗ୍‍ବିଜୟ ଆଶେ,

ଦଣ୍ଡକମଣ୍ଡଳୁ ହସ୍ତରେ ବାହାରିଲେ ସଶିଷ୍ୟେ ।୩।

ବେଦବେଦାନ୍ତ ତତ୍ତ୍ୱବେତ୍ତା ମହାଜ୍ଞାନୀ ପଣ୍ଡିତ,

ଭଟ୍ଟପାଦ ନାମେ ଅଛନ୍ତି ଆଚାର୍ଯ୍ୟଙ୍କୁ ବିଦିତ ।୪।

ତାଙ୍କଦ୍ୱାରା ନିଜ ଭାଷ୍ୟର ବାର୍ତ୍ତିକ ବିରଚନ,

କରାଇବା ଆଶେ ପ୍ରୟାଗତୀର୍ଥେ କଲେ ଗମନ ।୫।

ମୋକ୍ଷପ୍ରଦାୟିନୀ ଯମୁନା-ଗଙ୍ଗା ସଙ୍ଗମସ୍ଥଳ,

ସ୍ନାହାନ ମାତ୍ରକେ ତରନ୍ତି ମହାପାପୀ ସକଳ ।୬।

ବହେ ଶୁକ୍ଳ କୃଷ୍ଣ ଦ୍ୱିଧାର କଳ କଳି ନିନାଦେ,

ଗୋପ୍ତା ସରସ୍ୱତୀ ତ୍ରିବେଣୀ ଶ୍ରେଷ୍ଠ ତୀର୍ଥକ ମଧ୍ୟେ ।୭।

ତୀର୍ଥକୃତ୍ୟ ତହିଁ କରନ୍ତି ସଶିଷ୍ୟ ଯତିବର,

ଅଳ୍ପଦୂରେ ବହୁ ଜନତା କଲେ ଦୃଷ୍ଟିଗୋଚର ।୮।

ବହୁ ମୁଖଗୋଳ ଶବଦ କେତେ ପଢ଼ନ୍ତି ବେଦ,

ଶୁଣି ଯତି ତହିଁ ମିଳିଲେ କରି ଜନତା ଭେଦ ।୯।

ବେଢ଼ିଛନ୍ତି ଶିଷ୍ୟ ଅନେକ ତୁଷାନଳ ଶୋଭିତ,

ଭଟ୍ଟପାଦ ପଶି ତା ମଧ୍ୟେ ମରଣ ପ୍ରାୟଶ୍ଚିତ୍ତ ।୧୦।

ଦୂରରୁ ନିରେଖି ଯତିଙ୍କୁ ମୋଦେ ବନ୍ଦନା କରି,

ବୋଇଲେ ଧନ୍ୟ ଧନ୍ୟ ଦୟା ଯତି ପ୍ରତ୍ୟକ୍ଷ ହରି ।୧୧।

ବେଦନିନ୍ଦୁକ ବୌଦ୍ଧମତ କରିଅଛ ଖଣ୍ଡନ,

ପୁଣି ତାହାଙ୍କୁ ଗୁରୁ କରି ଦେଇଛ ଅପମାନ ।୧୨।

ଦିନେ କେତେ ଜଣ ପଣ୍ଡିତ ତୀକ୍ଷ୍‌ଣ ବୁଦ୍ଧି ବଉଧ,

ନିନ୍ଦିଲେ ବେଦକୁ ଦେଖାଇ ତାଙ୍କ ଯୁକ୍ତି ପ୍ରସିଦ୍ଧ ।୧୩।

ସହି ନ ପାରି ମୋ ଆଖିରୁ ଝରିପଡ଼ିଲା ପାଣି,

ଧରି ପେଲିଦେଲେ କୋଠାରୁ ଥିଲେ ପ୍ରମାଦ ଜାଣି ।୧୪।

ଚିନ୍ତିଲି ମନେ ନାରାୟଣ ବେଦ ଯେବେଟି ସତ୍ୟ,

ବଞ୍ଚିରହିବି ମୁଁ ନୋହିବି କିଛି ଦୁଃଖ ପ୍ରାପତ ।୧୫।

କିଛି ବାଧା ନାହିଁ ବସିଲି ଖସି ଧରଣୀତଳେ,

ପରୀକ୍ଷାରେ ହାରି ବଉଧେ ଗଲେ ଯେ ଯାହା ଘରେ ।୧୬।

ଗୁରୁ ମାନି ପୁଣି ଏ ରୂପେ ଦ୍ରୋହ ପାତକ କଲି,

ଦ୍ୱିତୀୟେ ମୀମାଂସା ଦର୍ଶନେ ଈଶ୍ୱରଙ୍କୁ ତେଜିଲି ।୧୭।

ଏ ଦୁଇ ମହାପାତକର ଅଟେ ଏ ପ୍ରାୟଶ୍ଚିତ୍ତ,

ଦେବ କୃପାକର ନିର୍ବିଘ୍ନ ହେଉ ମୋ ଅନୁଷ୍ଠିତ ।୧୮।

ଶୁଣି ଯତିବର ବୋଇଲେ ଭଟ୍ଟପାଦ ହେ ଜ୍ଞାନି,

ବେଦଜ୍ଞ ପଣ୍ଡିତ ଆପଣ ଆସିଅଛି ମୁଁ ଜାଣି ।୧୯।

ଦେଖ ବ୍ରହ୍ମସୂତ୍ର ଭାଷ୍ୟ ମୋ ଏହା ବାର୍ତ୍ତିକ ଲେଖ,

କରୁଛି ମୁଁ ପୁନର୍ଜ୍ଜୀବିତ ଏ ପ୍ରତିଜ୍ଞା ଉପେକ୍ଷ ।୨୦।

ଭଟ୍ଟପାଦ ଶୁଣି ବୋଲନ୍ତି ଆହେ ଶିବାବତାର,

ଯୋଗେଶ୍ୱର ଏହା ନିଶ୍ଚୟ ଆପଣ କରିପାର ।୨୧।

ମାତ୍ର ମୁଁ ସଂକଳ୍ପ ଭାଙ୍ଗିଲେ ଯେତେ ପଣ୍ଡିତ ନର,

ହସିବେ ବୋଲିବେ ଏହାର ହେଲା ମରଣେ ଡର ।୨୨।

ରଚିଛି ନିର୍ବିନ୍ଧ କରିଛି କର୍ମ୍ମମାର୍ଗ ନିର୍ଣ୍ଣୟ,

ନୟାୟିକ ଯୁକ୍ତି ଖଣ୍ଡନ କଲି ହୋଇ ନିର୍ଭୟ ।୨୩।

ବେଦ ହିଁ ପ୍ରମାଣ ଜାଣିଛି ଏକ ଈଶ୍ୱର ସତ୍ୟ,

ଯୁକ୍ତି ନ ମାନନ୍ତି ବଉଧେ ତାଙ୍କ ପାଷଣ୍ଡ ମତ ।୨୪।

ବୌଦ୍ଧଶାସ୍ତ୍ରମାନ ଶିଖିଲି ଗୁରୁ କରି ଯାହାଙ୍କୁ,

ଅପରାଧୀ ହେଲି ପରୀକ୍ଷା ଛଳେ ଜିଣି ତାହାଙ୍କୁ ।୨୫।

ବାର୍ତ୍ତିକ ଭାଷ୍ୟ ଆଦ୍ୟ ଅଧ୍ୟା ଅଟେ ଅଷ୍ଟ ସହସ୍ର,

ଲେଖିପାରିଥାନ୍ତି ଥିଲାଏ ଦେହେଶକ୍ତି ଅଜସ୍ର ।୨୬।

ମାତ୍ର କାଳବସେ କରୁଛି ଲୀଳାକୁ ସମାପନ,

ବହୁ ପୁଣ୍ୟ ଫଳେ ଏକାଳେ ଦେଇଛ ଦରଶନ ।୨୭।

ମୋଠାରୁ ଅଧିକ ଧୀମନ୍ତ ନିଷ୍ଠାପର ବ୍ରାହ୍ମଣ,

ମଣ୍ଡନ ମିଶ୍ର ନାମଧାରୀ ପଣ୍ଡିତ ଅଗ୍ରଗଣ୍ୟ ।୨୮।

ଶିଷ୍ୟ ମୋର ତାଙ୍କୁ ଜିଣିଲେ ହେବ ବିଶ୍ୱବିଜୟୀ,

ତାଙ୍କ ସ୍ତ୍ରୀ ଉଭୟ ଭାରତୀ ଭାରତୀ ଶୋଭାମୟୀ ।୨୯।

ତୁମ୍ଭ ତର୍କଯୁଦ୍ଧେ ସେ ଏକା କହିପାରିବେ ନ୍ୟାୟ,

ଦୁର୍ବାସା ଶାପରେ ଭାରତୀ ଏବେ ମାନବୀ କାୟ ।୩୦।

ମଣ୍ଡନ ମିଶ୍ରଙ୍କ ପ୍ରତିଭା ବୃହସ୍ପିତ ସମାନ,

ତାଙ୍କଦ୍ୱାରା ଲେଖାହୋଇବ ଭାଷ୍ୟ ବାର୍ତ୍ତିକମାନ ।୩୧।

ଏବେ କୃପାକରି ମୋ ନେତ୍ରପଥେ କ୍ଷଣକ ରହି,

ଉଦ୍ଧାର କର ମୋ କର୍ଣ୍ଣରେ ତାରକ ବ୍ରହ୍ମ କହି ।୩୨।

ଅଦ୍ୱୈତବ୍ରହ୍ମକୁ ବିଦିତ ହେଲି ତୁମ୍ଭ କୃପାରେ,

ପ୍ରଭେଦ ଭାବ ନାହିଁ ଆଉ ତବ ରୂପ ଓଁ କାରେ ।୩୩।

ପ୍ରଫୁଲ୍ଲ ବଦନେ ଏମନ୍ତ କହି ବୁଜିଲେ ଆଖି,

ଶଙ୍କର ସ୍ୱରୂପ ଶଙ୍କର ଅଗ୍ରେ ରହିଲେ ସାକ୍ଷୀ ।୩୪।

ନିଷ୍ଠାପର ଦୃଢ଼ସଂକଳ୍ପ ବେଦଶାସ୍ତ୍ର ବିଶ୍ୱାସୀ,

ପାଷଣ୍ଡ ମତ ଖଣ୍ଡିବାରେ ଥିଲେ କୁମାର ଆସି ।୩୫।

ଦେଶଜାତିଧର୍ମ୍ମ ସକାଶେ ମୃତ୍ୟୁ କଲେ ବରଣ,

ପଲକରେ ପରମ ବ୍ରହ୍ମେ ହୋଇଗଲେ ବିଲୀନ ।୩୬।

ଜାତିଧର୍ମ ପାଇଁ କଠୋର ତ୍ୟାଗ ଦେଖି ଶଙ୍କର,

ବିସ୍ମୟ ମନରେ ତ୍ରିବେଣୀ ଛାଡ଼ିହେଲେ ଅନ୍ତର ।୩୭।

ମଣ୍ଡନ ମିଶ୍ରଙ୍କ ନିବାସ ନଗର ମାହିଷ୍ମତୀ,

ଯୋଗବଳେ ଶୂନ୍ୟମାର୍ଗରେ କଲେ ତକ୍ଷଣେ ଗତି ।୩୮।

 

ଷୋଡ଼ଶ ଅଧ୍ୟାୟ

ଶଙ୍କରଙ୍କର ମଣ୍ଡନ ମିଶ୍ରଙ୍କ ସହିତ ବାକ୍‌ଯୁଦ୍ଧ

 

ଯାଉଁ ଶୂନ୍ୟପଥେ ଦେଖିଲେ ଏକ ଦିବ୍ୟ ନଗର,

ଅଟ୍ଟାଳିକାମାନ ବିଚିତ୍ର କାରୁକାର୍ଯ୍ୟ ସୁନ୍ଦର ।୧।

ନାନା ରତନବିମଣ୍ଡିତ ହୋଇ ହସୁଛି ପୁରୀ,

ତୋଟା ପୁଷ୍କରିଣୀ ମନ୍ଦିର ମନମୋହନକାରୀ ।୨।

କୁସୁମକାନନେ କୋକିଳ ପିକ ଗାଆନ୍ତି ଗୀତ,

ଉଡ଼େ ଫରଫର କେତନ ନାନାରଙ୍ଗେ ରଞ୍ଜିତ ।୩।

ମାହିଷ୍ମତୀ ପୁରୀ ତୋରଣ ପଥେ ସ୍ୱର୍ଣ୍ଣଅକ୍ଷରେ,

ଲେଖା ଦେଖି ଅବତରିଲେ ଯତିତ ରେବାର ତୀରେ ।୪।

ସ୍ୱଚ୍ଛ ନିର୍ମଳ ଜଳଧାର ବହେ ପାବନୀ ରେବା,

ତଟିନୀ ତଟରେ ବିଟପୀଗଣେ କରନ୍ତି ସେବା ।୫।

ଛାୟା ସୁଶୀତଳ ସମୀର ବହେ ମୃଦୁ ମଧୁର,

ବିଶ୍ରମନ୍ତି ବସି ଶଙ୍କର ହୋଇ ଶ୍ରମେ ଆତୁର ।୬।

ଏକାଳେ ତରୁଣୀ କେତେକ ନେବାକୁ ସ୍ୱଚ୍ଛ ବାରି,

କାଖେ ସ୍ୱର୍ଣ୍ଣକୁମ୍ଭ ଚାଲନ୍ତି ବେଦାନ୍ତ ବ୍ୟାଖ୍ୟା କରି ।୭।

ମଣ୍ଡନ ମିଶ୍ରଙ୍କ ପାଣ୍ଡିତ୍ୟ କେହି କେହି କହନ୍ତି,

ଶୁଣି ପାଶେ ଯାଇ ତାହାଙ୍କୁ ଯତିବର ପୁଚ୍ଛନ୍ତି ।୮।

କିଏ ତୁମ୍ଭେମାନେ ବିଦୁଷୀ ମଣ୍ଡନ ମିଶ୍ରଙ୍କର,

କେତେ ଦୂର ଘର ଯିବି ମୁଁ ସାକ୍ଷାତକୁ ତାଙ୍କର ।୯।

ବୋଇଲେ ତରୁଣୀ ଆମ୍ଭେଟି ତାଙ୍କରି ପରିଚାରୀ,

ନେବା ପାଇଁ ସର୍ବେ ଆସିଛୁଁ ନଦୀ ପବିତ୍ରବାରି ।୧୦।

ଅଳ୍ପ ଦୂରେ ଦେଖାଯାଉଛି ଏ ଶୁଭ ଅଟ୍ଟାଳିକା,

ପଣ୍ଡିତଙ୍କ ଦମ୍ଭ ଭାଙ୍ଗିବା ପାଇଁ ଦିଅଇ ଡକା ।୧୧।

ଦେଖିବ ଯହିଁ ଶୁଆଶାରି ପିଞ୍ଜରି ମଧ୍ୟେ ବସି,

ପରସ୍ପର ବାଦ କରନ୍ତି ବେଦାନ୍ତ ତତ୍ତ୍ୱମସି ।୧୨।

ମିଶ୍ରଙ୍କର ସେହି ନିବାଦ ଯାଅ ହେ ଯତିବର,

ତୁମ୍ଭ ପରି ଜ୍ଞାନୀ ସାଧୁଙ୍କ ତହିଁ ବହୁ ଆଦର ।୧୩।

ଶୁଣି ଯତି ଯାଇ ଦେଖିଲେ ଦ୍ୱାରା କିଳା କବାଟ,

ଶୂନ୍ୟମାର୍ଗେ ପୁରେ ପଶିଲେ ନ ପାଇ ଖୋଲା ବାଟ ।୧୪।

ଦେଖିଲେ ବ୍ରହ୍ମାଂକ ସଦୃଶ ମଣ୍ଡନଙ୍କୁ ଶଙ୍କର,

ବ୍ୟସ୍ତ ପିତୃଶ୍ରାଦ୍ଧ ସକାଶେ କିଳି ଦାଣ୍ଡଦୁଆର ।୧୫।

ବେଦବ୍ୟାସ ସଙ୍ଗେ ଜୈମିନି ଉଭୟେ ନିମନ୍ତ୍ରିତ,

ପାଦ ଧୋଇ ଦିବ୍ୟ ଆସନେ ବସାଇଲେ ପଣ୍ଡିତ ।୧୬।

ଦେଖି ମୁନି ବେନି ଶଙ୍କର କଲେ ପଦ ବନ୍ଦନ,

ଶିଖା ବ୍ରତସୂତ୍ର ନ ଦେଖି କ୍ରୋଧ କଲେ ମଣ୍ଡନ ।୧୭।

ଶାସ୍ତ୍ରୋକ୍ତ କର୍ମପ୍ରବର୍ତ୍ତକ ଦ୍ୱିଜ ମହାପଣ୍ଡିତ,

ଜାଣିଲେ ଏ ଯୋଗୀ ସନ୍ନ୍ୟାସୀ ଜ୍ଞାନ-ଯଜ୍ଞୋପବିତ ।୧୮।

ଦେଖି ତ୍ୟାଗୀ ରାଗି ବୋଲନ୍ତି ମୁଣ୍ଡୀ ତୁମେ କିଏ ସେ,

ଶଙ୍କର ବୋଲନ୍ତି ମୁଣ୍ଡୀ ମୁ ମୁଣ୍ଡ କଣ୍ଠୁ ବିଶେଷେ ।୧୯।

ପଚାରିଲିଁ ପଥ କଥା ମୁଁ କ୍ରୋଧେ ଭାଷି ମଣ୍ଡନ,

କି ବୋଇଲ: ପଥ ତୁମ୍ଭଙ୍କୁ ଉତ୍ତର ଏ ବଚନ ।୨୦।

ଶଙ୍କର କୌତୁକେ ବୋଲନ୍ତି ମଣ୍ଡନ କ୍ରୋଧଭର,

ପିଇଛ କି ସୁରା ସଂସ୍କୃତେ ପୀତ ବୋଲୁଁ ଉତ୍ତର ।୨୧।

ପିଇଛ ଯାହାକୁ ତା ବର୍ଣ୍ଣ ହେଉଛ ବିସ୍ମରଣ,

ସହାସ୍ୟେ ବୋଲନ୍ତି ସନ୍ନ୍ୟାସୀ ସୁରା କି ପୀତବର୍ଣ୍ଣ ?୨୨।

ଯତି ହୋଇ ତୁମ୍ଭେ କରିଛ ସୁରାର ବର୍ଣ୍ଣଜ୍ଞାନ,

ଦୋଷ ନାହିଁ ପାପ ତୁମ୍ଭର ତୁମ୍ଭେ କରିଛ ପାନ ।୨୩।

ଶୁଣି ଏ ଉତ୍ତର ଅଧିକ କ୍ରୋଧ ମଣ୍ଡନ ଭାଷି,

ଭକ୍ଷିକି କଳଙ୍କ ହୋଇଛ ମତୁଆଳ ସନ୍ନ୍ୟାସୀ ?୨୪।

ବୋଲନ୍ତେ ବୋଇଲେ ଆପଣ ଅଟ ଜନକ ମୋର,

ପିତା ଯାହା କରେ ଭକ୍ଷଣ ତାହା ଭକ୍ଷେ କୁମର ।୨୫।

ଶୁଣି ଶୁଣି ମିଶ୍ରେ ବୋଲନ୍ତି ଭାରବାହୀ ଗର୍ଦ୍ଦଭ,

ଶିଖା ଉପବୀତ ଠାରୁ କି ଲଘୁ କନ୍ଥା ଦୁର୍ଲ୍ଲଭ ?୨୬।

ନୁହେଁ ମୁଁ ଗର୍ଦ୍ଦଭ ବୋଲନ୍ତି ପରିହାସେ ଶଙ୍କର,

ନାରୀ ତିରସ୍କାର ଶୁଣି ଯେ ପୁଣି ଧରେ ପୟର ।୨୭।

ସେ ଏକା ଗର୍ଦ୍ଦଭ ସେପରି ପିତା ଯାହା ବହନ,

କରିବାକୁ ଅସମରଥ ତା କରିଛିଁ ଧାରଣ ।୨୮।

କର୍ମ୍ମରୁ ଜାତ ସ୍ୱର୍ଗ ଆଦି ଲୋକ ପରୀକ୍ଷା କରି,

ବ୍ରହ୍ମଜ୍ଞାନୀ ଜନେ ବୈରାଗ୍ୟମାର୍ଗ ନେବେ ଆଦରି ।୨୯।

ସଂସାର ଆସକ୍ତି ନିବୃତ୍ତି ହେବା ମାତ୍ରେ ସତ୍ତ୍ୱର,

ଗୃହତ୍ୟାଗକରି ସନ୍ନ୍ୟାସ ଧର୍ମ୍ମ ଗ୍ରହଣ କର । ୩୦ ।

ବ୍ରହ୍ମଚର୍ଯ୍ୟ ଗୃହସ୍ଥ ଅବା ବାନପ୍ରସ୍ଥ ଆଶ୍ରମ,

ଯହିଁଥିଲେ ତେଜି ସନ୍ନ୍ୟାସ ହେବା ଶାସ୍ତ୍ର ନିୟମ । ୩୧ ।

କର୍ମ୍ମଦ୍ୱାରା ତନୟ ଦ୍ୱାରା କି ଅବା ବହୁ ଧନେ,

ଅମୃତତ୍ତ୍ୱ ଲାଭ ନ ହୁଏ ଭାବ ବେଦବଚନେ । ୩୨।

ବସ୍ତ୍ରବର୍ଣ୍ଣ ଭେଦ ବରଜି ନ କରି ନାରୀସଙ୍ଗ,

ମୁଣ୍ଡିତ ମସ୍ତକ ବିରାଗୀ ସାଧିବେ ଆତ୍ମଯୋଗ । ୩୩ ।

ଯଜ୍ଞ ଉପବୀତ ତେଜିବେ ଶିଖା ସନ୍ଦିତେ କେଶ,

ଶ୍ରୃତିରେ ଏମନ୍ତ ନିର୍ଦ୍ଦେଶ ଜାଣ ସନ୍ନ୍ୟାସବେଶ । ୩୪ ।

ଶୁଣି ପୁଣି ଭାସି ମଣ୍ଡନ ନିଜ ପତ୍ନୀ ରକ୍ଷଣେ,

ଅସମର୍ଥ ହେଇ ବୁଲୁଛ ନିଜ ପେଟପୋଷଣେ । ୩୫ ।

ପୁସ୍ତକର ଭାର ବହିଛ କରିଛ ଶିଷ୍ୟ ଯୋଟ,

ଏହି ତ ତୁମ୍ଭ ଆତ୍ମଜ୍ଞାନ ପରାନ୍ନ ଖାଇ ମୋଟ । ୩୬ ।

ଉତ୍ତରେ ବୋଲନ୍ତି ଶଙ୍କର ଗୁରୁକୁଳ ଛାଡ଼ିଲ,

ଗୁରୁସେବା ତେଜି ରମଣୀ-ସେବାରେ ତ ମଜିଲ । ୩୭ ।

ନାରୀସଙ୍ଗ ସୁଖେ କରୁଛ ଆତ୍ମଜ୍ଞାନ ସନ୍ଧାନ,

ଶୁଣି ପୁଣି କ୍ରୋଧେ ମଣ୍ଡନ ବୋଲନ୍ତିରେ ଅଜ୍ଞାନ ! ୩୮ ।

ଯେଉଁ ସ୍ତ୍ରୀଲୋକର ଗର୍ଭରୁ ମର୍ତ୍ତ୍ୟରେ ଜନମିଛ,

ଯାହାଙ୍କ ସ୍ତନ୍ୟପାନ କରି ବଞ୍ଚିରହି ବଢ଼ିଛ । ୩୯ ।

ତାଙ୍କୁ ପୁଣି ନିନ୍ଦାକରିବା ପାଇଁ ବହିଛ ମୁଖ,

ପୃଥ୍ୱୀରେ ନ ଥିବେ କେ ଜଣେ ତୁମ୍ଭ ସମାନେ ମୂର୍ଖ । ୪୦ ।

ଶଙ୍କର ବୋଇଲେ–ତୁମ୍ଭେ ହେ ମୂର୍ଖରୁ ମୂର୍ଖତମ,

ଯାହା ସ୍ତନ ମୁଖେ ପିଇଛ ଯେଉଁ ମାର୍ଗେ ଜନମ । ୪୧ ।

ସେହି ମାତୃତୂଲ୍ୟା ରମଣୀ ସଙ୍ଗେ ରମଣ କର,

ଆତ୍ମଘାତୀ ପାପୀ ଦାମ୍ଭିକ ଥୟ ନାହିଁ ନିଜର । ୪୨ ।

ଏମନ୍ତ ବାକ୍‌ବିତଣ୍ଡାରେ ହିଜବର ନ ପାରି,

ବୋଇଲେ ମୋ ଘରେ କାହିଁକି ପଶିଛ ଚୋରପରି ?୪୩ ।

ଯତି ବୋଇଲେ ଚୋରପରି ତୁମ୍ଭେ ଖାଉଛ ବସି,

ଭିକ୍ଷୁକର ଭାଗ ନ ଦେଇ ତେଣୁ ଅଛି ମୁଁ ଆସି । ୪୪ ।

ଶୁଣି ଦ୍ୱିଜ ଭଣି ଆଜଟି ପିତୃଶ୍ରାଦ୍ଧବାସର,

ମୂର୍ଖ ସଙ୍ଗତେ ସମ୍ଭାଷଣ ନାହିଁ ଇଚ୍ଛା ମୋହର । ୪୫ ।

ସଂସ୍କୃତରେ ଏହା ବୋଲନ୍ତେ ବାକ୍ୟ ହେଲା ଅଶୁଦ୍ଧ,

ଯତି ଶୁଦ୍ଧ କରି ବୋଇଲେ କି ପଣ୍ଡିତ ପ୍ରସିଦ୍ଧ । ୪୬ ।

ଶୁଣି ପୁଣି କ୍ରୋଧେ ମଣ୍ଡନ ବୋଲନ୍ତି ଏ ବଚନ,

କାହିଁ ବହ୍ମ କାହିଁ ତୋ ପରି ମେଧାବିହୀନ ଜନ ! । ୪୭ ।

କାହିଁ ବା ଚତୁର୍ଥ ଆଶ୍ରମ କଳିକାଳ ବା କାହିଁ ?

ସୁସ୍ୱାଦୁ ଅନ୍ନ ଭକ୍ଷିବାରେ ଅଛ ସନ୍ନ୍ୟାସ ହୋଇ । ୪୮ ।

ଶଙ୍କର ବୋଇଲେ କହିବା କର୍ମ୍ମଫଳ ସରଗ,

କାହିଁ ତୁମ୍ଭ ପରି ପାପୀର ଅଗ୍ନି ହୋତ୍ରାଦି ଯାଗ ? ୪୯ ।

କଳିକାଳ ଅବା କେଉଁଠି ଛଦ୍ମବେଶ ଧାରଣ,

କରି ଗୃହସ୍ଥ ବୋଲାଉଛ ଆଶେ ନାରୀରମଣ । ୫୦ ।

ଏହିପରି କ୍ରମେ ବଢ଼ିଲା ଉଭୟେ ବାକ୍‍ଯୁଦ୍ଧ,

ନୀଚ ବଚନ ପ୍ରକାଶିଲେ ମଣ୍ଡନ ହୋଇ କ୍ରୁଦ୍ଧ । ୫୧ ।

ଅସୁନ୍ଦର ହେଲା ଶୁଣିବା ଉଠିଣ ଋଷିଦ୍ୱୟ,

ଶାନ୍ତ କଲେ ବେନି ଜନଙ୍କୁ ନ କର ବାକ୍ୟ ବ୍ୟୟ । ୫୨ ।

ବିଜ୍ଞାନର ମହାପଣ୍ଡିତ ଅଛି ଲୋକରେ ଖ୍ୟାତି,

ଭାଗ୍ୟ ଆଜି ତୁମ୍ଭ ଦୁମରେ ଯତିବାର ଅତିଥି । ୫୩ ।

ସାଦରେ ପଜି ତାଙ୍କ ଭିକ୍ଷାପ୍ରଦାନେ ତୋଷ,

ଶୁଣି ମଣ୍ଡନ ନତଶିର ଶୁଦ୍ଧ କଲେ ମାନସ । ୫୪ ।

ଯଥାଯୋଗ୍ୟ ସାଧୁ ବଚନେ ତୋଷି ଯତିଙ୍କ ମନ,

ଯୋଡ଼ିକର ଭିକ୍ଷା ସକାଶେ କରନ୍ତେ ନିମନ୍ତ୍ରଣ । ୫୫ ।

ଶଙ୍କର ବୋଇଲେ ହେ ଦ୍ୱିଜ ଅନ୍ନଭିକ୍ଷା ସକାଶେ,

ଆସିନାହିଁ ମୁହିଁ ଆସିଛି ତର୍କ-ଭିକ୍ଷାର ଆଶେ । ୫୬ ।

ପଣ୍ଡିତଗଣ ଶିରୋମଣି ନିଷ୍ଠାପର ବ୍ରାହ୍ମଣ,

ବୈଦିକ ମାର୍ଗପ୍ରବର୍ତ୍ତକ ହେ ସ୍ୱଧର୍ମ ପରାୟଣ ! ୫୭ ।

ତର୍କଯୁଦ୍ଧରେ ଯେ ପରାସ୍ତ ହେବେ ସେ ବିଜୟୀର,

ଶିଷ୍ୟତ୍ୱ ଗ୍ରହଣ କରିବେ ଏହି ପ୍ରତିଜ୍ଞା ସ୍ଥିର । ୫୮ ।

ବେଦାନ୍ତ ବିଦ୍ୱେଷୀ ଆପଣ ଜିଣି ତର୍କଯୁଦ୍ଧରେ,

ବେଦାନ୍ତ ମହାତ୍ମ୍ୟପ୍ରଚାର କରିବ ଜଗତରେ । ୫୯ ।

ଶୁଣି ସାନନ୍ଦରେ ମଣ୍ଡନ ବୋଲନ୍ତି ଗର୍ବ ବହି,

ଆହ୍ୱାନ କରୁଛି ଯତୀଶ ଥାଅ ପ୍ରସ୍ତୁତ ରହି । ୬୦ ।

ଯମବିନାଶୀ ମୁଁ ମଣ୍ଡନ ତର୍କଯୁଦ୍ଧେ ପ୍ରମାଣ,

ଇଶ୍ୱରେ ନାସ୍ତି କରିଅଛି ଦୃଢ଼ରେ ଏହା ଜାଣ । ୬୧ ।

ତୁମ୍ଭ ପରି ମହାଜ୍ଞାନୀଙ୍କ ସଙ୍ଗେ ତର୍କବିବାଦ,

କରିବା ଗୌରବ ମୋହର ପୂରିବ ମନସାଧ । ୬୧ ।

ପିତୃଶ୍ରାଦ୍ଧ ଆଜି ମଧ୍ୟାହ୍ନ ସମୟ ଉପଗତ,

ଦୟାକରି କଲ୍ୟ ପ୍ରତ୍ୟୁଷେ ଯତି ହେବେ ସ୍ୱାଗତ । ୬୩ ।

ମୋର ମଧ୍ୟ ଏହି ପ୍ରତିଜ୍ଞା ତର୍କରେ ଯେ ହାରିବ,

ସେ ନିଶ୍ଚେ ବିଜେତାଙ୍କ ପାଦେ ଶିଷ୍ୟପଣେ ଖଟିବ । ୬୪ ।

ଯୋଗ୍ୟବ୍ୟକ୍ତି ଜଣେ ମଧ୍ୟ୍ୟସ୍ଥ ଲୋଡ଼ା ଆତ୍ମ ଦ୍ୱନ୍ଦରେ,

ଏହି ଋଷିଦ୍ୱୟ ସମ୍ମତ ହେବେ କି ଆନନ୍ଦରେ ! ୬୫ ।

ଶୁଣି ବେନି ମୁନି ବୋଲନ୍ତି ତୁମ୍ଭ ତର୍କଯୁଦ୍ଧରେ,

ଉଭୟ ଭାରତୀ ଅଟନ୍ତି ସୁଯୋଗ୍ୟା ଯଥାର୍ଥରେ । ୬୬ ।

ଦେବୀ ସରସ୍ୱତୀ ଅଟନ୍ତି ଏ ମଣ୍ଡନ-ଘରଣୀ,

ଜୟ ପରାଜୟ କହିବେ ସେହି ଯଥାର୍ଥ ବାଣୀ । ୬୭ ।

ଶଙ୍କର ବୋଇଲେ ମୋହର ଏ କଥାରେ ବିଶ୍ୱାସ,

ମୁଁ ତାଙ୍କୁ ମଧ୍ୟସ୍ଥ ମାନୁଛି ହେବ ସତ୍ୟ ପ୍ରକାଶ । ୬୮ ।

ଉଭୟେ ଏମନ୍ତ ପ୍ରତିଜ୍ଞା କରି ଋଷିଙ୍କ ଆଗେ,

ସସମ୍ମାନରେ ବିଦାହୋଇ ଗଲେ ସ୍ୱକାର୍ଯ୍ୟେ ବେଗେ । ୬୯ ।

ଶ୍ରାଦ୍ଧକାମ ସାରି ଋଷିଏ ନିଜ ଆଶ୍ରମେ ଗଲେ,

ଉଭୟ-ଭାରତୀ ଏ କଥା ଶୁଣି ହରଷ ହେଲେ । ୭୦ ।

 

ସପ୍ତଦଶ ଅଧ୍ୟାୟ

ମଣ୍ଡନ ମିଶ୍ରଙ୍କ ପରାଜୟ

 

ପ୍ରଭାତରେ ସାରି ଆପଣା ନିତ୍ୟ କର୍ମ୍ମୋପାସନା,

ଦ୍ୱନ୍ଦ୍ୱଯୁଦ୍ଧ ପାଇଁ ଉଭୟେ ଅତି ଉତ୍ସୁକ ମନା । ୧ ।

ବହୁ ପଣ୍ଡିତ ସମାଗତ ସଭାଗୃହ ସର୍ଜ୍ଜିତ,

ଏ କାଳେ ବିଜୟେ ଶଙ୍କର ନିଜ ଶିଷ୍ୟ ସହିତ । ୨ ।

ବିବୁଧକ ସଙ୍ଗେ ବିବୁଧମଣି ଉଠି ବହନ,

ସ୍ୱାଗତ କଲେ ଯତୀବରେ କହି ଶିଷ୍ଟ ବଚନ । ୩ ।

ମଣ୍ଡନ-ଘରଣୀ ଉଭୟ-ଭାରତୀ ବିଜେ ହେଲେ,

ସର୍ବେ ମିଳି ସଭାପତିଙ୍କ ଆସନ ତାଙ୍କୁ ଦେଲେ । ୪ ।

ଅଧିଷ୍ଠାତ୍ରୀ ହୋଇ ସଭାରେ ଦେବୀ ଦ୍ୱୟ-ଭାରତୀ,

ମଧୁର ବିନମ୍ର ବଚନେ ଉଭୟଙ୍କୁ କହନ୍ତି । ୫ ।

ହରବ୍ରହ୍ମାଙ୍କର ଏ ଧର୍ମ୍ମଶାସ୍ତ୍ର ବେଦବିବାଦେ,

ଜୟପରାଜୟ ଜାଣିବା ନିମିତ୍ତ ଅପ୍ରମାଦେ । ୬ ।

ଏ ସୁମନହାର କଣ୍ଠରେ କର ବେନି ଧାରଣ,

ପରାସ୍ତ ଯେ ହେବ ତାହାର ମଉଳିବ ସୁମନ । ୭ ।

କହି ବେନି ହାର ଲମ୍ବାଇ ଦେଲେ ବେନି କଣ୍ଠରେ,

ବିପ୍ରେ କଲେ ସ୍ୱସ୍ତିବଚନ: ବଦମନ୍ତ୍ରେ ସୁସ୍ୱରେ । ୮ ।

ଆଦ୍ୟରେ ବୋଲନ୍ତି ଶଙ୍କର ଆଚାର୍ଯ୍ୟ ଟେକି କର,

ଜୀବ ପରମ ଦୁଇ ଏକ ଅଦ୍ୱୈତବାଦ ମୋର । ୯ ।

ଶୁକ୍ତି ରଜତ ପରକାରେ ଅଜ୍ଞାନରେ ଆବୃତ୍ତ,

ହୋଇ ବ୍ରହ୍ମ ବ୍ରହ୍ମାଣ୍ଡାକାରେ ହେଉଛନ୍ତି ପ୍ରତୀତ । ୧୦।

ଏକ ଅଦ୍ୱିତୀୟ ସତ୍ୟ ସେ ଜ୍ଞାନମୟ ଅନନ୍ତ,

ଅଖିଳ ବ୍ରହ୍ମାଣ୍ଡ କେବଳ ବ୍ରହ୍ମମୟ ନିଶ୍ଚିତ । ୧୧ ।

ବ୍ରହ୍ମକୁ ଯିଏ ଜାଣିଛନ୍ତି ବ୍ରହ୍ମ ସେହି ଅଟନ୍ତି,

ବ୍ରହ୍ମଜ୍ଞ ଜନର ସମ୍ଭବ ନୁହେଁ ପୁନରାବୃତ୍ତି । ୧୨ ।

ଏ ବେଦାନ୍ତ ବାକ୍ୟ ମୋହର ସତ୍ୟ ସତ୍ୟ ପ୍ରମାଣ,

ଅନ୍ୟଥା ହେଲେ ଶିଷ୍ୟ ହେବି ବିନ୍ଧ ଶୁକ୍ଳ ବସନ । ୧୩ ।

ଜୟପରାଜୟ ନିଧାର୍ଯ୍ୟ କହିବେ ସରସ୍ୱତୀ,

ଖଣ୍ଡିବାକୁ ଯତିଙ୍କ ମତ ଦ୍ୱିଜବର କହନ୍ତି । ୧୪ ।

ପରମାତ୍ମା ଚିତ୍ତସ୍ୱରୂପ ଜ୍ଞାନସ୍ୱରୂପ ବ୍ରହ୍ମ,

ପ୍ରମାଣ କରିବାକୁ ଏହା ବେଦାନ୍ତଟି ଅକ୍ଷମ । ୧୫ ।

ଘଟ ଆପ ଇତ୍ୟାଦି ବାକ୍ୟେ ପ୍ରତୀତ କର୍ମ୍ମଶକ୍ତି,

କେବଳ ମାତ୍ର କର୍ମ୍ମ ଯୋଗେ ଲାଭ ହୁଅଇ ମୁକ୍ତି । ୧୬ ।

ପରସ୍ପର ଯୁକ୍ତି ଲାଗିଲା ଏହି ବିଷୟ ଘେନି,

ବେଦବେଦାନ୍ତର ପ୍ରମାଣ ସୂତ୍ର କହନ୍ତି ବେନି । ୧୭ ।

ଜଇମୁନି ବ୍ୟାସ ଶୂନ୍ୟରେ ରହି ଶୁଣନ୍ତି ଯୁକ୍ତି,

ଷଷ୍ଠ ଦିନ ବାଦ ଲାଗିଲା: କେହି ଊଣା ନୁହନ୍ତି । ୧୮।

ବ୍ରହ୍ମର ସ୍ୱରୂପ ଶୁଣିଲେ ମାୟା ନିବୃତ୍ତି ନୁହେଁ,

ନିଦିଧ୍ୟା ସନାଦି କର୍ମ୍ମରେ ତାହା ସଫଳ ହୁଏ । ୧୯ ।

କର୍ମ୍ମମାର୍ଗ ଛାଡ଼ି ପରମ ବ୍ରହ୍ମ ମିଳି ନପାରେ,

ଶଙ୍କର ବୋଲନ୍ତି କରମ ଲେପ ବ୍ରହ୍ମଜ୍ଞାନରେ । ୨୦ ।

ତତ୍ତ୍ୱମସି ଅହଂବ୍ରହ୍ମାସି ଇତ୍ୟାଦି ବେଦବାକ୍ୟେ,

ଦ୍ୱାରେ ଜୀବପରମ ଦୁଇ ପ୍ରମାଣ କରେ ଐକ୍ୟ । ୨୧ ।

କର୍ମ୍ମ ଅଟେ ବ୍ରହ୍ମପ୍ରାପ୍ତିର ଏକମାତ୍ର ସୋପାନ,

ଜୀବମୋକ୍ଷ ପଦ ନ ଲଭେ ନ ହେଲେ ବ୍ରହ୍ମଜ୍ଞାନ । ୨୨ ।

ଶୁଦ୍ଧ ବୁଦ୍ଧ ନିତି ନିଶ୍ଚଳ ଅଦ୍ୱିତୀୟ ପରମ,

ବ୍ରହ୍ମଜ୍ଞାନ ଦେଲେ ହୁଅନ୍ତି ସେହି ପରମ ବ୍ରହ୍ମ । ୨୩ ।

ଏମନ୍ତେ ଶଙ୍କର ଅନେକ କହି ଅଦ୍ୱୈତ ମତ,

ସିଦ୍ଧ କଲେ ମଣ୍ଡନ ମିଶ୍ର ଯୁକ୍ତିକଲେ ବହୁତ । ୨୪ ।

ଜୈମିନୀ ସୂତ୍ର ଆଦି ବହୁ ଶାସ୍ତ୍ର ଦେଲେ ପ୍ରମାଣ,

ମାତ୍ର ବେଦାନ୍ତ ବ୍ରହ୍ମସୂତ୍ର ସର୍ବ ଉପରେ ଜାଣ । ୨୫ ।

ମଣ୍ଡନ ବୋଲନ୍ତି ଜୀବାତ୍ମା ପରମାତ୍ମା ଅଭେଦ,

ନାହିଁ ଏ ବାକ୍ୟର ପ୍ରମାଣ ଅଛି ଅନେକ ଭେଦ । ୨୬ ।

ବୋଲନ୍ତେ ବୋଇଲେ ଶଙ୍କର ଯାଜ୍ଞବଳ୍‌କ ଜନକ,

ଉଦ୍ଦାଳକ ଆଦି ବ୍ରହ୍ମଜ୍ଞ ଗୁରୁଗଣ ଯେତକ । ୨୭ ।

ତତ୍ତ୍ୱମସି ଶ୍ୱେତକେତୁ ବେଦସିଦ୍ଧ ବଚନ,

ଉପଦେଶ ଦେଇଅଛନ୍ତି ବ୍ରହ୍ମାସି ପ୍ରମାଣ । ୨୮ ।

ଏମନ୍ତେ ବହୁ ପରକାରେ ବୋଲନ୍ତେ ଯତିବର,

ମଉଳିଲା କୁସୁମହାର ମଣ୍ଡନଙ୍କ କଣ୍ଠର । ୨୯ ।

ନିରେଖି ଉଭୟ-ଭାରତୀ ବୋଇଲେ ଯୋଡ଼ିକର,

ଆଉ ତର୍କରେ କାର୍ଯ୍ୟ ନାହିଁ ପ୍ରତିଜ୍ଞା ରକ୍ଷା କର । ୩୦ ।

ମଣ୍ଡନ ବୋଇଲେ ପରାସ୍ତ ହେଲି ନାହିଁ ଶୋଚନା,

ମାତ୍ର ଜୈମିନୀଙ୍କ ବଚନ କିପରି ହେବ ଊଣା ?୩୧ ।

ଶଙ୍କର ବୋଇଲେ ବୁଝିବା ଦୋଷ ଅଟେ ଆମ୍ଭର,

ଏକ ଅଦ୍ୱିତୀୟ ପ୍ରମାଣେ,କରେ ସୂତ୍ର ତାଙ୍କର । ୩୨ ।

ମନରୁ ସଂଶୟ ନ ଗଲା ଯତି ଯେତେ କହିଲେ,

ଜୈମିନିକୁ ମନେ ସ୍ମରଣ ମଣ୍ଡନ ମିଶ୍ର କଲେ । ୩୩ ।

ସ୍ମରିବା ମାତ୍ରକେ ପ୍ରକଟ ହେଲେ ଜୈମିନି ମୁନି,

ମୁନିଙ୍କୁ ବିଲୋକି ଉଭୟ ପକ୍ଷ ହୋଇଲେ ତୁନି । ୩୪ ।

ଶିବ ଅବତାର ଶଙ୍କର ତାଙ୍କ ବ୍ୟାଖ୍ୟା ପ୍ରମାଣ,

ଏଥିରେ ସନ୍ଦେହ ନ କର କହି ମୁନି ପ୍ରସ୍ଥାନ । ୩୫।

ଉଭୟ-ଭାରତୀ ବୋଇଲେ ବେଳ ହେଲା ଉଚ୍ଛୁର,

ସକଳେ ସାନନ୍ଦେ ଆଜିକ ଏଠାରେ ଭିକ୍ଷା କର । ୩୬ ।

ସଭା ଭଙ୍ଗ କରି ସକଳେ ମଧ୍ୟାହ୍ନ କର୍ମ କଲେ,

ସୁମିଷ୍ଠ ଭୋଜନେ ସକଳେ ଦ୍ୱିଜପତ୍ନୀ ତୋଷିଲେ । ୩୭ ।

ବସିଲେ ଆସନେ ଶଙ୍କର ହୋଇ ପ୍ରସନ୍ନ ମନ,

ଭକ୍ତିରେ ସ୍ତୁତି ଆରମ୍ଭିଲେ ସୁଧୀବର ମଣ୍ଡନ । ୩୮ ।

କରୁଣାବାରିଧି ଆପଣ ବିଶ୍ୱଗୁରୁ ଶଙ୍କର,

କ୍ଷମି ଅପରାଧ ଅଧମେ ଦେବ କରୁଣା କର । ୩୯ ।

ବେଦବେଦାନ୍ତରେ ପାରଗ ସର୍ବଜ୍ଞ ଅହଂକାର,

ଚୂର୍ଣ୍ଣ ହେଲା ଆଜି ଜାଣିଲି ଦେବାନ୍ତତତ୍ତ୍ୱସାର । ୪୦ ।

ଅଦ୍ୱୈତବାଦ ପ୍ରଚାରକ ହେ ସୂତ୍ରଭାଷ୍ୟକାର,

ଜନଭବବଦ୍ଧେ ମୋଚନେ ହୋଇଛ ଅବତାର । ୪୧ ।

ବୈଦିକ ଧର୍ମ ସଂସ୍ଥାପନେ ପାଷଣ୍ଡ ମତ ନାଶ,

କରିବାକୁ ଭାରତେ ଜ୍ଞାନମାର୍ତ୍ତଣ୍ଡ ପରକାଶ । ୪୨ ।

ପାଣ୍ଡିତ୍ୟାଭିମାନେ କହିଛି କେତେ କେତେ କୁବାଣୀ,

କ୍ଷମାକର ମୋତେ ନିର୍ବୋଧ ମୂଢ଼ ବାଳକ ଜାଣି । ୪୩ ।

ଶରଣ ଶ୍ରୀପଦେ ପଶିଲି କହି ନମିଲେ ପୁଣ,

ଉଭୟ-ଭାରତୀ କହିଲେ ପ୍ରଭୋ ! ମୋ କଥା ଶୁଣ । ୪୪ ।

ବାଲ୍ୟରେ ଥିଲି ମାତା ପାଶେ ଏକ ମୁନି ବିଜୟେ,

ଦେଖି ଜନନୀ ପୂଜାକଲେ ପାଦ୍ୟ ଅର୍ଘ୍ୟେ ବିନୟେ ।୪୫।

ପ୍ରସନ୍ନ ହେବାରୁ ସେ ମୁନିଜନନୀ ପଚାରିଲେ,

ଏ ମୋ ଝିଅର ଭବିଷ୍ୟତ କଥା ଶୁଣାଅ ଭଲେ । ୪୬ ।

ବୋଲନ୍ତେ ବୋଇଲେ ସେ ମୁନି ଏ ଝିଅ ସରସ୍ୱତୀ,

ଉପହାସ କରି ଦୁର୍ବାସା ଶାପରେ ଜନ୍ମିଛନ୍ତି । ୪୭ ।

ବୈଦିକ ଧର୍ମ ନାଶକାରୀ ବୌଦ୍ଧମନଖଣ୍ଡନ,

କରିବାକୁ ବ୍ରହ୍ମା ଜନ୍ମିବେ ଏହି ମିଶ୍ର ମଣ୍ଡନ । ୪୮ ।

ଶିବ ଅବତାର ଶଙ୍କର ସଙ୍ଗେ ଶାସ୍ତ୍ରବାଦରେ,

ହାରି ହେବେ ଯେବେ ସନ୍ନ୍ୟାସ ଏ ଯିବେ ସ୍ୱର୍ଗପୁରେ ।୪୯।

ଏବେ ଆସିଛି ସେ ସମୟ ମାତ୍ର ଶୁଣ ହେ ଯତି,

କାହିଁକି ସନ୍ନ୍ୟାସ ନ ହେବେ ମୋହର ପ୍ରାଣପତି । ୫୦ ।

ପତିପତ୍ନୀ ଅଙ୍ଗ ଅର୍ଦ୍ଧେକ ତେଣୁ ମୁଁ ଅର୍ଦ୍ଧାଙ୍ଗିନୀ,

ମୋତେ ଜୟ ନ କଲେ ଜୟୀ ହୋଇ ନ ପାର ଜ୍ଞାନି ! ୫୧ ।

ସର୍ବଜ୍ଞ ପୁରୁଷ ଆପଣ ତଥାପି ଇଚ୍ଛା ମୋର,

ତର୍କଯୁଦ୍ଧେ ଜିଣି ରଖିବି ଗୃହେ ମୋ ପୂଜ୍ୟ ବର । ୫୨ ।

ଶଙ୍କର ବୋଲନ୍ତି ନାରୀ ଯେ ତୁମ୍ଭେ ଅଟ ବିଦୁଷୀ,

ନାରୀ ସଙ୍ଗେ ତର୍କକରିବା ମନା ବିବୁଧେ ଭାଷି । ୫୩ ।

ବୋଲନ୍ତି ଉଭୟ-ଭାରତୀ ଏହା ନୁହେଁ ଅବିଧି,

ଯାଜ୍ଞବଳ୍‌କ୍ୟ ଗାଗୀ ସଙ୍ଗତେ ତର୍କ ଅଛି ପ୍ରସିଦ୍ଧି । ୫୪ ।

ସୁଲଭା ସଙ୍ଗତେ ଜନକ ତର୍କ ଆଚରିଥିଲେ,

ଏପରି ଦୃଷ୍ଟାନ୍ତ ରହିଛି କର ବିଚାର ଭଲେ । ୫୫ ।

ବିପ୍ରପତ୍ନୀଙ୍କର ଯୁକ୍ତିକୁ ଖଣ୍ଡି ନ ପାରି ଯତି,

ତର୍କଯୁଦ୍ଧେ ହେଲେ ପ୍ରବୃତ୍ତ ଯତି ଦ୍ୱୟ-ଭାରତୀ । ୫୬ ।

 

ଅଷ୍ଟାଦଶ ଅଧ୍ୟାୟ

ମଣ୍ଡନ ମିଶ୍ରଙ୍କ ସନ୍ନ୍ୟାସ-ଗ୍ରହଣ

 

ସରସ୍ୱତୀ ବିଦ୍ୟାଧିଷ୍ଠାନୀ ଦେବୀ ଏକ ପକ୍ଷରେ,

ଅନ୍ୟ ପକ୍ଷେ ଶିବଶଙ୍କର ପ୍ରବର୍ତ୍ତିଲେ ଦ୍ୱନ୍ଦରେ । ୧।

ଦର୍ଶକ ବିବୁଧମଣ୍ଡଳୀ ଶୂନ୍ୟେ ଋଷି ଅମର,

ବହୁ ମତେ ତର୍କ ଲାଗିଲା ପୂର୍ଣ୍ଣ ଦିନ ସତର । ୨ ।

କେହି କାହାକୁ ନୋହି ଊଣା ଯେଝା ମତ ସାବ୍ୟସ୍ତ,

କରିବାକୁ ବେଦ ପ୍ରମାଣ ଦେବାରେ ବ୍ୟତିବ୍ୟସ୍ତ । ୩ ।

ଦେବୀ ବିଚାରିଲେ ଶଙ୍କର ଆବାଲ୍ୟ ବ୍ରହ୍ମଚାରୀ,

ଜିଣିବ ଏହାକୁ କେବଳ କାମଶାସ୍ତ୍ର ପଚାରି ।୪ ।

ଭାବି ପ୍ରଶ୍ନ କଲେ ହେ ଯତି ! ଏହି ପ୍ରଶ୍ନ ମୋହର,

ପରାସ୍ତ ହେବି ମୁଁ ଏହାର ଦେଲେ ଯଥା ଉତ୍ତର । ୫ ।

କାମକଳା କହି କାହାକୁ ସେବା କେତେ ପ୍ରକାର,

ଶୁକ୍ଳ କୃଷ୍ଣ ପକ୍ଷେ କେମନ୍ତେ କାହିଁ ବାସ ତାହାର ? । ୬ ।

ପୁରୁଷ ଉପରେ ଯୁବତୀ କହନ୍ତୁ କି ପ୍ରକାରରେ,

ସେ କାମକଳାର ପ୍ରଭାବ ବଳେ ବିସ୍ତାର କରେ । ୭ ।

ବିଷମ ଶଙ୍କଟ ଶଙ୍କର ଏ ବିଦ୍ୟାରେ ଅଜଣା,

ବିଚାରି ବୋଇଲେ ହେ ଦେବୀ କହିଦେବି ଠିକଣା । ୮ ।

ବେନି ପକ୍ଷ ଦିଅ ସମୟ ଏହି ପ୍ରାର୍ଥନା ମୋର,

ସାନନ୍ଦେ ଉଭୟ ଭାରତୀ ତାହା କଲେ ସ୍ୱୀକାର । ୯ ।

ବିଦାହୋଇ ତହୁଁ ଶଙ୍କର କଲେ ଶୂନ୍ୟରେ ଗତି,

ଯେଉଁ ଶିଷ୍ୟ ସଙ୍ଗେ ଦେଖିଲେ ପଥେ ଏକ ନୃପତି । ୧୦ ।

ଅମରକ ନାମ ତାହାର ଆସି ମୃଗୟା ଅର୍ଥେ

ପ୍ରାଣ ଛାଡ଼ି ପଡ଼ିଅଛନ୍ତି ଏକା ଘୋର ବନସ୍ତେ । ୧୧ ।

ପଦ୍ମପାଦେ ଚାହିଁ ବୋଇଲେ ରାଜା ଏ ଅମରକ,

ଦେଖ ପ୍ରାଣ ଛାଡ଼ି ପଡ଼ିଛି ନେତ୍ରେ ନାହିଁ ପଲକ । ୧୨ ।

ପୁନର୍ଜ୍ଜୀବିତ ମୁଁ କରିବି ପଶି ଏହା ଦେହରେ,

କାମଶାସ୍ତ୍ରେ ହେବି ପ୍ରବୀଣ ରାଜଅନ୍ତଃପୁରରେ । ୧୩ ।

ଶୁଣି ସଭୟେ ପଦ୍ମପାଦ ବୋଇଲେ ଯୋଡ଼ିକର,

ଭୋ ଦେବ ସର୍ବଜ୍ଞ ଆପଣ ମାତ୍ର ଏ ଭୟଙ୍କର । ୧୪ ।

କର୍ମ୍ମ ଆଚରିଲେ କେଜାଣି ଅବା ଦେହ ପାସୋରି,

ଭୋଗବିଳାସରେ ବୁଡ଼ିବ ମହାମାୟା ଆବୋରି । ୧୫ ।

ମତ୍ସ୍ୟେନ୍ଦ୍ର ମୁନିଙ୍କ ଆଖ୍ୟାନ ପୁରାଣରେ ବର୍ଣ୍ଣିତ,

କି ହେଲା ଅବସ୍ଥା ତାଙ୍କର ଆପଣଙ୍କୁ ବିଦିତ । ୧୬ ।

ଦେହରକ୍ଷାପାଇଁ ଗୋରକ୍ଷ୍ୟ ଶିଷ୍ୟକୁ ରଖିଥିଲେ,

କାମିନୀକାଞ୍ଚନ ମୋହରେ ନିଜକୁ ପାଶୋରିଲେ । ୧୭ ।

ଗୋରକ୍ଷ୍ୟ ତାଙ୍କୁ ଉଦ୍ଧାରିଲେ ଚେଷ୍ଟା ବହୁତ କରି,

ଚେତାଇବା ଜ୍ଞାନସଙ୍ଗୀତ ଗାଇଲେ ବୀଣା ଧରି । ୧୮ ।

ସାତକର୍ଣ୍ଣି ମୁନି ସମାନେ ଆଉକେ ଅଛି ଜଣେ,

ତପ ସାଧୁଥିଲେ କଠୋର କୁଶାଙ୍କର ଭକ୍ଷଣେ । ୧୯ ।

ମୃଗ ସଙ୍ଗେ ବନେ ବଞ୍ଚନ୍ତି ଦେଖି ସୁରେନ୍ଦ୍ର ଭୀତି

ଅପସରା ପ୍ରେମରେ ମର୍ଜ୍ଜିଲେ ଛାଡ଼ି ତାପସ ନୀତି । ୨୦ ।

ମହାମାୟାଙ୍କର ପ୍ରଭାବ ତାକୁ କେ ଜିଣିପାରେ,

ଜିଣିପାରେ ଏକା ସେ ଯାକୁ ତାରି କରୁଣାରେ । ୨୧ ।

ଶଙ୍କର ବୋଇଲେ ଏହାର ଭେଦ ରହିଛି ଜାଣ,

ଗୋପାଙ୍ଗନା ସଙ୍ଗେ ଶ୍ରୀକୃଷ୍ଣ ପ୍ରେମ ଅଟେ ପ୍ରମାଣ । ୨୨ ।

ବ୍ରଜୋଳି ନାମକ ଯୋଗରେ ଅଛି ସୂତ୍ର ଏହାର,

ଆବଦ୍ଧ କରି ନ ପାରଇ ମାୟା ମହାମାୟାର । ୨୩ ।

ଯୋଗୀସନ୍ନ୍ୟାସ ଯେ ଜାଣନ୍ତି ତତ୍ତ୍ୱମସିର ତତ୍ତ୍ୱ,

ରେତଃ ସ୍ଖଳନ ହେଲେ ମଦ୍ୟ ତାଙ୍କ ନ ଟଳେ ବ୍ରତ । ୨୪ ।

ତତ୍ତ୍ୱଜ୍ଞାନୀ ସାଧୁମାନଙ୍କ ପାପପୁଣ୍ୟ ବିଚାର,

ନ ଥାଇ ମାତ୍ର ନ ରହଇ କୌଣସି ଆଚାର । ୨୫ ।

ଲୟ ଥାଇ ସଦାବ୍ରହ୍ମରେ ଦେଖନ୍ତି ବ୍ରହ୍ମମୟ,

ବ୍ରହ୍ମଯଜ୍ଞେ ପୂର୍ଣ୍ଣ ଆହୁତି କରମ ସମୁଦୟ । ୨୬ ।

ଏହା କହି ଦେହ ରଖିଲେ ଏକ ଗିରିଗୁହାରେ,

ପଦ୍ମପାଦ ଜଗିରହିଲେ ଗୁରୁଭକ୍ତି ନିଷ୍ଠାରେ । ୨୭ ।

ରାଜା ଦେହେ ପ୍ରାଣଆସିଲା ସୁଖେ ଗଲେ ନବରେ,

ଦେଖି ଦାସଦାସୀ ରାଣିଏ ସେବାକଲେ ପୟରେ । ୨୮ ।

ସୁରସିକା ରାଜନାୟିକା ସଙ୍ଗେ କେଳିକୌତୁକ,

ଆଚରି କଲେ ଅନୁଭବ କାମଶାସ୍ତ୍ର ଅନେକ । ୨୯ ।

ସୁଶାସନ ହେଲା ରାଜ୍ୟରେ ପଜାଏ ହେଲେ ସୁଖୀ,

ଅନ୍ନ-ଜଳ-ବସ୍ତ୍ର ପ୍ରଚୁର ନ ଥାଇ ଭୋକୀ ଦୁଃଖୀ । ୩୦ ।

ଫଳପୁଷ୍ପେ ତରୁ ଶୋଭିଲେ ଭୃତ୍ୟେ ସାଧୁ ସ୍ୱଭାବ,

ଯଥା କାଳେ ମେଘ ବର୍ଷିଲେ ନାହିଁ ଜଳ ଅଭାବ । ୩୧ ।

ମନ୍ତ୍ରୀ ଉପମନ୍ତ୍ରୀ ଅମାତ୍ୟେ ବିଚାରିଲେ ମନର,

ରାଜ ଶରୀରେ କେ ଦେବତା କରି ଅଛି କି ଘର ? । ୩୨।

ମୃତ ଶରୀରକୁ ଦେଶରେ ନ ରଖି ଭସ୍ମ କର,

ତେବେ ଏ ଫେରି ନ ପାଇବେ ହେଲେ ନର ଅମର । ୩୩ ।

ରାଜା ଦେହଛାଡ଼ି ଆପଣା ଦେହ ଖୋଜି ନ ପାଇ,

କରିବେ ରାଜ୍ୟ ସୁଶାସନ ରାଜ ଶରୀରେ ଥାଇ । ୩୪ ।

ଅମାତ୍ୟବର୍ଗଙ୍କ ହସ୍ତରେ ଥୋଇ ଶାସନଭାର,

କଲେ କାମିନୀଙ୍କ ସଙ୍ଗତେ ଅନ୍ତଃପୁରେ ବିହାର । ୩୫ ।

ବିବୃତ ଜଘନା ଦଂଶିତ ଅଧରା ଶବ୍ଦକର,

ଆଲୋଡ଼ିତ ସ୍ତନ ଯୁଗଳା ପ୍ରାପ୍ତ ଉତ୍ସାହୀ ଧୀରା । ୩୬ ।

ମଣିମେଖଳା ରଣରଣା ନୃତ୍ୟ ଅଙ୍ଗପ୍ରତ୍ୟଙ୍ଗା,

ନାନାରୂପ ଅଙ୍ଗଭଙ୍ଗିମା ରମ୍ୟବେଶା ନିଃସଙ୍ଗା । ୩୭ ।

ଅନନ୍ୟମନା କେ ରମଣୀ ସର୍ବେ ନବ ଯୁବତୀ,

ରତିଶାସ୍ତ୍ରେ ସର୍ବେ ପଣ୍ଡିତା ତୋଷନ୍ତି ରାଜାମତି । ୩୮ ।

ଶ୍ରଦ୍ଧାପ୍ରୀତି କୀର୍ତ୍ତି ବିମଳା ମେଦିନୀଘୋରା ରାତି,

ମଦନୋତ୍ପାଦିନୀ ମୋହିନୀ ମନୋଭାବା ଯେ ଧୃତି । ୩୯ ।

ଯବା ମଦନା ବଶକରୀ ଦୀପାଳୀ ଯେ ରଞ୍ଜନୀ,

ଏହି ଷୋଳକଳା ଶରୀରେ ଧରିଥାନ୍ତି ରମଣୀ । ୪୦ ।

ପାଦଗୋଇଠି ଉରୁ ଭାଗ ନାଭି ହୃଦୟ ସ୍ତନ,

କନ୍ଧ କଣ୍ଠ ଓଷ୍ଠ ନୟନ ଗଣ୍ଡ ଲଲାଟ କର୍ଣ୍ଣ । ୪୧ ।

ଶିରଯାଏ ନାନା କଳାଏ ତିଥିଭେଦେ ରହନ୍ତି,

ପୁରୁଷଙ୍କ ଦକ୍ଷଭାଗରେ ଶୁକ୍ଳ ପକ୍ଷେ ବସତି । ୪୨ ।

ନାରୀଙ୍କର ବାମଅଂଶରେ ଏପରି ବିପରୀତ,

ସ୍ତିରୀ ପୁରୁଷଙ୍କ ଶରୀରେ କଳାଏ ଅବସ୍ଥିତ । ୪୩ ।

ଏମନ୍ତ ଶାସ୍ତ୍ରବିଧାନରେ ରତିକଲେ ରାଜନ,

ବାତ୍ସାୟନ କାମଶାସ୍ତ୍ରକୁ କରନ୍ତି ଅଧ୍ୟୟନ । ୪୪ ।

ନୃତ୍ୟଗୀତ ବାଦ୍ୟ ସତତ ରମନ୍ତି ନାନା ରଙ୍ଗେ,

ବଧୂ ସଙ୍ଗେ ମଧୂ ପିବନ୍ତି ଭୋଳହୋଇ ଅନଙ୍ଗେ । ୪୫ ।

ରଚିଲେ ରତିଶାସ୍ତ୍ର କେତେ ଅନ୍ତଃପୁରରେ ରହି,

ବାହାରକୁ ନୋହି ବାହାର ଗଲା ମାସକେ ବହି । ୪୬ ।

ପାଶୋରିଲେ ନିଜ ପ୍ରତିଜ୍ଞା ଲଭି ଅପୂର୍ବ ସୁଖ,

ଦିନ ଗଣି ଶିଷ୍ୟ ସକଳେ ମନେ ବହିଲେ ଦୁଃଖ । ୪୭ ।

ଗୁରୁଙ୍କର ମୋହ ଭାଙ୍ଗିବା ପାଇଁ ଉପାୟ ପାଞ୍ଚି,

ସଙ୍ଗୀତାଚାର୍ଯ୍ୟ ବେଶ ଧରି କରେ ଧରି ବିପଞ୍ଚୀ । ୪୮ ।

ଅନୁମତି ପାଇ ପ୍ରବେଶହୋଇ ରାଜନବରେ,

ବଲ୍ଲବୀ ବଜାଇ ଗାଇଲେ ତାଙ୍କ ମୋହମୁଦ୍‍ଗରେ । ୪୯ ।

ଶୁଣିଲା ମାତ୍ରକେ ଛାଡ଼ିଲା ମୋହ ହେଲା ସ୍ମରଣ,

ସ୍ୱଦେହେ ହୋଇଲେ ପ୍ରବେଶ ରାଜାଙ୍କର ମରଣ । ୫୦ ।

ଅମରକ ରାଜପୁରରେ ଉଠେ କ୍ରନ୍ଦନରୋଳ,

ରାଣୀ ପରିବାରୀ ସକଳେ ମଥାପିଟି ଆକୁଳ । ୫୧ ।

ପ୍ରଜାପାରିଷଦ ସକଳେ ବହୁତଶୋକ କରି,

ଅନ୍ତ୍ୟେଷ୍ଟିକ୍ରିୟା ବିଧି କଲେ କୁଳମାର୍ଗ ଆଚରି । ୫୨ ।

ଶିଷ୍ୟ ସଙ୍ଗତରେ ଶଙ୍କର ଗମିଲେ ମାହିଷ୍ମତୀ,

ଉଦବେଗ ମନ କିପରି ଜିଣିବେ ସରସ୍ୱତୀ । ୫୩ ।

ମଣ୍ଡନ ମିଶ୍ରଙ୍କ ମନ୍ଦିରେ ଯାଇ ହେଲେ ପ୍ରବେଶ,

ନିରେଖି ମଣ୍ଡନ ହରଷେ କଲେ ସ୍ତୁତି ଅଶେଷ । ୫୪ ।

ହେ ମହାପୁରୁଷ ସର୍ବଜ୍ଞ ସର୍ବବିଦ୍ୟାର ଗୁରୁ,

ଅଦୈତମତବାଦ ପ୍ରବର୍ତ୍ତକ ଭକ୍ତ କଳପତରୁ । ୫୫ ।

ଜ୍ଞାନଦାତା ଶିବ ଆପଣ ବୈଦିକ ସନାତନ,

ଧର୍ମ୍ମରକ୍ଷା ପାଇଁ ଭାରତେ ଯତିବେଶ ଧାରଣ । ୫୬ ।

କି ଛାର ଅବା କାମଶାସ୍ତ୍ର ସକଳ ଶାସ୍ତ୍ରଜ୍ଞାତା,

ପରାଜିତ ଆମ୍ଭେ ଉଭୟେ ଆପଣ ପିତାମାତା । ୫୭ ।

ଭୋ ଗୁରୁ ଅଧମ ଶିଷ୍ୟକୁ ଏବେ କର ସନ୍ନ୍ୟାସ ,

ଆଜ୍ଞା ଶିରେ ଧରି ପିନ୍ଧିବେ କୌପିନ କଷାବାସ । ୫୮ ।

କହି ପାଦତଳେ ପଡ଼ିଲେ ବେନି ସ୍ତିରୀ ପୁରୁଷ,

ଉଭୟ-ଭାରତୀ ଉଠିବା ମାତ୍ରେ ହେଲେ ଅଦୃଶ୍ୟ । ୫୯ ।

ଦୁର୍ବାଶା ଶାପମୁକ୍ତ ହୋଇ ସରସ୍ୱତୀ ସ୍ୱପ୍ନରେ,

ଯିବାରୁ ଅତ୍ୟନ୍ତ ପ୍ରମୋଦ ପଦ ବନ୍ଦିଲେ ସୁରେ । ୬୦ ।

ପରାଜିତ ହୋଇ ମଣ୍ଡନ ମିଶ୍ର ସନ୍ନ୍ୟାସ ହେଲେ,

ଗୁରୁ ଶଙ୍କର ତତ୍ତ୍ୱମସି ବାକ୍ୟ କର୍ଣ୍ଣରେ ଦେଲେ । ୬୧ ।

ଗୁରୁପାଦେ ସବୁ ସମର୍ପି ହେଲେ କୌପିନବନ୍ତ,

ଗୁରୁସେବାରେ ଦିନ ନେଲେ ଲଭି ସୁଖ ଅତ୍ୟନ୍ତ । ୬୨ ।

ତତ୍ତ୍ୱମସି ମହାବାକ୍ୟର ଗୂଢ଼ତତ୍ତ୍ୱ ବଚନ,

ଶୁଣି ଶ୍ରୀ ଗୁରୁଙ୍କମୁଖରୁ ଧନ୍ୟ ହେଲେ ମଣ୍ଡନ । ୬୩ ।

ସଶିଷ୍ୟରେ ତେଜି ସେ ସ୍ଥାନ ଯତି କଲେ ଗମନ,

ସୁରେଶରାଚାର୍ଯ୍ୟ ନାମରେ ଖ୍ୟାତ ହେଲେ ମଣ୍ଡନ । ୬୪ ।

ଥିଲେ ଅନ୍ୟ ଯେତେ ପଣ୍ଡିତ ମଣ୍ଡନଙ୍କ ସଙ୍ଗରେ,

ସର୍ବେ ଗୁରୁ କରି ସେବିଲେ ଶଙ୍କରଙ୍କ ପୟରେ । ୬୫ ।

 

ଉନ୍ନବିଂଶ ଅଧ୍ୟାୟ

କାପାଳିକ ସଂହାର

 

କେତେ ଦୂରେ ଯାଇ ରହିଲେ ଏକ ପର୍ବତ ପରେ,

ତଳେ ସୁରଧୁନୀ ବହଇ ଶିଷ୍ୟଗଣ ସଙ୍ଗରେ । ୧ ।

ପବିତ୍ର ନୀରେ ସ୍ନାନ କରି ତରୁମୂଳେ ଆସନ,

ଶିଷ୍ୟଗଣେ ବେଦବେଦାନ୍ତ କରନ୍ତି ଅଧ୍ୟୟନ । ୨ ।

ଚାରିଆଡ଼ୁ ବହୁତ ଲୋକ ଆସି କଲେ ଦର୍ଶନ,

ପଣ୍ଡିତ ସକଳେ ମିଳିଲେ ତେଜି ନିଜ ଭବନ । ୩ ।

ଶଙ୍କରାଚାର୍ଯ୍ୟଙ୍କ ବ୍ୟାଖ୍ୟାନ ସୂତ୍ରଭାଷ୍ୟ ଶ୍ରବଣେ,

ବିବୁଧେ ଚକିତ ଚିତ୍ତରେ ପ୍ରଣମନ୍ତି ଚରଣେ । ୪ ।

କେତେ ପଣ୍ଡିତେ ବାଦ କରି ହୁଅନ୍ତି ପରାଜିତ,

ଦିନୁଦିନ ଶଙ୍କରଶିଷ୍ୟ ସଂଖ୍ୟା ହେଲା ବର୍ଦ୍ଧିତ । ୫ ।

ରବିଉଦେ ହେଲେ ଯେପରି ନାଶହୁଏ ଅନ୍ଧାର,

ବେଦବିଦ୍ୱେଷୀ ବୌଦ୍ଧମନ ବିନାଶ ସେ ପ୍ରକାର । ୬ ।

ନାନାଧର୍ମ୍ମ ମତାବଲମ୍ବୀ ହାରି ଶାସ୍ତ୍ରତର୍କରେ,

ନିଜ ଭ୍ରମ ଜାଣି ତେଜନ୍ତି ଅଶାସ୍ତ୍ରୀୟ ମାର୍ଗରେ । ୭ ।

ସନାତନ ବୈଦିକମାର୍ଗ ହିନ୍ଦୁ ଧର୍ମ୍ମର ସାର,

ଋଷିମାନଙ୍କ ପ୍ରଚାରିତ ବିଶୁଦ୍ଧ ସଦାଚାର । ୮ ।

ଅଦ୍ୱୈତବାଦ ବ୍ରହ୍ମଜ୍ଞାନ ବେଦାନ୍ତ-ସାରସତ୍ତ୍ୱ,

ପଞ୍ଚଭୂତ ବିଶ୍ୱ ଅନନ୍ତ ଏକ ସର୍ବତ୍ର ବ୍ୟାପ୍ତ । ୯ ।

ଲୀଳାମୟ ଏକୁ ଅନେକ ସର୍ବତ୍ର ପରିପୂର୍ଣ୍ଣ,

ଆତ୍ମଜ୍ଞାନ ମାତ୍ରେ ହୁଅଇ ମାୟା ପ୍ରଭାବ ଚୂର୍ଣ୍ଣ । ୧୦ ।

ବେଦୋକ୍ତ ଭକ୍ତି କର୍ମ୍ମଜ୍ଞାନ ଜୀବ ଉଦ୍ଧାର ପଥ,

ସ୍ୱେଚ୍ଛାଚାରୀ ପାଷଣ୍ଡ ମତ ଭବାର୍ଣ୍ଣବେ ଅନର୍ଥ । ୧୧ ।

ଅଦ୍ୱୈତବାଦର ଶ୍ରେଷ୍ଠତ୍ୱ ଲୋକେ ହେଲା ପ୍ରଚାର,

କପିଳଙ୍କ ସାଂଖ୍ୟଦର୍ଶନ ପାଇଲା ଅନାଦର । ୧୨ ।

ତହିଁ ଏକ ଦିନ ମିଳିଲା ଜଣେକ କାପାଳିକ,

ଉଗ୍ରଭୈରବ ନାମ ତାର ଭାଲେ ରକ୍ତତିଳକ । ୧୩ ।

ସର୍ବାଙ୍ଗରେ ଭସ୍ମମଣ୍ଡିତ ଶିରେ କୁଞ୍ଚିତ କେଶ,

କପାଳ ତ୍ରିଶୂଳ ହସ୍ତରେ କୌପିନ କଟିଦେଶ । ୧୪ ।

ଶଙ୍କରଙ୍କୁ ଭେଟି ବୋଲି ବିନୟେ ଯୋଡ଼ି କର,

ପରମ ଦୟାଳୁ ସର୍ବଜ୍ଞ ଆପଣ ମୁନିବର । ୧୫ ।

ପର ଉପକାରେ ଶରୀର କରିଅଛି ଧାରଣ,

ମୋହର ଏ ଭିକ୍ଷା ସୁଚିତେ ଦେବ କର ଶ୍ରବଣ । ୧୬ ।

ଦେବଦେବେଶ ଶୂଳପାଣୀ ଶୁଣି ସ୍ତବ ମୋହର

ସୁପ୍ରସନ୍ନ ହୋଇ ପ୍ରଦାନ କଲେ ଏମନ୍ତ ବର । ୧୭ ।

ସର୍ବଜ୍ଞ ପବିତ୍ର ଚରିତ୍ର ଏକ ଉତ୍ତମ ଯତି,

କି ଅବା ପ୍ରତାପୀ ଲୋକରେ କେହି ଏକ ନୃପତି । ୧୮ ।

ହାଣି ବଳିଦେଲେ ମସ୍ତକ ମୋ କାମନା ପୂରିବ,

ଭୋ ଦେବ ଏହି ଭିକ୍ଷା ମୋର ନିରାଶ ନ କରିବ । ୧୯ ।

ଅସ୍ଥି ଦାନ କରି ଇନ୍ଦ୍ରଙ୍କୁ ଦଧୀଚି ମୁନିବର,

ରଖିଯାଇଛନ୍ତି ଅକ୍ଷୟ କୀର୍ତ୍ତି ମହୀ ଉପର । ୨୦ ।

ପାଣି ଫୋଟକାର ସଦୃଶ ଏ ଶରୀର ନଶ୍ୱର,

ଭିକ୍ଷାଦାନ କରି ବାସନା ପୂର୍ଣ୍ଣ କର ମୋହର । ୨୧ ।

ଶୁଣି ବିଚାରିଲେ ଶଙ୍କର କ୍ଷଣଭଙ୍ଗୁର ଦେହ,

ମିଶିଯିବ ପଞ୍ଚଭୂତରେ ଏହାଠାରେ କି ସ୍ନେହ ! ୨୨ ।

ଏହା ନେଲେ ଯେବେ ଏହାର ପୂର୍ଣ୍ଣ ହେବ କାମନା,

ପର ଉପକାରେ ଲାଗିବ କିମ୍ପା କରିବ ମନା । ୨୩ ।

ବୋଇଲେ ଭୈରବ ଗୋପନେ କାର୍ଯ୍ୟ ହେବ ତୁମ୍ଭର,

ଜାଣିଲେ ବହୁ ବାଧାଦେବେ ଶିଷ୍ୟଗଣେ ମୋହର । ୨୪ ।

କାଲି ପଶି ଗିରିଗୁହାରେ ଆଚରିବି ସମାଧି,

ସେତେବେଳେ ତୁମ୍ଭେ ତୁମ୍ଭର କାର୍ଯ୍ୟ କରିବ ସିଦ୍ଧି । ୨୫ ।

ଶୁଣି ଏମନ୍ତ କାପାଳିକ ଆନନ୍ଦରେ ଫେରିଲା,

ଆରଦିନ ଯଥା ସମୟେ ଗୁହା ମଧ୍ୟେ ମିଳିଲା । ୨୬ ।

ଦେଖିଲା ଦୃଢ଼ ପଦ୍ମାସନେ ବସିଛନ୍ତି ଶଙ୍କର,

ମୁଦ୍ରିତ ନୟନଯୁଗଳ ଜାନୁ ପରେ ଦ୍ୱିଜର । ୨୭ ।

ମନଜୀବନ ସବୁ ଲୟ ନିର୍ବିକଳ୍ପ ସମାଧି,

ଦେଖି କାପାଳିକ ଭାବିଲା କାର୍ଯ୍ୟ କରିବ ସିଦ୍ଧି । ୨୮ ।

ହାଣିବାକୁ ଟେକି ଧଇଲା ନିଜ କୃପାର କରେ,

ପଦ୍ମପାଦ ଏହା ଜାଣିଲେ ବେଗେ ଧ୍ୟାନଯୋଗରେ । ୨୯ ।

ନୃସିଂହ ମନ୍ତ୍ରକୁ ସୁମରି ନୃସିଂହ ରୂପ ଧରି,

ବିଜୁଳି ବେଗରେ ମଳିଲେ ବିକଟ ହାସ୍ୟ କରି । ୩୦ ।

ପ୍ରାଣ ନେଲେ ନଖେ ବିଦାରି କାପାଳିକ ହୃଦୟ,

ଭୀଷଣ ନୃସିଂହ ମୂରତି ଦେଖିଲେ ଶିଷ୍ୟଚୟ । ୩୧ ।

ଭାଙ୍ଗିଲା ଗୁରୁଙ୍କ ସମାଧି ଶୁଣି ଘୋର ଗର୍ଜ୍ଜନ,

ଦେଖିଲେ ନୃସିଂହ ମୂରତି ଆଗେ ଫେଇ ନୟନ । ୩୨ ।

ଆକାଶ-ପାତାଳ-ପୃଥିବୀ ଭୟରେ ଥରଥର,

ସୁରାସୁର ନରଗନ୍ଧର୍ବ ସର୍ବେ ଭୟେ କାତର । ୩୩ ।

ବଦନ-ନୟନେ ଜ୍ୱଳନ ବିଶ୍ୱବହନକାରୀ,

ଘୋର ଉଗ୍ରମୂର୍ତ୍ତି ନିରେଖି ଶଙ୍କର ତପଚାରୀ । ୩୪ ।

ସ୍ତୁତି କଳେ ବହୁ ମତରେ ନୃସିଂହଦେବଙ୍କର,

ଶାନ୍ତ ମୂର୍ତ୍ତି କଲେ ଧାରଣ ପଦ୍ମପାଦ ସତ୍ୱର । ୩୫ ।

ଶିଷ୍ୟଗଣେ ଦେଖି ଚକିତ ପଚାରିଲେ ସଭୟେ,

ଗୁରୁ ବୋଇଲେ ମନ୍ତ୍ରସିଦ୍ଧି କଲେ ଏମନ୍ତ ହୁଏ । ୩୬ ।

ମୃତ ଦେହ ଦୂରେ ଫୋପାଡ଼ି ନଦୀନୀରେ ଗାଧୋଇ,

କ୍ଷମା ମାଗିଲେ ଗୁରୁପଦେ ନମି ହୋଇ ବିନୟୀ । ୩୭ ।

ନମୋ ନମସ୍ତେ ଗୁରୁଦେବ ସ୍ୱୟଂ ପରମ ବ୍ରହ୍ମ,

ଅନନ୍ତ ମହିମା ତ୍ରିଲୋକ ବର୍ଣ୍ଣିବାରେ ଅକ୍ଷମ । ୩୮ ।

ଇଚ୍ଛାରେ ଲୀଳା କରୁଅଛ ଏକୁ ହୋଇ ଅନେକ,

ପ୍ରତି ଘଟରେ ବିରାଜିଛ ତୁମ୍ଭେ ଜ୍ଞାନ-ବିବେକ । ୩୯ ।

ହେ ମହାପୁରୁଷ ତୁମ୍ଭର କୃପାରେ ଜୀବପ୍ରାଣ,

ତବ କୃପା ହେଲେ ପ୍ରାଣୀର ହୃଦେ ଜନ୍ମଇ ଜ୍ଞାନ । ୪୦ ।

ଭବାର୍ଣ୍ଣବ ତରି କେବଳ ଦେବ ତୁମ୍ଭ ଚରଣ,

ଶରଣବତ୍ସଳ ଶ୍ରୀଗୁରୁ ଦିଅ ପଦେ ଶରଣ ୪୧ ।

ପରଉପକାର ସକାଶେ ଏ ଶରୀର ନଶ୍ୱର,

ଦାନ କରିଥିଲେ ଆଦର୍ଶ ମହାଜ୍ଞାନୀ ଶଙ୍କର । ୪୨ ।

ଶିଷ୍ୟ ସଙ୍ଗେ ତହୁଁ ଚଳିଲେ ନାନା ତୀର୍ଥପଥରେ,

ବିହିତ ତୀର୍ଥ କୃତ୍ୟକରି ଚାଲନ୍ତି ହରଷରେ । ୪୩ ।

ଭେଟିଲେ କେତେ ଜନପଦ କେତେ ବିପ୍ରଶାସନ,

ବହୁତ ପଣ୍ଡିତ କୃତାର୍ଥ ହେଲେ ଶୁଣି ବଚନ । ୪୪ ।

ଅଦ୍ୱୈତବାଦର ପ୍ରଶଂସା କରି ନମନ୍ତି ପାଦେ,

ପାଷଣ୍ଡେ ଶରଣ ପଶିଲେ ହୋଇ ପରାସ୍ତ ବାଦେ । ୪୫ ।

ହିନ୍ଦୁଧର୍ମ ଭାରତବର୍ଷେ ସନାତନ ବୈଦିକ,

ବେଦତତ୍ତ୍ୱ ଜାଣି ସକଳେ ଆଚରିଲେ ତା ଠିକ । ୪୬ ।

ଚାଲୁଥିଲେ ପଥେ କି ଅବା କାହିଁ କଲେ ବିଶ୍ରାମ,

ଶିଷ୍ୟେ ଉପନିଷଦ ବେଦ ପଢ଼ାନ୍ତି ଅବିରାମ । ୪୭ ।

ଶଙ୍କରମହିମା ସର୍ବତ୍ର ଲୋକେ ହେଲା ପ୍ରଚାର,

ଦୂରଦୂରାନ୍ତରୁ ଧାଇଁଲେ ଲୋକେ କହି ସମ୍ଭାର । ୪୮ ।

ଏମନ୍ତେ ଭ୍ରମି ଭ୍ରମିଯାଇ ଦେଖି ଗୋକର୍ଣ୍ଣତୀର୍ଥ,

ଆନନ୍ଦରେ ଶିବସାନ୍ନିଧ୍ୟେ କଲେ ଦିନ ଅତୀତ । ୪୯ ।

 

Unknown

ବିଂଶ ଅଧ୍ୟାୟ

ମତ ସନ୍ତାନକୁ ଜୀବଦାନ

 

ଲୋକର୍ଣ୍ଣତୀର୍ଥରେ ଶଙ୍କର କରି ଶଙ୍କରେ ଭକ୍ତି,

ରଚି ବ୍ରହ୍ମଶାସ୍ତ୍ର ଶୁଣାଇ ତୋଷିଲେ ପଶୁପତି । ୧ ।

ଅମ୍ବିକା ଦର୍ଶନ ମାନସେ ତହୁଁ ପଥେ ଚଳିଲେ,

ମନ୍ଦିର ନ ଯାଉଁ ପଥରେ ଅତି ଶୋକ ଶୁଣିଲେ । ୨ ।

ଦେଖିଲେ ମୃତ ଶିଶୁ କୋଳେ ଧରି ମାତାପିଅର,

ଉଚ୍ଚ ସ୍ୱରେ ଶୋକ କରନ୍ତି ମାରି କପାଳେ କର । ୩ ।

ଦୟାଦ୍ର ହୃଦୟ ଶଙ୍କର ପରଦୁଃଖେ କାତର,

ହେବାରୁ କର୍ଣ୍ଣରେ ଶୁରିଲେ ଶୂନ୍ୟବାଣୀ ସତ୍ୱର । ୪ ।

ପରଦୁଃଖ ଦେଖି ନ ପାରେ ଯିଏ ଦୁଃଖରୁ ତାରି,

ଦୁଃଖ କରିବା ବୃଥା ତାର ନୁହେଁ ସେ ଉପକାରୀ । ୫ ।

ଶୁଣି ଶଙ୍କର ତହିଁ ବେଗେ ବସି ଧ୍ୟାନ ଆଚରି,

ତୋଷିଲେ ଅମ୍ବିକା ଦେବୀଙ୍କୁ ସୁନ୍ଦର ସ୍ତବ କରି । ୬ ।

ସର୍ବ ଶକ୍ତିମୟୀ ଜନନୀ ପ୍ରକୃତି ଆଦ୍ୟାଶକ୍ତି,

ପରଂବ୍ରହ୍ମମୟୀ ଅଭିନ୍ନା ଦେବେ ପାଦେ ନମନ୍ତି । ୭ ।

ନାନା ଉପଚାରେ ପୂଜନ୍ତି ଇନ୍ଦ୍ର ଆଦି ଅମର,

କୃପା କରି ବିଶ୍ୱ ପାଳିଛି ବିନାଶି ନିଶାଚର । ୮ ।

ସୃଷ୍ଟି-ସ୍ଥିତି-ଲୟକାରିଣୀ ସବୁ ଇଚ୍ଛାରେ ତୋର,

ଦୟାର୍ଦ୍ର ହୃଦୟା ସୁଚିତ୍ତେ ଫେଡ଼୍ କାତର ମୋର । ୯ ।

ଚାହୁଁ ଚାହୁଁ ମୃତ ବାଳକ ପୁଣି ଲଭି ଜୀବନ,

ମାତାକୋଳେ ପଶି ପିଇଲା ହରଷେ ବେନି ସ୍ତନ । ୧୦ ।

ଦେଖି ଲୋକେ ହୋଇ ଆଶ୍ଚର୍ଯ୍ୟ ପଡ଼ିଲେ ପାଦତଳେ,

ଶିଷ୍ୟ ସଙ୍ଗେ ଯତି ପଶିଲେ ଦେବୀଗୃହେ ଚଞ୍ଚଳେ । ୧୧ ।

ତପୋବଳେ ବ୍ରହ୍ମଜ୍ଞାନୀଙ୍କ ଅଟେ ଆସାଧ୍ୟ କିବା !

ବଶୀଭୂତ ରହି ପ୍ରକୃତି କରେ ନିଶିକୁ ଦିବା । ୧୨ ।

ତହୁଁ ଚଳିଯାଇ ଶଙ୍କର ଘେନି ଶିଷ୍ୟସଙ୍ଗତ,

ବଳି ନାମେ ବିପ୍ରଶାସନେ ହୋଇଲେ ଉପଗତ । ୧୩ ।

ବେନି ସହସ୍ତ୍ର ବିପ୍ର ତହିଁ କରିଅଛନ୍ତି ଘର,

ଅଗ୍ନି ହୋତ୍ରୀ ଆଦି ଯଜ୍ଞରେ ସକଳେ ନିଷ୍ଠାପର । ୧୪ ।

ବୈଦିକ କର୍ମରେ ନିପୁଣ ବ୍ରାହ୍ମଣ ବେଦାଧ୍ୟାୟୀ,

ଦୁଃଖଦାରିଦ୍ର୍ୟ ଅପମୃତ୍ୟୁ ତାଙ୍କ ସେଠାରେ ନାହିଁ । ୧୫ ।

ପବିତ୍ର ବ୍ରାହ୍ମଣଶାସନ ଦେଖି ହରଷ ମନ,

ଭବାନୀ ତାଙ୍କର ମନ୍ଦିରେ ଯାଇ କଲେ ଆସନ । ୧୬ ।

କୂପ ତଡ଼ାଗ ପରିପୂର୍ଣ୍ଣ ସ୍ୱଚ୍ଛ ଶୀତଳ ଜଳ,

ଘାଟବାଟ ଶିଳାସୋପାନ ହୋଇଅଛି ନିର୍ମଳ ।୧୭।

ପୁଷ୍ପବାଟିକାରେ ଫୁଟିଛି ନାନା ଜାତି ସୁମନ,

ବିଲ୍ୱପତ୍ର ତୁଳସୀଦଳ ରହିଛି ଅକଳନ । ୧୮ ।

ଶିବଲିଙ୍ଗକୁ ଅଭିଷେକ ମାଜଣା ଦେବୀଙ୍କର,

କରନ୍ତି ଭକ୍ତିରେ ବ୍ରାହ୍ମଣେ ପଢ଼ି ବେଦମନ୍ତର । ୧୯ ।

ତହିଁ ଦେଖି ଯତିବରଙ୍କୁ ପ୍ରଣମିଲେ ପୟର,

ବିଚାରିଲେ ସତେ ସତେକି ହେଲେ ବିଜୟେ ହର ।୨୦।

ବିଧିମତେ ସେବା ନିଯୋଗ ଦେଇକରି ପ୍ରସନ୍ନ,

ସନ୍ଦେହ ନାଶିଲେ ମନରୁ ଶୁଣି ତତ୍ତ୍ୱବଚନ ।୨୧।

ନିଷ୍ଠାବନ୍ତ ଏକ ପଣ୍ତିତ ନାମରେ ପ୍ରଭାକର,

ଧନସମ୍ପଦ ସୁଖଶାନ୍ତି ଗୃହେ ପୂର୍ଣ୍ଣ ତାଙ୍କର ।୨୨।

ଶୁଣି ତାଙ୍କର ଆଚମନ ଫଳପୁଷ୍ପ ହସ୍ତରେ,

ଦରଶନ କରି ଯତିଙ୍କୁ ପ୍ରଣମିଲେ ପୟରେ ।୨୩।

ସଙ୍ଗେ ଆସିଥିଲେ ପୁଅକୁ ପକାଇ ପାଦତଳେ,

କର ଯୋଡ଼ି ଅତି ବିନୟେ ପ୍ରଭାକର ବୋଇଲେ ।୨୪।

ଯତିବର ଏ ମୋ କୁମର ମୂକ ଜଡ଼ ପରାଏ,

କିଛି ନ କହଇ କାହାକୁ ସଦା ମଉନ ଥାଏ ।୨୫।

ହେ ଦେବ କାହିଁକି ଏ ଦଶା ଜନମି ବିପ୍ରଘରେ,

କୃପାରେ କହନ୍ତୁ ଏ ରହି କି କରିବ ସଂସାରେ ? ।୨୬।

ଶୁଣି ପଚାରିଲେ ଶଙ୍କର ହେ ଶିଶୁ ତୁମ୍ଭେ କିଏ ?

କାହିଁ ଯାଉଛ କିବା ନାମ କହ କାହା ତନୟେ ? ।୨୭।

କାହୁଁ ଆସିଅଛି ଏଠାକୁ କହି ସନ୍ତୋଷ କର,

ପଚାରନ୍ତେ ଏହା ବାଳକ ଦେଲା ବେଗେ ଉତ୍ତର ।୨୮।

‘ଭୋ ଗୁରୁ ନୁହେଁ ମୁଁ ଦେବତା ଯକ୍ଷରକ୍ଷମାନବ,

ବ୍ରାହ୍ମଣ କ୍ଷତ୍ରିୟ ବଇଶ୍ୟ ଶୂଦ୍ର ନୁହେଁ ଏ ସର୍ବ ।୨୯।

ଗୃହୀ ବ୍ରହ୍ମଚାରୀ ବନସ୍ଥୀ କିବା ନୁହେଁ ଭିକ୍ଷୁକ,

ନିଜବୋଧ ରୂପ ଆତ୍ମା ମୁଁ ନୁହେଁ ଦ୍ୱିତୀୟ ଏକ ।୩୦।

ଜଡ଼ ନୁହେଁ ମାତ୍ର ଭାବଇ ବିଶ୍ୱଜଗତ ଜଡ଼,

ଶୋକ ମୋହ କ୍ଷୁଧା ପିପାସା ଜରା ମୃତ୍ୟୁ ଏ ଷଡ଼ ।୩୧।

ଅଟଇ ତରଙ୍ଗ ସମାନ ଏମାନ ଜୀବନର,

ଜନ୍ମଅସ୍ତିତ୍ୱ ନାଶ ବୃଦ୍ଧି ଭାବ ପରିମାଣ ବିକାର ।୩୨।

ଅପକ୍ଷୟ ମିଶି ଏ ଷଡ଼ ଭାବ ପରିବର୍ଜ୍ଜିତ,

ପରମ ସୁଖର ସ୍ୱରୂପ ତତ୍ତ୍ୱମସି ନିଶ୍ଚିତ ।୩୩।

ତତ୍ତ୍ୱମସିର ତତ୍ତ୍ୱପଦ ମାତ୍ର ଅଟଇ ମୁହିଁ,

ଅନୁଭବ ଯାହା ମୋହର ତେମନ୍ତ କହି ଲଇଁ ।୩୪।

ତଦନ୍ତେ ବାର ଶ୍ଳୋକ ବାଳକ ପାଠକଲା,

ମାୟା ପ୍ରପଞ୍ଚ ବିଶ୍ୱ ଆତ୍ମତତ୍ତ୍ୱ ଜ୍ଞାନ କହିଲା ।୩୫।

ହସ୍ତରେ ଥିବା ଆମଳକୀ ପରାୟେ ଆତ୍ମତତ୍ତ୍ୱ,

ବାରଟି ଶ୍ଳୋକରେ ବାଳକ ପ୍ରକାଶିଲା ସମସ୍ତ ।୩୬।

ଶୁଣି ଆନନ୍ଦରେ ବୋଇଲେ ଶୁଣ ହେ ପ୍ରଭାକର !

ସଂସାରସୁଖ ନ ମିଳିବ ଏ ବାଳକେ ତୁମ୍ଭର ।୩୭।

ହସ୍ତେ ଆମଳକୀ ସଦୃଶ ବ୍ରହ୍ମଙ୍କୁ ଏ ବାଳକ,

ପ୍ରକାଶିଲା ତେଣୁ ହୋଇଲା ନାମ ‘ହସ୍ତାମଳକ’ ।୩୮।

ବନ୍ଦି ଗୁରୁ ତେଜି ତକ୍ଷଣେ ପିତାମାତା ସଂସାର,

ଶିଷ୍ୟପଣେ ସେବି ଶ୍ରୀପଦ ଘରୁ ହେଲା ବାହାର ।୩୯।

ପିତାମାତା ଆଦି ଶିଷ୍ୟଙ୍କ କରି ସନ୍ଦେହ ନାଶ,

ପୂର୍ବଜନ୍ମ କଥା ତାହାର ଯତି କଲେ ପ୍ରକାଶ ।୪୦।

ପୂରାକାଳେ ଏକ ବ୍ରହ୍ମଜ୍ଞ ଯମୁନାକୂଳେ ବସି,

ତପ ସାଧୁଥିଲେ ଦୃଢ଼ରେ ନିଷ୍ଠାପର ତପସ୍ୱୀ ।୪୧।

ଦିନେକ ବିପ୍ରକନ୍ୟା ଏକ ଶିଶୁକୁମାର ତଳେ,

ମୁନି ଆଗେ ଥୋଇ ସ୍ନାହାନ ପାଇଁ ପଶିଲା ଜଳେ ।୪୨।

ଗଡ଼ିପଡ଼ି ଯାଇ ଜଳରେ ଶିଶୁର ପ୍ରାଣ ଗଲା,

ମାତା ମଲାପିଲା କୋଳରେ ଧରି ବସି କାନ୍ଦିଲା ।୪୩।

ସାଙ୍ଗ ଲୋକେ ସର୍ବେ କାନ୍ଦିଲେ ବସି ମୁନି ଅଗ୍ରତେ,

ଦେଖି ଦୟା ଜାତ ହୋଇଲା ମୁନିଙ୍କ ହୃଦଗତେ ।୪୪।

ଯୋଗବଳେ ଛାଡ଼ି ସ୍ୱଦେହ ପଶିଲେ ଶିଶୁଦେହେ,

ଆନନ୍ଦରେ ଶିଶୁଜନନୀ ନେଇ ପାଳିଲା ସ୍ନେହେ ।୪୫।

ସେହି ଏହି ବିପ୍ରକୁମାର ପରମ ତତ୍ତ୍ୱବେତ୍ତା,

ସ୍ମୃତିଶ୍ରୁତିଶ୍ରାସ୍ତ୍ରବିଦିତ ସ୍ୱାଭାବିକ ଏ ଚେତା ।୪୬।

ଶୁଣି ପଣ୍ତିତ ପ୍ରଭାକର ନିଜମୃହେ ଫେରିଲେ,

ଶଙ୍କର ସେଠାରୁ ସଶିଷ୍ୟେ ଶୃଙ୍ଗଗିରି ମିଳିଲେ ।୪୭।

ବ୍ରାହ୍ମଣେ ହୋଇଲେ କୃତାର୍ଥ ଅନ୍ୟ ସକଳ ନରେ,

ଶୁଣି ଯତିବର ବ୍ୟାଖ୍ୟାନ ପଣମିଲେ ପୟରେ ।୪୮।

 

ଏକବିଂଶ ଅଧ୍ୟାୟ

ମୂର୍ଖ ଶିଶୁଙ୍କୁ ବରଦାନ ଓ ମାତାଙ୍କ ସହିତ ଭେଟ

 

ଭାରତେ ତୀର୍ଥଙ୍କ ମଧ୍ୟରେ ଶୃଙ୍ଗଗିରି ପ୍ରସିଦ୍ଧ,

ବହୁ ତପସ୍ୱୀ ତପକରି ଏଥି ହୁଅନ୍ତି ସିଦ୍ଧ ।୧।

ବହୁ ଦୂର ଦେଶୁ ଆସନ୍ତି ବହୁ ସାଧୁ ସନ୍ନ୍ୟାସୀ,

ଯୋଗଧ୍ୟାନ କରି ରହନ୍ତି ମୋକ୍ଷହେବା ମନାସି ।୨।

ବିଭାଣ୍ତକପୁତ୍ର ଏଠାରେ ଜନମ ଋଷ୍ୟଶୃଙ୍ଗ,

ଶୃଙ୍ଗଗିରି ତାଙ୍କ ନାମରୁ ସର୍ବଦା ସାଧୁସଙ୍ଗ ।୩।

ତୁଙ୍ଗଭଦ୍ରାନଦୀ ପବିତ୍ର ଜଳ ପାପନାଶିନୀ,

ସାନ ପାନେ ଜନେ ତରନ୍ତି ଏ ଯଥା ମନ୍ଦାକିନୀ ।୪।

କିଛି ଦିନ ତହିଁ ରହିଲେ ଯତି ହୋଇ ଉଲ୍ଲାସ,

ମୋକ୍ଷକାମୀ ବହୁ ବ୍ରାହ୍ମଣ ତହିଁ ହେଲେ ସନ୍ନ୍ୟାସ ।୫।

ମନ୍ଦିରେକ ତହିଁ ନିର୍ମାଣ କରାଇଲେ ସୁନ୍ଦର,

ଶାରଦା ଦେବୀଙ୍କୁ ସ୍ଥାପିଲେ ସେଠାରେ ଯତିବର ।୬।

ତହିଁ ଏକ ନବଯୁବକ ଦ୍ୱିଜକାନ୍ତି ଉଜ୍ଜ୍ୱଳ,

ବିନୟୀ ଭକ୍ତିରେ ଖଟିଲା ଶଙ୍କର ପଦତଳ ।୭।

ଦୟାଳୁ ଅତି ଶୁଦ୍ଧଚେତା ବହଇ ଗିରିନାମ,

ସେବି ଶ୍ରୀଗୁରୁ ଦୀକ୍ଷାନେଲା ସନ୍ନ୍ୟାସ ତେଜି କାମ ।୮।

ସେବାପରାୟଣ ସତକ ଲାଗିଥାଇ ସେବାରେ,

ବିନମ୍ର ସୁମିଷ୍ଟ ବଚନେ ସବୁଙ୍କୁ ତୋଷିପାରେ ।୯।

ପ୍ରତିଦିନ ଗୁରୁମୁଖରୁ ଶୁଣଇ ସୂତ୍ରଭାଷ୍ୟ,

ପ୍ରତିଦିନ ହୁଏ ବ୍ୟାଖ୍ୟାନ ଶୁଣନ୍ତି ସର୍ବ ଶିଷ୍ୟ ।୧୦।

ଗିରି ତାଙ୍କ ମଧ୍ୟେ ଶୁଣଇ ବସି ଏକାଗ୍ର ଚିତ୍ତେ,

ଶିକ୍ଷା ମାତ୍ର ନାହିଁ ଜାଣନ୍ତି ଏହା ସର୍ବ ପଣ୍ତିତେ ।୧୧।

ଦିନେ ଗୁରୁଜନମାନଙ୍କ ଲୁଗାକୌପୀନ ଧୋଇ,

ଆସୁ ଆସୁ ସଭା ଆରମ୍ଭ ବେଳ ଉଚ୍ଛୁର ହୋଇ ।୧୨।

ଶୁଣିବାକୁ ସର୍ବେ ଉଚ୍ଛୁକ ଯେତେ ଶିଷ୍ୟ ବିଦ୍ୱାନ,

ବୋଲନ୍ତି ଭୋ ଦେବ ଯାଉଛି ଦିନ ହେଉ ବ୍ୟାଖ୍ୟାନ ।୧୩।

ଶୁଣି ବୋଇଲେ ଆସି ନାହିଁ ଗିରି ଅପେକ୍ଷା ତାକୁ,

ପଦ୍ମପାଦାଦି ଶିଷ୍ୟଗଣେ ଶୁଣିକଲେ ହାସ୍ୟକୁ ।୧୪।

ବିଦ୍ୟାଭିମାନୀମାନଙ୍କର ଦେଖି ଏ ଉପହାସ,

ଗୁରୁଙ୍କ ଅନ୍ତରେ ଅତ୍ୟନ୍ତ ଦୁଃଖ ହେଲା ପ୍ରକାଶ ।୧୫।

ଏ କାଳେ ପଦ୍ମପାଦ ଦେଖି ବୋଲନ୍ତି ଅଳ୍ପ ହସି,

ଏହି ତ ଗିରିରାଜ ଆସିଅଛନ୍ତି କୋଣେ ବସି ।୧୬।

ଶିଷ୍ୟମାନଙ୍କର ସନ୍ଦେହ ସବୁ କରି ଭଞ୍ଜନ,

ବ୍ରହ୍ମସୂତ୍ର ଭାଷ୍ୟ ବଖାଣି ତୋଷିଲେ ସବ ମନ ।୧୭।

ସଭା ଭାଙ୍ଗି ନୀତିକର୍ମକୁ ଗଲେ ଯେ ଯାହା ସ୍ଥାନେ,

ଗିରି ପାଇଁ ଗୁରୁ ସୁଦୟା ବହି ପାଞ୍ଚିଲେ ମନେ ।୧୮।

ଅହଙ୍କାରଶୂନ୍ୟ ଶ୍ରଦ୍ଧାଳୁକୁ ଗିରିଭକ୍ତଙ୍କ ସାର,

ପଣ୍ତିତ ହେଉ ଚତୁର୍ଦ୍ଦଶ ବିଦ୍ୟାରେ ଅଧିକାର ।୧୯।

ଏମନ୍ତ ଆଶିଷ ମନରେ କରି ରହିଲେ ଯତି,

ଆରଦିନ ପୁଣି ସଭାରେ ସମସ୍ତେ ବସିଛନ୍ତି ।୨୦।

ଗୁରୁସ୍ତବ ଏଇ ମଧୁର ନୂତନ ଛନ୍ଦେ ଗାଇ,

ଆସୁଛନ୍ତି ଗିରି ସକଳେ ଚକିତ ହେଲେ ଚାହିଁ ।୨୧।

ଶ୍ରୀଗୁରୁ ପୁଚ୍ଛିଲେ ଏ ସ୍ତବ କାହୁଁ ଶିଖିଲୁ ତୁହି,

ସଶଙ୍କିତେ ଗିରି ବୋଲନ୍ତି ପ୍ରଭୋ ରଚିଛି ମୁହିଁ ।୨୨।

ପୁଣି ବୋଲ ସର୍ବେ ଶୁଣନ୍ତୁ ବୋଲୁ ଗିରି ବୋଇଲେ,

ଅପୂର୍ବ ତ୍ରୋଟକ ଛନ୍ଦରେ ଗୁରୁ ସ୍ତୁତି ଗାଇଲେ ।୨୩।

ଶୁଣି ବିସ୍ମିତ ହେଲେ ସର୍ବେ ପଦ୍ମପାଦ ପ୍ରମୁଖ,

ମନୁ ଅଭିମାନ ବରଜି ବସିଲେ ହୋଇ ମୂକ ।୨୪।

ଗୁରୁକୃପାରେ କି ନ ହୁଏ ଅସମ୍ଭବ ସମ୍ଭବ,

ସର୍ବ ଶକ୍ତିମୟ ଶ୍ରୀଗୁରୁ ନ ମଣିବ ମାନବ ।୨୫।

ଗିରିଙ୍କ ପାଣ୍ତିତ୍ୟ ପ୍ରକାଶି ଶଙ୍କର ସିଦ୍ଧିକାମ,

ବୋଇଲେ ତ୍ରୋଟକ ଆଚାର୍ଯ୍ୟ ଆଜିରୁ ଗିରିନାମ ।୨୬।

ପଦ୍ମପାଦ ହସ୍ତାମଳକ ସୁରେଶ୍ୱର ତ୍ରୋଟକ,

ଏ ଚାରି ଶିଷ୍ୟଙ୍କ ପ୍ରଧାନ ଅଦ୍ୱୈତପ୍ରଚାରକ ।୨୭।

ଚାରିଙ୍କର ଦେଖି ପ୍ରତିଭା ଲୋକେ ପାଞ୍ଚିଲେ ମନେ,

ଏ ଚାରି ଶଙ୍କରଙ୍କ ମୂଖ ଚତୁର୍ମୁଖ ଯେସନେ ।୨୮।

ଧର୍ମ, ଅର୍ଥ, କାମ, ମୋକ୍ଷ ଏ ଚାରିଙ୍କି କେ ବୋଲନ୍ତି,

ଏହି ଚାରିଙ୍କି ଚାରିଦେବ କେ କେହି ବିଚାରନ୍ତି ।୨୯।

ସାଲୋକ୍ୟ, ସାମୀପ୍ୟ, ସାରୁପ୍ୟ, ସାଯୁଜ୍ୟ ଚାରି ମୁକ୍ତି,

ଏହି ଚାରି କି ଅବତାର ଏହା କେ ବିଚାରନ୍ତି ।୩୦।

ଅଖଣ୍ତ ବ୍ରହ୍ମ ଅବତାର ଶିବ ଶଙ୍କରାଚାର୍ଯ୍ୟ,

ସାମ, ଯଜୁ, ଋକ୍‌, ଅଥର୍ବ ଏହି ଚାରି ନିର୍ଦ୍ଧାର୍ଯ୍ୟ ।୩୧।

ବ୍ରହ୍ମତତ୍ତ୍ୱ ହୁଏ ପ୍ରକାଶ ଯଥା ଚାରି ବେଦରୁ,

ସେପରି ହୁଅଇ ପ୍ରକାଶ ଏ ଚାରିଙ୍କ ମୁଖରୁ ।୩୨।

ପାଷଣ୍ତ ମତ ଖଣ୍ତିବାରେ ଚାରିଏ ମହାବଳ,

ଅଶାସ୍ତ୍ରୀୟ ମତବାଦିଏ ଲୟ ହେଲେ ସକଳ ।୩୩।

ଏମନ୍ତେ ଶଙ୍କର ସେଠାରେ ରହିଲେ ଦିନାକେତେ,

ଶିଷ୍ୟଗଣ ସଙ୍ଗେ ଆନନ୍ଦେ ଶୃଙ୍ଗଗିରି ପର୍ବତେ ।୩୪।

ପଦ୍ମପାଦ ବନ୍ଦି ବୋଇଲେ ଦିନେ ଗୁରୁପୟର,

ଭୋ ଦେବ ତୀର୍ଥଯାତ୍ରା ପାଇଁ ବଳୁଛି ମନ ମୋର ।୩୫।

ଅନୁମତି ଦିଅ ଯିବି ମୁ ଭ୍ରମିବି ନାନା ଦେଶ,

ବହୁ ତୀର୍ଥସ୍ଥାନ ଦେଖିବି ସାଧୁସଙ୍ଗ ବିଦେଶ ।୩୬।

ଶଙ୍କର ବୋଇଲେ ହେ ବତ୍ସ ! ଏ ଆଶାକୁ ନ କର,

ସବୁତୀର୍ଥ ଶିଷ୍ୟ ପକ୍ଷରେ ଅଟେ ଗୁରୁପୟର ।୩୭।

ଗୁରୁ ସାକ୍ଷାତରେ ରହିବାଠାରୁ ଅଧିକ ତୀର୍ଥ,

ନାହିଁ ନୋହିବ କାହିଁ ବୁଝ ତୁମ୍ଭେ ଅଟ ପଣ୍ତିତ ।୩୮।

ଗୁରୁପାଦଧୌତ ସଲିଳ ଅଟଇ ତୀର୍ଥଜଳ,

ବ୍ରହ୍ମଜ୍ଞାନ ଜାତ ହୁଅଇ ଗୁରୁବାକ୍ୟେ କେବଳ ।୩୯।

ନାନା ଦୂର ପଥ ଭ୍ରମିବ ସ୍ୱାସ୍ଥ୍ୟ ହୋଇବ ଊଣା,

ଖାଇବା ପିଇବା ପ୍ରବାସେ ନ ରହିବ ଠିକଣା ।୪୦।

ଯତିଧର୍ମ ପ୍ରତିପାଳନେ ନାନା ବିଘ୍ନ ଘଟିବ,

ପବିତ୍ର ଭିକ୍ଷା ଯଥାକାଳେ ମିଳିବ ନ ମିଳିବ ।୪୧।

ଏଣୁ ଏ ବାସନା ତୁମ୍ଭର ମନରୁ ତ୍ୟାଗକର,

ଶୁଣି ପଦ୍ମପାଦ ବୋଲନ୍ତି ବିନୟେ ଯୋଡ଼ିକର ।୪୨।

ଭୋ ଦେବ ଜାଣଇ ଗୁରୁଙ୍କ ସେବାନିକରେ ଥାଇ,

ଏଥିରୁ ବଳି ଶିଷ୍ୟଙ୍କର ଧର୍ମ୍ମ କର୍ମରେ ନାହିଁ ।୪୩।

ଦୁଃଖ ସୁଖ ନାନା ବିପଦ ସମ୍ପଦ ଭେଟ କରି,

ଗୁରୁକୃପାବଳେ ଆସିବି ସବୁଥିରୁ ଉବୁରି ।୪୪।

ନାନା କ୍ଷେତ୍ରେ ନାନା ପ୍ରକାର ହୋଇବ ଅନୁଭବ,

ସାଧୁସଙ୍ଗ ଲାଭେ ହୋଇବ ଚିତ୍ତଶୁଦ୍ଧି ସମ୍ଭବ ।୪୫।

ରୋଗ ଶୋକ ଆଦି ଅଟଇ ପୂର୍ବଜନ୍ମ ନିଦାନ,

ଖଣ୍ତନହୁଅଇ ଭୋଗରେ ଅବା ବ୍ରହ୍ମସନ୍ଧାନ ।୪୬।

ଶୌଚାଶୌଚ ପଥେ ବିହିତ ଯହିଁ ଯେମନ୍ତ ପ୍ରାପ୍ତି,

ବହୁ ସ୍ମରଣ ପ୍ରଣବରେ ଅପବିତ୍ର ନ ଥାନ୍ତି ।୪୭।

ଦେଶକାଳଭେଦେ ସ୍ମୃତିରେ ମନୁ ଅଛନ୍ତି ଲେଖି,

ପବିତ୍ର ଗ୍ରହଣ କରିବ ଅପବିତ୍ର ଉପେକ୍ଷି ।୪୮।

ତୀର୍ଥଭ୍ରମଶରେ ବଳୁଛି ଅତି ଇଚ୍ଛା ମୋହର,

ଭୋ ଗୁରୁ କ୍ଷମି ଅପରାଧ ଭୃତ୍ୟେ ଅନୁଜ୍ଞାକର ।୪୯।

ପଦ୍ମପାଦ ମନ ବ୍ୟାକୁଳ ତୀର୍ଥଭ୍ରମଣ ପାଇଁ,

ଜାଣି କେତୋଟି ଉପଦେଶ ଗୁରୁ ଦେଲେ ବୁଝାଇ ।୫୦।

ବହୁ ଦୂର ପଥ ଭ୍ରମିବ କୁପଥରେ ନ ଯିବ,

ସଂକୀର୍ଣ୍ଣ ଭୟଯୁକ୍ତ ପଥ ଦେଖିଲେ ବରଜିବ ।୫୧।

ବ୍ରାହ୍ମଣ ବସତି କିଅବା ସନ୍ନ୍ୟାସୀଗଣ ଯଦି,

ସୁଖେ ଅବସ୍ଥାନ କରିବ ବାଳୁତ ଭାବ ବହି ।୫୨।

କୁସଙ୍ଗ କେବେ ନ କରିବ ଲୋଡ଼ନ୍ତି ସାଧୁସଙ୍ଗ,

ମହାପୁରୁଷଙ୍କ ବଚନ କରଇ କଷ୍ଟ ଭଙ୍ଗ ।୫୩।

ଛଦ୍ମବେଶୀ ସାଧୁସନ୍ନ୍ୟାସୀ ପଥେ ବହୁ ମିଳିବେ,

ସାବଧାନ ତାଙ୍କୁ ବିଶ୍ୱାସ କଲେ ପ୍ରାଣ ନାଶିବେ ।୫୪।

ପ୍ରକୃତ ଭିକ୍ଷୁକ ଭେଟିଲେ ସଙ୍ଗୀ ହେବ ତାଙ୍କର,

ତ୍ୟାଗ ନ କରିବ ସୁସଙ୍ଗ ନ କରି ଅନାଦର ।୫୫।

ସାଧୁର ସ୍ୱଭାବ କରିବା ଉପକାର ପରର,

ଅସାଧୁ ଅହିତ ସାଧନ୍ତି କାୟବାକ୍ୟେ ଅନ୍ୟର ।୫୬।

ମନକୁ ପବିତ୍ର ରଖିବ କରି କୁଚିନ୍ତା ତ୍ୟାଗ,

ଦୁର୍ଲ୍ଲଭ ପର ପଦାର୍ଥରେ ଛାଡ଼ିବ ଅନୁରାଗ ।୫୭।

ଇଷ୍ଟ ଉପାସନା କାର୍ଯ୍ୟରେ ନ କରିବଟି ହେଳା,

ଦୁଃଖ ଘୋର ଭୟ-ସାଗରେ ଏକ ମାତ୍ର ସେ ଭେଳା ।୫୮।

ଶୁଣି ଏମନ୍ତ ପଦ୍ମପାଦ ବନ୍ଦି ଗୁରୁଚରଣ,

ସୁରେ ସ୍ୱରାଦି ଶିଷ୍ୟବୃନ୍ଦେ କରିଣ ସମ୍ଭାଷଣ ।୫୯।

ଦଣ୍ତକମଣ୍ତଳୁ କୌପୀନ ଧରି ହରଷ ମନେ,

ଦକ୍ଷିଣ ଦିଗକୁ ଗମିଲେ ଧ୍ୟାୟି ଗୁରୁଚରଣେ ।୬୦।

ଶିଷ୍ୟଗଣ ସଙ୍ଗେ ଶଙ୍କର ଶୃଙ୍ଗଗିରିତୀର୍ଥରେ,

କିଛି ଦିନ ରହି ଜାଣିଲେ ଦିନେ ଧ୍ୟାନଯୋଗରେ ।୬୧।

ମାତାଙ୍କର ଶେଷ ସମୟ ପଡ଼ି ଶେଷ ଶଯ୍ୟାରେ,

ସ୍ମରଣ କରନ୍ତି ଦେଖିବା ପାଇଁ ପୁତ୍ର ଶଙ୍କରେ ।୬୨।

ତକ୍ଷଣେ ଶୂନ୍ୟମାଗେ ଯାଇ ନମି ମାତା ପୟରେ,

ପଦତଳେ ଉଭାହୋଇଣ ପୁଚ୍ଛନ୍ତି ଯୋଡ଼ି କରେ ।୬୩।

କି ସେବା କରିବି ଜନନୀ ଏବେ କର ଆଦେଶ,

ଜନନୀ ବୋଇଲେ ବାପା ତୋ ଶୁଭ ହେଉ ଅଶେଷ ।୬୪।

ତୋ ସୌମ୍ୟ ମୂରତି ନିରେଖି ଗଲା ଦୁଃଖ ମୋହର,

ଏବେ ଯିବା ପଥ ଦେଖାଅ ଆଉ ହେଳା ନ କର ।୬୫।

ଜରାଜୀର୍ଣ୍ଣ ଶରୀରଭାର ଆଉ ରହି ନ ପାରେ,

ପଡ଼ି ରହିଥିଲି କେବଳ ତୋହରି ଅପେକ୍ଷାରେ ।୬୬।

ଛାଡ଼ି ଏ ଶରୀର ବସିବି ଯାଇ ଦିବ୍ୟ ଲୋକରେ,

ଏତିକି ମାତ୍ର ମୋ ବାସନା ହେଉଅଛି ମନରେ ।୬୭।

ଶଙ୍କର ବୋଇଲେ ଆସିଛି ସେବିବାକୁ ପୟର,

ଯାହା ଇଚ୍ଛା କହ କରିବି ପରାଣପଣ ମୋର ।୬୮।

ଲୋଡ଼ା ନାହିଁ ବାପା ସଂସାରେ ଦେଖାଅ ଦିବ୍ୟଲୋକ,

ଶୁଣି ବୋଇଲେ ଗୋ ଜନନି ନ କର ମନେ ଶୋକ ।୬୯।

ଧ୍ୟାନକର ପରଂବ୍ରହ୍ମଙ୍କୁ ସେ ଏକ ଅଦ୍ୱିତୀୟ,

ପଞ୍ଚଭୂତ ଆଦି ବ୍ରହ୍ମାଣ୍ତ ମିଥ୍ୟା ମାୟା ନିଶ୍ଚୟ ।୭୦।

ନିତ୍ୟ ସତ୍ୟ ଶୁଦ୍ଧ ଆତ୍ମା ସେ ସର୍ବତ୍ର ପରିପୂର୍ଣ୍ଣ,

ଅନନ୍ତ ଅରୂପ ସ୍ୱରୂପ ସର୍ବତ୍ର ମୁଖକର୍ଣ୍ଣ ।୭୧।

ସନାତନ ସେ ସ୍ୱପ୍ରକାଶ ତାଙ୍କୁ ସ୍ମରଣ କର,

ଜନନୀ ବୋଇଲେ ନିର୍ଗୁଣ ବ୍ରହ୍ମ ନୁହେ ଗୋଚର ।୭୨।

ସଗୁଣ ବ୍ରହ୍ମଙ୍କ ସ୍ୱରୂପ ଶୁଣା କରି ବର୍ଣ୍ଣନ,

ଶୁଣି ଶଙ୍କରଙ୍କ ସୁନ୍ଦର ସ୍ତବ କଲେ ପଠନ ।୭୩।

ଜନନୀ ବୋଇଲେ ଦେଖୁଛି ମାତ୍ର ଲାଗୁଛି ଭୟ,

ନାମ ହର ନେତ୍ରେ ଅନଳ ନାଚନ୍ତି ଭୂତଚୟ ।୭୪।

ସୁନ୍ଦର ସୁରମ୍ୟ ମୂରତି ଧ୍ୟାନ ଶୁଣାଅ ମୋତେ,

ଶୁଣି କୃଷ୍ଣାଷ୍ଟକ ପଢ଼ିଲେ ଜନନୀଙ୍କ ଅଗ୍ରତେ ।୭୫।

ନବ ନୀରଦ ତନ୍ତୁକାନ୍ତି କଟିରେ ପୀତାମ୍ବର,

ଶଙ୍ଖଚକ୍ରଗଦା କମଳେ ଶୋଭିତ ଚାରି କର ।୭୬।

ହୃଦେ ବନାମାଳା ଲମ୍ବଇ ମଣି ମୁକୁତା ହାର,

କେୟୁର କିରୀଟ କୁଣ୍ତଳ ବିଚିତ୍ର ଅଳଂକାର ।୭୭।

ଅଧରେ ଅଳପ ମଧୁର ହାସ ପଦ୍ମଲୋଚନ,

ଲକ୍ଷ୍ମୀଦେବୀ ପାଦେ ଖଟନ୍ତି ବିଶ୍ୱଜନଜୀବନ ।୭୮।

ଯକ୍ଷ ଗନ୍ଧର୍ବ ମୁନି ଋଷି ଇନ୍ଦ୍ରଆଦି ଅମର,

ସ୍ତୁତି କରନ୍ତି ବେଦମନ୍ତ୍ରେ ଶିର ଥୋଇ ପୟର ।୭୯।

ବଇକୁଣ୍ଠ ପତି ଶ୍ରୀପତି ବିଶ୍ୱର ଅଧିପତି,

ପାପୀତାପୀ ଦୀନଶରଣ ହରି ଅଗତି ଗତି ।୮୦।

ଶୁଣି ମାତା ଭଣି ଦେଖୁଛି ସେ ଅପୂର୍ବ ମୂରତି,

କୋଟି ରବି ଜିଣି ଶ୍ରୀଅଙ୍ଗୁ ପ୍ରକାଶୁ ଅଛି ଜ୍ୟୋତି ।୮୧।

କରୁଣା କଟାକ୍ଷେ ଅନାଇ ଅଛନ୍ତି ମୋ ଉପରେ,

ନାରାୟଣ ବୋଲୁ ପରାଣ ମିଶିଗଲା ସତ୍ତ୍ୱରେ ।୮୨।

ଯତିବର ଦେଖି ବିନୟେ ଡାକିଲେ ଜ୍ଞାତିଜନ,

ହିଂସା ବହି କେହି ନଇଲେ ମାତାଙ୍କର ଭୁବନ ।୮୩।

ବୋଇଲେ ବାରଣ ନ ମାନି ହୋଇଛି ଠକ ଯତି,

କରୁ କେମନ୍ତେ ସେ କରିବ ନିଜ ଜନନୀ ଗତି ।୮୪।

କୁଳବୃଦ୍ଧ ଗଣୌକହିଲେ ଯେତେ ମତେ ବୁଝାଇ,

କେହି ନ ଶୁଣିଲେ ଶ୍ରବଣେ ଜ୍ଞାତି ହିଂସା ଦେଖାଇ ।୮୫।

ନିରାଶହୋଇ ଯତିବର କଲେ ଶାପ ପ୍ରଦାନ,

ଆଜିଠାରୁ ଗୃହ ତୁମ୍ଭର ହୋଇ ରହୁ ଶ୍ମଶାନ ।୮୬।

କହି କାଷ୍ଠ ଆଦି ସମ୍ଭାର ସକଳ ସଜ କରି,

ଚିତ୍ତରେ ଥୋଇଲେ ଜନନୀ ଶବ ଓଟାରି ଧରି ।୮୭।

ସନ୍ନ୍ୟାସୀଙ୍କର ଅଧିକାର ନାହିଁ ଏହା କରିବା,

ଅନାଥା ବାହ୍ମଣୀ ବିଶେଷେ ନିଜ ମାତା ବିଧବା ।୮୮।

ସଂସାରବେଭାର ଶାସ୍ତ୍ରୀୟ ମତେ ଅନ୍ତ୍ୟେଷ୍ଟି କର୍ମ୍ମ,

ସମାପନ କଲେ ନ ପାଇ ଅନ୍ୟ ଉପାୟକ୍ରମ ।୮୯।

ମାତାଠାରେ ଶେଷ କର୍ତ୍ତବ୍ୟ କରିଗଲେ ସ୍ୱସ୍ଥାନ,

ଏବେ ତାଙ୍କ ବଂଶ ପ୍ରାଙ୍ଗଣ ରହିଅଛି ଶ୍ମଶାନ ।୯୦।

ଜ୍ଞାତିହିଂସା ଅତି ପ୍ରବଳ ଜ୍ଞାନୀ ଯତି ସଂଯମୀ,

ଲଭିଲେ ଏପରି ବେଭାର ଦ୍ୱିଜକୁଳେ ଜନମି ।୯୧।

ଶ୍ରୀଗୁରୁଙ୍କୁ ପାଇ ସକଳେ ଶୃଙ୍ଗଗିରିତୀର୍ଥରେ,

ଆନନ୍ଦରେ ଦିନ ବଞ୍ଚିଲେ ଶୁଣି ଭାଷ୍ୟ ଅର୍ଥରେ ।୯୨।

 

ଦ୍ୱାବିଂଶ ଅଧ୍ୟାୟ

ପଦ୍ମପାଦଙ୍କ ମାତୁଳଙ୍କ ଦ୍ୱାରା ଭାଷ୍ୟଦାହ ଓ ଶଙ୍କରଙ୍କଦ୍ୱାରା ପୁନରୁଦ୍ଧାର

 

ଶ୍ରୀ ଗୁରୁ ପାଦ ପଦ୍ମଧ୍ୟାୟୀ ପଦ୍ମପାଦ ଚଳିଲେ,

ତୀର୍ଥ ଦରଶନ ମାନସେ ଦକ୍ଷିଣକୁ ଗମିଲେ ।୧।

କାଞ୍ଚିକ୍ଷେତ୍ର ଯିବା ପଥରେ ମନ୍ଦିରେକ ଦେଖିଲେ,

ଶ୍ରୀକାଳହସ୍ତିଶ୍ୱର ଶିବ ତହିଁ ଦର୍ଶନ କଲେ ।୨।

ଅପୂର୍ବ ମହିମା ତାଙ୍କର ଶୋଭା ଅତି ବିଚିତ୍ର,

ଶିରେ ଶଶିକଳା ଭୁଜଙ୍ଗ ଅଙ୍ଗ ଭସ୍ମମଣ୍ତିତ ।୩।

ବାମାଙ୍ଗେ ଭିଡ଼ି ରହିଛନ୍ତି ଦେବୀ ଆଦ୍ୟାଶକତି,

ଦେବଗଣେ ବେଢ଼ି ସତକ ସ୍ତୁତି କରୁଅଛନ୍ତି ।୪।

ଦେଖି ପଦ୍ମପାଦ ଭକ୍ତିରେ ପୂଜିଲେ ମହେଶ୍ୱର,

ବିଧିରେ ଅନ୍ୟ ଦେବାଦେବୀ ପୂଜି ହେଲେ ଅନ୍ତର ।୫।

କାଞ୍ଚିକ୍ଷେତ୍ରେ ଯାଇ ମିଳିଲେ ଦେଖିଲେ ବିଶ୍ୱେଶ୍ୱର,

କଲ୍ଲୋଲେଶ ଲକ୍ଷ୍ମୀକାନ୍ତକୁ ପୂଜିଲେ ଯତିବର ।୬।

ତହୁଁ ଗଲେ ବିଷ୍ଣୁପୁରକୁ ଶିବ ଗଙ୍ଗା ସେଠାରେ,

ଗଙ୍ଗାଦେବୀ ତହିଁ ପ୍ରକାଶ ମହେଶ ସ୍ମରି ବାରେ ।୭।

ପ୍ରବାଦ ରହିଛି ପୂର୍ବରୁ ଶିବତାଣ୍ତବ କାଳେ,

କ୍ଳାନ୍ତହୋଇ ଶ୍ରମେ ବସନ୍ତି ଦିହ ତିନ୍ତଇ ଝାଳେ ।୮।

ଦେଖି ଦୁର୍ଗାଦେବୀ ତକ୍ଷଣେ ଗଙ୍ଗାରୂପେ ବାହାରି,

ଶ୍ରମ ନିବାରନ୍ତି ଏ ଶିବଗଙ୍ଗା ପବିତ୍ର ବାରି ।୯।

ତୀର୍ଥକୃତ୍ୟ କରି ସେଠାରୁ ସେତୁବନ୍ଧ ମୁଖରେ,

ଯାଉଁ କେତେ ଦୂରେ ମିଳିଲେ ନିଜ ମାତୁଳ ଘରେ ।୧୦।

ମାତୁଳ ଅଟନ୍ତି ପଣ୍ତିତ ସ୍ୱଧର୍ମ୍ମ ପରାୟଣ,

ପ୍ରଭାକର ମତାବଲମ୍ବୀ କୂଟବୁଦ୍ଧି ବ୍ରାହ୍ମଣ ।୧୧।

ବହୁ ଦିନ ଗତେ ଭଣଜା ଦେଖି ସନ୍ନ୍ୟାସୀବେଶେ,

ବିଧିମତେ ନେଲେ ଗୃହକୁ ହରଷରେ ବିଶେଷ ।୧୨।

ଜ୍ଞାତିବର୍ଗ ତାଙ୍କ ସକଳେ ଆସି ପାଶେ ମିଳିଲେ,

ଯତିବେଶ ଦେଖି ସାନନ୍ଦେ ବହୁତ ପ୍ରଶଂଶିଲେ, ।୧୩।

ଧନ୍ୟ ଧନ୍ୟ ଛାଡ଼ିପାରିଛ ଘୋର ମାୟାବନ୍ଧନ,

ମୋକ୍ଷର ହେଲା ଅଧୀକାରୀ ସାର୍ଥକ ଏ ଜୀବନ ।୧୪।

ଆମ୍ଭର ଜନ୍ମ ଅକାରଣ ମିଛମାୟା ସଂସାରେ,

ଧନ୍ଦିହୋଇ ସଦା ମରୁଛୁଁ ଅଜ୍ଞାନ ଅନ୍ଧକାରେ ।୧୫।

ଯାହା ସାଧିବାକୁ ଜନ୍ମିଲୁ ଗର୍ଭଯାତନା ପାଇ,

ଭୁଲି ତାହା ହେଲୁ ଇନ୍ଦ୍ରିୟ ଭୋଗ୍ୟ ବିଷୟେ ବାଇ ।୧୬।

ନିଜ ଆତ୍ମାର ସଦଗତି ଚିନ୍ତା ନ କରୁ କ୍ଷଣେ,

ସରୁଛି ଏ ଦେହ ସ୍ତ୍ରୀପୂତ୍ର ପରିବାର ରକ୍ଷଣେ ।୧୭।

କେହି ନୁହେଁ କାହା ଯେ ଯାହା କର୍ମ୍ମ ହେଉଛି ଭୋଗ,

ସୁଖଦୁଃଖ ଧନୀଦରିଦ୍ର ଶୋକ ସମ୍ଭୋଗ ରୋଗ ।୧୮।

ସବୁ ପାପରୁ ତୁମ୍ଭେ ମୁକ୍ତ ପରଂବ୍ରହ୍ମ ସେବିଲ,

ଧନ୍ୟକଲ ଆମ୍ଭମାନଙ୍କୁ ପାତକ ବିନାଶିଲ ।୧୯।

ଏମନ୍ତ କେ କେତେ ବୋଲନ୍ତେ ଶୁଣି ବୋଇଲେ ଯତି,

ଚତୁର୍ଥାଶ୍ରମ ସର୍ବ ପରେ ଏହା ସର୍ବେ ଜାଣନ୍ତି ।୨୦।

ମାତ୍ର ତ୍ୟାଗଚିତ୍ତ ସଂଯମ ପରମାଆତ୍ମାଜ୍ଞାନ,

ଆଶ୍ରମ ଅନ୍ତର ସାର୍ଥକ ଲାଗିଲେ ବ୍ରହ୍ମେ ଧ୍ୟାନ ।୨୧।

ଅହଂବ୍ରହ୍ମ ନାହିଁ ଦ୍ୱିତୀୟ ଜ୍ଞାନ ଈଶ୍ୱର ଦୟା,

ସର୍ବତ୍ର ବ୍ରହ୍ମ ପରିପୂର୍ଣ୍ଣ ଆନ ଯାବତ ମାୟା ।୨୨।

ସକଳ ଆଶ୍ରମର ମୂଳ ପଟେ ଗୃହସ୍ଥାଶ୍ରମ,

ଚତୁବର୍ଗ ସିଦ୍ଧି ଗୃହରେ ନ ବିଚାର ଅଧମ ।୨୩।

ବ୍ରହ୍ମଚଉର୍ଯ୍ୟ ବାନପ୍ରସ୍ଥ ସନ୍ନ୍ୟାସ ଏହି ତିନି,

ଗୃହସ୍ଥାଶ୍ରମର ଆଶ୍ରୟେ ରହନ୍ତି ଦେହ ଘେନି ।୨୪।

ଗୃହେ ଆଶ୍ରମ ଧର୍ମ୍ମ ସାଧି ଗୃହୀ ସିଦ୍ଧି ଲଭଇ,

ଧର୍ମ୍ମ ଅର୍ଥ କାମ ମୋକ୍ଷଏ ଚାରି ଗୃହେ ମଳଇ ।୨୫।

ମିଥ୍ୟା ମାୟା ହେଲେ ମୋକ୍ଷଏ ଚାରି ଦୃଢ଼ତର ବୈରାଗ,

ଈଶ୍ୱରପ୍ରୀତିରେ ସଂସାର କର କାମନା ତ୍ୟାଗ ।୨୬।

ଦୂରପଥ ଶ୍ରାନ୍ତ ଅତିଥି କ୍ଷୁଧା ତୃଷା ଆତୁର,

ଭିକ୍ଷା ଦେଇ ତାଙ୍କୁ ତୋଷିବ କହି ବାକ୍ୟ ମଧୁର ।୨୭।

ନ୍ୟାୟରେ ଧନ ଅରଜିବ ସୁପାତ୍ରେ କର ଦାନ,

ପରିବାରବର୍ଗ ପାଳିବ ବିଷ୍ଣୁ ବିଗ୍ରହ ଜ୍ଞାନ ।୨୮।

ସତ୍ୟ ସରଳ ସଦାଚାର ସବୁ ପ୍ରାଣୀରେ ଦୟା,

ହୃଦୟେ ନ ରଖିବ ହିଂସା ଅହଂକାର ଅସୂମ୍ଭା ।୨୯।

ଶାସ୍ତ୍ରୋକ୍ତ, ସ୍ୱଧର୍ମ୍ମ ପାଳିବ ପାଳିବ ପୂଜି ଗୁରୁ ଅମର,

ସ୍ୱର୍ଗସୁଖ ଗୃହେ ମିଳିବ ତେଜିଲେ ଅନାଚାର ।୩୦।

ଏପରି ଶାସ୍ତ୍ରର ବଚନ ଶୁଣି ସକଳେ ତୋଷ,

ସ୍ନେହରେ ମାତୁଳ ତୋଷିଲେ ଭୁଞ୍ଜାଇ ଷଡ଼ରସ ।୩୧।

ସକଳେ ସାଦରେ ବୋଇଲେ କିଛି ଦିନ ଏଠାରେ,

ରହି ଶୁଶାଅ ବ୍ରହ୍ମସୂତ୍ର ଭାଷ୍ୟର ବାର୍ତ୍ତିକାରେ ।୩୨।

ରାମେଶ୍ୱର ହୋଇ ଫେରିବି ଦେଖି ତୀର୍ଥ ସକଳ,

କହି ପଦ୍ମପାଦ ବାହାର, ହେଲେ ବନ୍ଦି ମାତୁଳ ।୩୩।

ବହିଛନ୍ତି ପୋଥି ସ୍କନ୍ଧରେ ଆପଣାର ରଚିତ,

ପ୍ରଭାକର ମତ ବିଶେଷେ ହୋଇ ଅଛି ଖଣ୍ତିତ ।୩୪।

ମାତୁଳ ବୋଇଲେ ଏ ପୋଥିଖଣ୍ତି ମୋ ପାଖେ ରହୁ,

ଦେଖିବି ପୁଣି ଭଲକରି ଶ୍ରମ କରିଛ ବହୁ ।୩୫।

ଫେରି ଏ ପଥେ ନେଇଯିବ ଶୁଣି ହେଲେ ସମ୍ମତ,

ମାମୁଁ ହସ୍ତେ ଦେଇ ବିଶ୍ୱାସେ ଚଳିଲେ ତିର୍ଥପଥ ।୩୬।

ପ୍ରଭାକର ମତ ଖଣ୍ତନ ଦେଖି ମା ତୁଳ ମନେ,

ଅସହା ଅସୂୟା ଜନ୍ମିଲା ଅସର୍ମଥ ଖଣ୍ତନେ ।୩୭।

ଦୁର୍ବୁଦ୍ଧି ହିଂସୁକ ବହିଟି ନଷ୍ଟ କରିବା ପାଇଁ,

ଗୃହେ ଥୋଇ ବହି ଗୃହରେ ଦେଲେ ଅଗ୍ନି ଲଗାଇ ।୩୮।

ଗୁରୁମତ ଟେକି ରଖିବା ପାଇଁ ଏମନ୍ତ କରି,

ଛଳେ ଶୋକ କରି କହନ୍ତି ଗଲା ମୋ ସବୁ ସରି ।୩୯।

ନାନା ତୀର୍ଥ ଦେଖି ସାନନ୍ଦ ପୂଜି ରାମେଶ୍ୱରଙ୍କୁ,

ଫେରି ପଦ୍ମପାଦ ମିଳିଲେ ଆସି ମାମୁଘରକୁ ।୪୦।

ଦେଖି ମାତୁଳ ଶୋଇକରି ବୋଇଲେ ସନନ୍ଦନ,

ପୋଥିଟି ସହିତେ ମୋ ଗୃହ ସବୁ ହେଲା ଦହନ ।୪୧।

ବହୁ ଚେଷ୍ଟାକରି ନୋହିଲା କିଛି ଉଦ୍ଧାର କରି,

କ୍ଷଣକରେ ଭସ୍ମ ହେଲା ମୋ ଗଲା ସର୍ବସ୍ୱ ପରି ।୪୨।

ଶୁଣି ପଦ୍ମପାଦ ଦୁଃଖରେ କ୍ଷଣେ ହେଲେ ମଉନ,

ଭିକ୍ଷା ସାଙ୍ଗ କଲେ ମାତୁଳାଳୟେ ଦୁଃଖିତ ମନ ।୪୩।

କୁଚକ୍ରୀ ମାତୁଳ ଭିଷାନ୍ନ ସଙ୍ଗେ କି ଦ୍ରବ୍ୟ ଦେଲେ,

ଯାହା ଭୁଞ୍ଜିବା ଫଳେ ଯତି ମେଧାକୁ ହରାଇଲେ ।୪୪।

ଶକ୍ତି ନାହିଁ ପୁଣି ରଚିବା ସ୍ମୃତିଶକତି ଲୋପ,

ଏମନ୍ତ ବିଶ୍ୱାସ ଘାତକ ପଣ୍ତିତ ମାମୁଁ କୋପ ।୪୫।

ତହୁ ଚଳିଯାଇ ମିଳିଲେ କେରଳ ନାମେ ଦେଶ,

ଶ୍ରୀ ଗୁରୁଙ୍କର ଶ୍ରୀଛାମୁରେ ବେଗେ ହେଲେ ପ୍ରବେଶ ।୪୬।

ମସ୍ତକ ଲଗାଇ ଚରଣେ କଲେ ପଦବନ୍ଦନ,

ତେଜହୀନ ଦେହ ଦୁର୍ବଳ ଅତି ବିଷନ୍ନ ମନ ।୪୭।

ଗୁରୁ ପଚାରିଲେ କୁଶଳେ ତୀର୍ଥଯାତ୍ରା କି ହେଲା,

ଶିଷ୍ୟ ବୋଇଲେ ପଥେ ମାମୁଁ ଭେଟି ବିପତ୍ତି ଦେଲା ।୪୮।

ପଞ୍ଚପାଦ୍ୟ ପେଥି ଗୋଟି ମୋ ହେଲା ତା ଘରେ ଭସ୍ମ,

ତେଣୁ ଅତି ଦୁଃଖେ ମୋ ଦେହ ହୋଇ ଅଛି ଅବଶ ।୪୯।

ପଚାରି ଜାଣି ସବୁ କଥା ବିସ୍ମୟେ ଯୋଗୀବର,

ଆଶ୍ୱାସ୍ୱି ବୋଇଲେ ହେ ବତ୍ସ ! ମନେ ଚିନ୍ତା ନ କର ।୫୦।

ଶୁଣାଇଥିଲ ଯାହା ମୋତେ ରହିଛି ମୋ ସ୍ମରଣ,

କହୁଛି ପୁଣି ତମ୍ଭେ ତାହା ବେଗେ କର ଲେଖନ ।୫୧।

ଶୁଣି ପଦ୍ମପାଦ ହରଷେ ପୁଣି ଲେଖି ରଖିଲେ,

ଗୁରୁଦତ୍ତ ମନ୍ତ୍ରପ୍ରଭାବେ ଦେହ ନିର୍ବିଷ କଲେ ।୫୨।

କେରଳାଧିପତି ରଚିତ ନାଟକ ତିନି ଗୋଟି,

ହୋଇଥିଲା ଭସ୍ମ ସେ ପୁଣି ଲେଖିନେଲେ ପାଲଟି ।୫୩।

ଏ ପରି ମେଧାବୀ ଶଙ୍କର ଥରେ ଯା ଶୁଣିଥିଲେ,

ସ୍ମରଣ କରି ତାହା ପୁଣି ଯର୍ଥାଥ ଲେଖାଇଲେ ।୫୪।

ଶିଷ୍ୟଗଣେ ସର୍ବେ ହରସ ପଦ୍ମପାଦକୁ ପାଇ,

ଗୁରୁଆଜ୍ଞା କଲେ ବାହାର ଦିଗ୍‍ବିଜୟ ପାଇଁ ।୫୫।

ଅଦ୍ୱୈତବାଦର ପ୍ରଚାର କରିବା ଦେଶେ ଦେଶେ,

ଅନ୍ୟ ମତବାଦୀ ଯେ ଯହିଁ ତାଙ୍କୁ ଜିଣି ବିଶେଷେ ।୫୬।

ତେବେ ମୋର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ହେ ଶିଷ୍ୟଗଣ,

ଶୁଣି ସକଳେ ଆନନ୍ଦରେ ସଜ ହେଲେ ବହନ ।୫୭।

 

ତ୍ରୟୋବିଂଶ ଅଧ୍ୟାୟ

ବେଦାନ୍ତବାଦ ପ୍ରଚାର

 

ଆଚାର୍ଯ୍ୟ ସୁରେଶ୍ୱର ପଦ୍ମପାଦ ହସ୍ତାମଳନ,

ସମିତ୍ପାଣି ଭାନୁ ମରୀଚି ବାହାରିଲେ ଉତ୍ସୁକ ।୧।

ଚିତ୍ତବିଳାସ ଜ୍ଞାନକନ୍ଦ ବିଷ୍ଣୁ ଗୁପ୍ତ ସଙ୍ଗତେ,

ଶୁଦ୍ଧକୀର୍ତ୍ତି କୃଷ୍ଣ ଦର୍ଶନ ପାଦ ଶୁଦ୍ଧାନ୍ତ ଯେତେ ।୨।

ବୁଦ୍ଧ ବିରଞ୍ଚ ସୁରେଶ୍ୱର ଜ୍ଞାନୀ ଆନନ୍ଦଗିରି,

ହେଲେ ଦିଗ୍‌ବିଜୟେ ବାହାର ବହୁ ଶିଷ୍ୟେ ହୁଁ କାରି ।୩।

ଗୁରୁ ଶ୍ରୀ ଶଙ୍କର ଆଚାର୍ଯ୍ୟ ଦଣ୍ତ ଧରି ହସ୍ତରେ,

ବିଜେ ହେଲେ ଦିଗ କମ୍ପଇ ଜୟ ଜୟ ଶବ୍ଦରେ ।୪।

ବୈଦିକ ଧର୍ମ ସନାତନ ଜୟ ଅଦ୍ୱୈତବାଦ,

ହର ହର ହର ଶଙ୍କର ଉଚ୍ଚେ ଶୁଭେ ଏ ନାଦ ।୫।

ତେଜି କେରଳ ପ୍ରବେଶିଲେ ମଧ୍ୟାର୍ଜ୍ଜୁନ ପୀଠରେ,

ସେ ଶିବଙ୍କୁ କରି ଦର୍ଶନ ତୋଷକଲେ ସ୍ତବରେ ।୬।

ନମୋ ନମୋ ହେ ମଧ୍ୟାର୍ଜ୍ଜୁନ ଶିବ ସର୍ବଜ୍ଞ ହର,

ଉପନିଷଦ ଆଦି ବେଦବେଦାନ୍ତ ରୁପଧର ।୭।

ଦ୍ୱୈତ ମତ ସତ୍ୟ କି ଅବା ସତ୍ୟ ଅଦ୍ୱୈତ ମତ,

କହନ୍ତୁ ଶ୍ରୀମୁଖେ ଆପଣ ଏହା କରି ନିଶ୍ଚିତ ।୮।

ବୋଲୁ ଶିବଲିଙ୍ଗ ମଧ୍ୟରୁ ଶିବ ହୋଇ ବାହାର,

ବୋଇଲେ ଉଚ୍ଚରେ ଅଦ୍ୱୈତ ସତ୍ୟ ତ୍ରିବାର ।୯।

କହି ଅନ୍ତର୍ଦ୍ଧାନ ହୋଇଲେ ଲିଙ୍ଗେ ପୀନାକ ପାଣି,

ସ୍ତମ୍ଭିତ ହେଲେ ସର୍ବଜନ ଶୁଣି ଶଙ୍କରବାଣୀ ।୧୦।

ସେ ଦେଶବାସୀ ବହୁ ଜନେ ଶିଷ୍ୟ ହେଲେ ଭକ୍ତିରେ,

ଅଦ୍ୱୈତ ବ୍ରହ୍ମ ଉପାସନା କଲେ ଇଚ୍ଛି ମୁକ୍ତିରେ ।୧୧।

ତହୁଁ ଚଳିଲେ ରାମେଶ୍ୱର ତହିଁ ଶାକ୍ତ ବହୁଳ,

ଶଙ୍କରାଚାର୍ଯ୍ୟଙ୍କ ସମ୍ମୁଖେ ଆସି ହୋଇଲେ ଠୁଳ ।୧୨।

ବୋଇଲେ ହେ ଯତି ଦର୍ଶନକର ଆମ୍ଭ ଭବାନୀ,

ଏହି ଦେବୀ ଆମ୍ଭ ଅଟନ୍ତି ଚତୁବର୍ଗଦାୟନୀ ।୧୩।

ଆଦ୍ୟାଶକ୍ତି ବିଶ୍ୱଜନନୀ ସୃଷ୍ଟି-ସ୍ଥିତି-ସଂହାର,

ସବୁର କାରେଣୀ ଏ ମାତ ତୁମ୍ଭେ ସେବ ପୟର ।୧୪।

ଶଙ୍କର ବୋଇଲେ କହିଲ ଯାହା ଅଟେ ଯଥାର୍ଥ,

ମାତ୍ର ବେନି ବିନା ନୁହଇ କାହିଁ ଜଗତଜାତ ।୧୫।

ସ୍ତିରୀ ପୁରୁଷଙ୍କ ମଧ୍ୟରେ ପୁରୁଷଟି ପ୍ରଧାନ,

ମାତ୍ର କୃପା ହେଲେ ହୁଅଇ ନିଜ ପିତାଙ୍କ ଜ୍ଞାନ ।୧୬।

ସମସ୍ତଙ୍କ ତହିଁ ବିଶ୍ରାମ ତହିଁ ପରମ ଶାନ୍ତି,

ତାଙ୍କ ପ୍ରାପ୍ତି ବିନା ନ ଛାଡ଼େ ଜୀବର ମାୟାଭ୍ରାନ୍ତି ।୧୭।

ଏକ ଅଦ୍ୱିତୀୟ ପରମ ବ୍ରହ୍ମ ନିତ୍ୟ ଅଚଳ,

ପ୍ରକୃତ ହୁଏ ଆତଜାତ ବ୍ରହ୍ମ ହିଁ ଆଦିମୂଳ ।୧୮।

ଲିଙ୍ଗର ଅତୀତ ସେ ବ୍ରହ୍ମ ପଞ୍ଚଭୂତେ ପ୍ରକାଶ,

ଜାଣିବା ମାତ୍ର ତାଙ୍କୁ ଥରେ ହୁଅଇ ମାୟା ନାଶ ।୧୯।

ଶୁଣି ଗୂଢ଼ ତତ୍ତ୍ୱ ବଚନ ସକଳେ ହେଲେ ନତ,

ଶିଷ୍ୟ ହେଲେ ସର୍ବେ ସେବିଲେ ଘେନି ଶଙ୍କର ମତ ।୨୦।

ତଦନ୍ତେ ମିଳି ବାମାଚାରୀ ଶଙ୍କରଙ୍କୁ ଅନାଇ,

ଦମ୍ଭରେ ବୋଇଲେ ହେ ଭଣ୍ତ ଯତି ଯାଅ ପଳାଇ ।୨୧।

ଅନିତ୍ୟ ଅଦ୍ୱୈତ ଜ୍ଞାନରେ ହୋଇଛ ମତୁଆଳ,

ବନ୍ଧ୍ୟାନାରୀପୁତ୍ର ପରାୟେ ତୁମ୍ଭେଟିକି ବାତୁଳ ।୨୨।

ଭେଦଜ୍ଞାନ ପ୍ରଳୟ କାଳେ ମଧ୍ୟ ରହଇ ଜାଣ,

ଅସାର ଅଦ୍ୱୈତଜ୍ଞାନର କିଛି ନାହିଁ ପ୍ରମାଣ ।୨୩।

ଜଗତର ଆଦିକାରଣ ଅଟନ୍ତି ଶିବ ଜ୍ଞାନୀ,

ତାଙ୍କ ବୀଜମନ୍ତ୍ର ସ୍ୱରୂପା ବିଦ୍ୟାଶକ୍ତି ରୂପିଣୀ ।୨୪।

ଆମ୍ଭର ଉପାସ୍ୟା ସେ ଦେବୀ ତୁମ୍ଭେ ତାହାଙ୍କୁ ସେବ,

ତାଙ୍କ ବିନା ଆମ୍ଭେ ନ ଜାଣୁ ଅନ୍ୟ କୌଣସି ଦେବ ।୨୫।

ଶଙ୍କର ବୋଇଲେ ଅନିତ୍ୟ ପ୍ରକୃତି ସ୍ୱ ମାୟାରେ,

ବହୁରୂପ ଧରେ ମୁକତି କାହିଁ ତାହା ସେବାରେ ।୨୬।

ପ୍ରକୃତି ମଧ୍ୟେ ପରମାତ୍ମା ସର୍ବ ଭୂତ ଈଶ୍ୱର,

ମୋକ୍ଷକାମୀ ଆତ୍ମା ଭିତରେ ଚିନ୍ତନ୍ତି ନିରନ୍ତର ।୨୭।

ତାଙ୍କ ବିନା ଅନ୍ୟ ଶରଣ ନାହିଁ ସେ ଅଦ୍ୱିତୀୟ,

ସେ ପରମ ଶାନ୍ତି ସ୍ୱରୂପ ତାଙ୍କ ଶରଣ ନିଅ ।୨୮।

ତାଙ୍କରେ ଆତ୍ମ ସମର୍ପଣ କର ଲଭିବ ମୋକ୍ଷ,

ବହ୍ମଜ୍ଞାନୀ ବ୍ରହ୍ମ ସ୍ୱରୂପ ଏହା ଜାଣ ପ୍ରତ୍ୟକ୍ଷ ।୨୯।

ପଞ୍ଚମକାର ଉପାସନା କର ହୋଇ ବ୍ରାହ୍ମଣ,

ପତିତ ହୋଇଛ ବହନେ କର ପିଣ୍ତ କାରଣ ।୩୦।

ଶୁଣି ତତ୍ତ୍ୱସାର ବଚନ କାୟ ଶୋଧନ କରି,

ଶିଷ୍ୟପଣେ ପାଦେ ଖଟିଲେ ଅଦ୍ୱୈତ ମତ ଧରି ।୩୧।

ଆଚାର ଭ୍ରଷ୍ଟ ବିପ୍ରଗଣେ ସର୍ବେ ହେଲେ ସଂସ୍କାର,

ସେ ଦେଶଯାକରେ ଅଦ୍ୱୈତବାଦ ହେଲା ପ୍ରଚାର ।୩୨।

ଆଚାର୍ଯ୍ୟ ଦେବଙ୍କୁ ସୁଧନ୍ୱା ନୃପତି ଗୁରୁ କଲେ,

ଦିଗ୍‌ବିଜୟ ପାଇଁ ଶ୍ରୀଗୁରୁ ସଙ୍ଗତରେ ଚଳିଲେ ।୩୩।

ସେଠାରୁ ସଶିଷ୍ୟେ ଶଙ୍କର ମିଳିଲେ କାଞ୍ଚିପୁରୀ,

ଶଙ୍କରାଚାର୍ଯ୍ୟ ଆଗମନ ଦେଶେ ପଡ଼ିଲା ହୁରି ।୩୪।

ପଣ୍ତିତ ବ୍ରାହ୍ମଣେ ଧାଇଁଲେ ଭେଟି ଗୁରୁଚରଣ,

ଅଦ୍ୱୈତ ବେଦାନ୍ତମାର୍ଗରେ କଲେ ଦୀକ୍ଷା ଗ୍ରହଣ ।୩୫।

ତହୁଁ ବିଜେ କଲେ ବିଦର୍ଭ ରାଜନଗରୀ ମଧ୍ୟେ,

ତହୁଁ ବହୁ ଲୋକ ମିଳିଲେ ଯତି ଦେଖିବା ସଧେ ।୩୬।

ଭୈରବ ମତ ଅବଲମ୍ବୀ ସେଠାର ଅଧିବାସୀ,

ଗୁରୁ କଲେ ଯତିବରଙ୍କୁ ମନୁ ସନ୍ଦେହ ନାଶି ।୩୭।

ତହୁଁ କର୍ଣ୍ଣାଟକ ଦେଶରେ ଯାଇ ହେଲେ ପ୍ରବେଶ,

ଅଦ୍ୱୈତବାଦର ପ୍ରଚାର ତହିଁ ହେଲା ବିଶେଷ ।୩୮।

ନାନା ମତବାଦୀ ସକଳେ ଶୁଣି ଆଚାର୍ଯ୍ୟ ବାଣୀ,

ସବୁ ମତ ଛାଡ଼ି ଧଇଲେ ଅଦ୍ୱୈତ ସତ୍ୟ ଜାଣି ।୩୯।

କର୍ଣ୍ଣାଟ ଦେଶ ପରିହରି ରାଜ୍ୟ ନାମେ ମାନସ,

ପ୍ରବେଶିଲେ ତହିଁ ବହୁତ କାପାଳିକଂକ ବାସ ।୪୦।

କାପାଳିକ ଗୁରୁ କ୍ରକଚ ମିଳି ଶଙ୍କର ଆଗେ,

ବୋଇଲେ କି ତପ ସାଧୁଛ ନାହିଁ ନାୟିକା ସଙ୍ଗେ ।୪୧।

ଶିଷ୍ୟ କେତେ ତାର ସଙ୍ଗତେ ଭସ୍ମବୋଳା ଶରୀର,

ନୃମୁଣ୍ତ ତ୍ରିଶୂଳ ହସ୍ତରେ କହନ୍ତି ଟାଣ ଗିର ।୪୨।

ସୁରାପାନେ ମତ୍ତ ଅରୁଣ ବର୍ଣ୍ଣ ଦିଶେ ନୟନ,

ବୋଲନ୍ତି ଖପରା ପକାଅ କର ମୁଣ୍ତ ଧାରଣ ।୪୩।

ଉପାସନା କର ଭୈରବ ଦେଇ ପଞ୍ଚମକାର,

ବାମା ଆଲିଙ୍ଗନ ମାତ୍ରକେ ଫିଟିବ ମୋକ୍ଷଦ୍ୱାର ।୪୪।

କ୍ରକଚର ଏମନ୍ତ ବାଣୀ ଶୁଣି ସୁଧନ୍ୱାନୂପ,

ଦୂର କଲେ ଭୃତ୍ୟ ଲଗାଇ ବହି ମନରେ କୋପ ।୪୫।

ବୋଇଲେ ଆରେ କାପୁରୁଷ ନର୍କକୁ ଭୟ ନାହିଁ,

ଶୁଣି କ୍ରକଚ ଅତି କୋପେ କହେ ତରାଟି ଚାହିଁ ।୪୬।

ମୁହିଁ କ୍ରକକଚ ମୋ ଆଗେ ପୁଣି ଏ ଆସ୍ଫାଳନ,

ଆଜିରେ କରିବି : ତୁମ୍ଭର ଯେତେ ଶିର ଛେଦନ ।୪୭।

ଏମନ୍ତ କହି ଫେରିଯାଇ କିଛି ସମୟ ପରେ,

ଦଳବଳ ଧରି ଫେରିଲା ନାନାଦି ଶସ୍ତ୍ର କରେ ।୪୮।

ରେ ରେ କାର କରି ଆସନ୍ତେ ସୁଧନ୍ୱା ନରପତି,

ଯୁଦ୍ଧ କରିବାକୁ ପେକ୍ଷିଲେ ନିଜ ସୈନ୍ୟ ଝଟତି ।୪୯।

ବ୍ରହ୍ମାଣମାନଙ୍କୁ ମାରିବା ଆଶେ ଦଳେ ଧାଇଁଲେ,

ପ୍ରାଣରକ୍ଷା ପାଇଁ ଶ୍ରୀଗୁରୁ ଆଗେ ବିପ୍ରେ ମିଳିଲେ ।୫୦।

ଅସ୍ତ୍ରଶସ୍ତ୍ର ଧରି ପଛରେ ଧାଇଁଛନ୍ତି କପାଳୀ,

ନିରେଖି ହୁଂକାର ଶବଦେ ଦେଲେ ଶଙ୍କର ଜାଳି । ୫୧।

ସୈନ୍ୟଗଣେ ରଣେ ବହୁତ କାପାଳିକ ବଧିଲେ,

ହତ ବଳ ଦେଖି କ୍ରକଚ ଶଙ୍କରଙ୍କୁ ଭେଟିଲେ ।୫୨।

କ୍ରୋଧଭରେ ବୋଲେ ପାଷଣ୍ତ ଆରେ ଯତି ଦୁର୍ମ୍ମତି,

ବଧିଲୁ ମୋ ଶିଷ୍ୟମାନଙ୍କୁ ଏବେ ଦେଖ ମୋ ଶକ୍ତି ।୫୩।

କହି ନେତ୍ର ବୁଜି କ୍ଷଣେକ ଧ୍ୟାନ କରିବା ମାତ୍ରେ,

ଭୈରବ ମୂର୍ତ୍ତି ଜାତ ହେଲେ ଭସ୍ମ ଲେପନ ଗାତ୍ରେ ।୫୪।

ଶୂଳ ପରଶୁ ଧରି ହସ୍ତେ ବୋଇଲେ କିବା କହ,

କ୍ରକଚ ବୋଲଇ ଭୋ ଦେବ ଏ ମୋ ଶତ୍ରୁକୁ ଚାହଁ ।୫୫।

ନିନ୍ଦାକରି ମୁଖେ ତୁମ୍ଭଙ୍କୁ ବାଧିଲା କାପାଳିକ,

ଏଣୁ ବଧକର ଏହାକୁ ମୂଳ ଏହି ଗୋଟିକ ।୫୬।

ଶୁଣି ବୋଲନ୍ତି ସେ ଭୈରବ କରି ଘୋର ଗର୍ଜ୍ଜନ,

ଅତି ପ୍ରିୟ ଏ ଯତି ଅଟେ ମୋର ଜୀବନ । ୫୭ ।

ଏହା ସଙ୍ଗେ ବାଦ କରିଛୁ ତୁ ମୂଢ଼ କାହିଁପାଇଁ,

କହି କ୍ରକଚ ମୁଣ୍ଡ ହାଣିଦେଲେ ତଳେ ପକାଇ । ୫୮ ।

ଅନ୍ତର୍ଦ୍ଧାନ ହେଲେ ଭୈରବ ଦେଖି ସର୍ବେ ଚକିତ,

ଉଚ୍ଚେ ଜୟଧ୍ୱନି ଗାଇଲେ ହରଷେ ପୁଲକିତ । ୫୯ ।

ଅବଶିଷ୍ଟ ଥିଲେ ଯେତେକ ଶଷ୍ୟପଣେ ଖଟିଲେ,

ଶଙ୍କରଙ୍କ ସ୍ତବେ ଭୈରବ ଦେବ ପ୍ରସନ୍ନ ହେଲେ । ୬୦ ।

କାପାଳିକ ଭ୍ରଷ୍ଟ ବ୍ରାହ୍ମଣ ପ୍ରାୟଶ୍ଚିତ୍ତ କରାଇ,

ସ୍ୱଧର୍ମରେ କଲେ ଦୀକ୍ଷିତ ବ୍ରହ୍ମଜ୍ଞାନ ଶିଖାଇ । ୬୧ ।

ପୁଣି ଜଣେ ଆସି ଭେଟିଲେ କାପାଳିକ ଭୀଷଣ,

ଆଚାର୍ଯ୍ୟଙ୍କୁ ଚାହିଁ ବୋଲଇ ଯତି ମୋ ମତ ଶୁଣ । ୬୨ ।

କାପାଳିକ ମତ ଅଭ୍ରାନ୍ତ ଶିବ ଅଷ୍ଟ ଭୈରବ,

ଭୈରବ ପ୍ରସନ୍ନେ ବିଶ୍ୱରେ କିଛି ନାହିଁ ଦୁର୍ଲ୍ଲଭ । ୬୩ ।

ଜାତିଭେଦ ଆମ୍ଭେ ନ ମାନୁ ସବୁ ମନୁଷ୍ୟ ଏକ,

ଲୋକକଳ୍ପିତ ଜାତି ଜାତି ଉପାଦାନକୁ ଦେଖ । ୬୪ ।

ଏକ ରକ୍ତମାଂସ ଶରୀର ଜାତି ଏକ ପ୍ରକାରେ,

ସ୍ତ୍ରିରୀ ପୁରୁଷ ଦୁଇ ଜାତି ଏହାହିଁ ପ୍ରତ୍ୟକ୍ଷରେ । ୬୫ ।

ସ୍ତ୍ରିରୀ ପୁରୁଷଙ୍କ ମଧ୍ୟରେ ନାରୀଜାତି ପ୍ରଧାନ,

ସର୍ବୋପରି ସୁଖ ସଂସ୍ପର୍ଶେ ନାରୀ କରେ ପ୍ରଦାନ । ୬୬ ।

ନାରୀ ଏ ନୁଅନ୍ତି ସ୍ୱାଧୀନା ସେ ନୁହନ୍ତି କାହାର,

ରତିକାଳେ ବେନି ସ୍ୱେଚ୍ଛାରେ ହୁଅନ୍ତି ଏକାକାର । ୬୭ ।

ପର ନାରୀ ଆମ୍ଭେ ନ ମାନୁ ନାରୀ ମାତ୍ରେ ସମାନ,

ବେନି ଦେହରେ ଯେ ସମ୍ଭୋଗ ସେହି ଯୋଗ ପ୍ରଧାନ । ୬୮ ।

ଆନନ୍ଦମୟ ଭବରବ ନାରୀ ଆନନ୍ଦମୟୀ,

ବେନି ସଂଯୋଗେ ଯେ ଆନନ୍ଦ ମୋକ୍ଷ ତାହାକୁ କହି । ୬୯ ।

କୌତୁକେ ବୋଇଲେ ଶଙ୍କର ହେଲେ ହେବ ବା ସତ,

ତୁମ୍ଭ ଜନନୀ କାହା ଝିଅ ସତ କରି କହ ତ । ୭୦ ।

ବୋଲୁଁ ବୋଇଲା କାପାଳିକ ମାତା ଦୀକ୍ଷିତ ଝିଅ,

ଦୀକ୍ଷିତ କେମନ୍ତେ ହୋଇଛି ତାହା ବୁଝାଇଦିଅ । ୭୧ ।

ବୋଲୁ ବୋଇଲା ଅଜା ମୋର ତାଳ ତାଡ଼ି କାଟନ୍ତି,

ପିଇ ପିଆଇ ଅର୍ଥ ନେଇ ସର୍ବ ଜନେ ତୋଷନ୍ତି । ୭୨ ।

ଦୀକ୍ଷିତ ବୋଲି ତେଣୁ ତାଙ୍କୁ ଡାକନ୍ତି ସର୍ବ ଲୋକେ,

ଶୁଣି ବାହାର କରିଦେଲେ ଶିଷ୍ୟେ ହସି କୌତୁକେ । ୭୩ ।

ତହୁଁ ଚାର୍ବାକ ଜଣେ ଆସି ଆଚାର୍ଯ୍ୟଙ୍କୁ ଭେଟିଲା,

ମୁକ୍ତିର ଲକ୍ଷଣ କିପରି ଜାଣିଛୁ ପଚାରିଲା । ୭୪ ।

ପ୍ରଥମେ ଶୁଣ ଆମ୍ଭର ଯାହା ଚାର୍ବାକ ମତ,

ଜୀବର ଆତ୍ମା ଏହି ଦେହ ଏହା ଅଟେ ନିଶ୍ଚିତ । ୭୫ ।

ଏ ଦେହ ଭିନ୍ନ ଅନ୍ୟ ଆତ୍ମା କାହିଁ ପୃଥକ ନାହିଁ,

ଏ ଦେହ ବିନାଶ ହୋଇଲେ ଜୀବ ମୋକ୍ଷ ବୋଲାଇ । ୭୬ ।

ସ୍ୱର୍ଗ ନରକ ବୋଲି ନାହିଁ କାହିଁ ପୃଥକ ଲୋକ,

ଏହି ଦେହେ ଜୀବ ଭୁଞ୍ଜଇ ଦୁଃଖ ସୁଖ ବା ଶୋକ । ୭୭ ।

ଏହି ଦେହରେ ସୁଖଭୋଗ ଅଟଇ ସ୍ୱର୍ଗପ୍ରାପ୍ତି,

ପରଲୋକ ନାହିଁ ଜୀବନ ଏ ଦେହ ଅନ୍ତେ ମୁକ୍ତି । ୭୮ ।

ପରଲୋକ ଚିନ୍ତାରେ ତୁମ୍ଭେ ବୃଥା ସାରୁଛ ଦିନ,

ଉପସ୍ଥିତ ସୁଖ ବରଜି ଦୁଃଖେ ପିନ୍ଧ କୌପୀନ । ୭୯ ।

ଶଙ୍କର ବୋଇଲେ ଏ ମତ ଭ୍ରାନ୍ତ ବେଦବିରୁଦ୍ଧ,

ଦେହ ଇନ୍ଦ୍ରିୟ ଆତ୍ମା ନୁହେ ଆତ୍ମା ପରମ ଶୁଦ୍ଧ । ୮୦ ।

ଏକ ଦେହୁ ଅନ୍ୟ ଦେହକୁ ଜୀବ କରଇ ଗତି,

ଶୁଭ କର୍ମ୍ମ ଫଳେ ଏ ଜୀବ କରେ ସ୍ୱର୍ଗେ ବସତି । ୮୧ ।

ପୁତ୍ରପୌତ୍ରାଦି ଶ୍ରାଦ୍ଧଫଳେ ଶାନ୍ତି ହୁଏ ଜୀବର,

ଇନ୍ଦ୍ରିୟ ସକଳେ ଅଟନ୍ତି ଜୀବର ଅନୁଚର । ୮୨ ।

ଲିଙ୍ଗଶରୀର ଲାଭକରି ଜୀବ କରେ ଗମନ,

ବ୍ରହ୍ମଙ୍କୁ ବିଦିତ ହୋଇଲେ ହୁଏ ବ୍ରହ୍ମେ ବିଲୀନ । ୮୩ ।

ଏହା ଭିନ୍ନ ଅନ୍ୟ ଦ୍ୱିତୀୟ ପଥ ମୋକ୍ଷର ନାହିଁ,

ଶୁଣି ଚାର୍ବାକ ବ୍ରହ୍ମତତ୍ତ୍ୱ ପଦେ ନମିଲା ଯାଇ । ୮୪ ।

ଶିଷ୍ୟ ହୋଇ ପାଦେ ଖଟିଲା ସହଗଣକୁ ନେଇ,

ବେଦାନ୍ତତତ୍ତ୍ୱ ବ୍ରହ୍ମଜ୍ଞାନ ଶୁଣି କୃତାର୍ଥ ହୋଇ । ୮୫ ।

ତହୁଁ ସୌଗତ ନାମେ ଏକ ବୌଦ୍ଧ ଆସି ମିଳିଲା,

ସ୍ଥୂଳ ଦେହେ ଲୋଟି ଶଙ୍କର ପାଦପଦ୍ମେ କହିଲା । ୮୬ ।

ଏହି ଦେହଟି ଅଟେ ସାର ଏ ଦେହ ବର୍ଦ୍ଧନରେ,

ଋଣ କରି ଘୃତ ପିଇବା ଶ୍ରେଷ୍ଠ ଅଟଇ ନରେ । ୮୭ ।

ଯେ ରଖି ପାରଇ ଏ ଦେହ କରି ସୁସ୍ଥ ସବଳ,

ସେହି ସୁଖୀ ସେହି ଲଭଇ ସବୁ ଧର୍ମ୍ମର ଫଳ । ୮୮ ।

ସୁଖ ଅଟେ ମୁକ୍ତି ସ୍ୱରୂପ ସୁଖରୁ ମୁକ୍ତି ଜାତ,

ପୁଣି ମୋ ଗୁରୁ ଉପଦେଶ ଦେବ ହୁଅ ବିଦିତ । ୮୯ ।

ଅହିଂସା ପରମ ଧରମ ମୋର ଅହିଂସା ବ୍ରତ,

ଏହି ଧର୍ମ୍ମ କର ଗ୍ରହଣ ଏହା ଅଟଇ ସତ୍ୟ । ୯୦ ।

ଶୁଣି ଯତୀଶ୍ୱର ବୋଇଲେ ତୁମ୍ଭ ଏ କଥା ମିଛ,

ଲୋକଙ୍କୁ କହି ଭୁଲେଇବା ପାଇଁ ଏହା ଶିଖିଛ । ୯୧ ।

ହିଂସା ବିନା ନାହିଁ ସଂସାର ତା ମଧ୍ୟେ ବୈଧହିଂସା,

ଆଚରି ବେଦୋକ୍ତ ଯଜ୍ଞାଦି କର୍ମ ଅଟେ ଅହିଂସା । ୯୨ ।

ବେଦୋକ୍ତ ଆଚାର ବିହୀନ ଯେତେ ମନୁଷ୍ୟଗଣ,

ପାଷଣ୍ଡ ସେ ସର୍ବେ କରନ୍ତି ନିଶ୍ଚେ ନର୍କେ ଗମନ । ୯୩ ।

ଶୁଣି ଶଙ୍କରଙ୍କ ମୁଖରୁ ବେଦୋକ୍ତ ଉପଦେଶ,

ଛାଡ଼ି ନିଜ ମତ ଖଟିଲା ଶିଷ୍ୟପଣେ ବିଶେଷ । ୯୪ ।

ଗୁରୁପାଦୁକା ବହି ଶିରେ ଦେଶେ ଦେଶେ ଭ୍ରମିଲା,

ଏମନ୍ତେ ଅଦ୍ୱୈତବାଦର ଜୟନାଦ ଘୋଷିଲା । ୯୫ ।

କୌପୀନବନ୍ତ କ୍ଷପଣକ ଜଣେ ତହୁଁ ଭେଟିଲା,

ଘଡ଼ି ତୁରୀଯନ୍ତ୍ର ଦ୍ୱିକରେ ଧରି ନମି ବୋଇଲା । ୯୬ ।

ଭୋ ଦେବ ପୂର୍ଣ୍ଣ ମୁଁ ମୋହର ନାମ ଅଟେ ସମୟ,

ଏହି ଦୁଇ ଯନ୍ତ୍ରେ ସୂର୍ଯ୍ୟଙ୍କ ଗତି କରେଁ ନିର୍ଣ୍ଣୟ । ୯୭ ।

କାଳପ୍ରବର୍ତ୍ତକ ସୂର୍ଯ୍ୟଙ୍କୁ ଏହି ଯନ୍ତ୍ରେ ବାନ୍ଧିଛି,

କାଳର ବଳେ ଶୁଭାଶୁଭ ଜଗତର ଜାଣିଛି । ୯୮ ।

କାଳ ଏକା ଶ୍ରେଷ୍ଠଦେବତା ମୋର ଏ ଦୃଢ଼ ମତ,

କାଳର ଆୟତ୍ତ ଜଗତ କାଳ ଅଟେ ଅନନ୍ତ । ୯୯ ।

ଯତି ବୋଇଲେ କିଛି ଦିନ ଥାଅ ମୋହ ସଙ୍ଗତେ,

ତୁମ୍ଭ ଏ ପ୍ରଶ୍ନର ଉତ୍ତର କହିବି ବିଧିମତେ । ୧୦୦ ।

ଶୁଣି କ୍ଷପଣକ ରହିଲା ସେବାକରି ଶଙ୍କରେ,

ଜୈନ ବୌଦ୍ଧ ଯେତେ ଦୀକ୍ଷିତ ହେଲେ ବେଦମତରେ । ୧୦୧ ।

ସବୁଙ୍କ ସଂଶୟ ତୁଟିଲା ଶୁଣି ଶାସ୍ତ୍ର କଥାରେ,

ସେବି ଯତିବରେ ପାଳିଲେ ବେଦୋକ୍ତ ସଦାଚାରେ । ୧୦୨ ।

ତହୁଁ ଯାଇ ଗୋକର୍ଣ୍ଣ ତୀର୍ଥେ ଶିଷ୍ୟ ସଙ୍ଗେ ପ୍ରବେଶ,

ସିନ୍ଧୁ ନୀରେ କରି ସ୍ନାହାନ ତେଜିଲେ ମନୁ କ୍ଳେଶ । ୧୦୩ ।

 

ଚତୁର୍ବିଂଶ ଅଧ୍ୟାୟ

ଶଙ୍କରଙ୍କର ଭଗନ୍ଦର ରୋଗରୁ ମୁକ୍ତି

 

ଗୋକର୍ଣ୍ଣରେ ସମୁଦ୍ରସ୍ନାନ ଶିବଲିଙ୍ଗଦର୍ଶନ,

କରି ସୂତ୍ର ଭାଷ୍ୟ ବୋଲନ୍ତି ଶୁଣନ୍ତି ଶିଷ୍ୟଗଣ । ୧ ।

ନୀଳକଣ୍ଠ ନାମେ ପଣ୍ଡିତ ସେ ଦେଶରେ ପ୍ରସିଦ୍ଧ,

ଅତି ଅହଂକାରୀ ଜାଣନ୍ତି ତର୍କଶାସ୍ତ୍ର ବିବିଧ । ୨ ।

ସେ ଜାଣନ୍ତି ତାଙ୍କ ସମାନେ ବିଶ୍ୱେ ନାହିଁ ପଣ୍ଡିତ,

ଯାହା ସେ ଜ୍ଞାନ ଅର୍ଜ୍ଜିଛନ୍ତି ସେହି ଅଟେ ନିଶ୍ଚିତ । ୩ ।

ଶୁଣିଲେ ଦିଗ୍‍ବିଜୟରେ ଆସିଛନ୍ତି ଆଚାର୍ଯ୍ୟ,

ତକ୍ଷଣେ ସଗର୍ବେ ସାଜିଲେ ତିଆଗି ସର୍ବ କାର୍ଯ୍ୟ । ୪ ।

ଶିଷ୍ୟଗଣ ସଙ୍ଗେ ଘେନିଣ ଆଚାର୍ଯ୍ୟଙ୍କ ଅଗ୍ରତେ,

ତର୍କଯୁଦ୍ଧେ ହେଲେ ପ୍ରବୃତ୍ତ ଶ୍ରୋତା ଶିଷ୍ୟ ସମସ୍ତେ । ୫ ।

ବହୁରୂପେ ବାକ୍‌ବିତଣ୍ଡା କ୍ରମେ କ୍ରମେ ବଢ଼ିଲା,

ପରିଶେଷେ ତତ୍ତ୍ୱମସିରେ ଯାଇ ସୀମା ଲାଗିଲା । ୬ ।

ପଣ୍ଡିତ ଭାଷି ତତ୍ତ୍ୱମସି ବାକ୍ୟେ ଅଭେଦ ଭ୍ରମ,

ଆଲୋକ ଅନ୍ଧାର ଏକ ବିଚାରିବା ବିଷମ । ୭ ।

ଜୀବ ଈଶ୍ୱର ବେନି ଏକ ଏହା ନୁହଇ ସିଦ୍ଧ,

ତମଃ ପ୍ରକାଶ ବେନିଗୁଣ ପରସ୍ପରବିରୁଦ୍ଧ । ୮ ।

ଅଦ୍ୱୈତବାଦ ଅଟେ ଭ୍ରାନ୍ତ ନୀଳକଣ୍ଠ ବୋଇଲେ,

ପାଣ୍ଡିତ୍ୟ ପ୍ରକାଶି ଖଣ୍ଡନ ଯୁକ୍ତି ବହୁ କାଢ଼ିଲେ । ୯ ।

ତହୁଁ ଧୀରମତି ଶଙ୍କର ଭାଷି ମଧୁର ବାଣୀ,

ତତ୍‌ତ୍ୱମ୍‌ ଅଟେ ଅଭିନ୍ନ ଏହା ବୋଲନ୍ତି ଜ୍ଞାନୀ । ୧୦ ।

ମୂଢ଼ ଜୀବ ଆଉ ସର୍ବଜ୍ଞ ଈଶ୍ୱର ଭେଦ ନାହିଁ,

ମାୟା ପ୍ରପଞ୍ଚର ପ୍ରଭାବେ ଏହା ବେନି ବୋଲାଇ । ୧୧ ।

ତତ୍ତ୍ୱମସି ଆଉ ସୋହୟଂ ଦେବଦତ୍ତ ବାକ୍ୟରେ,

ଭେଦଭାବ ଜାତ ହୁଅଇ ମାତ୍ର କ୍ଷଣ ମାତ୍ରରେ । ୧୨ ।

ମାତ୍ର ବାକ୍ୟରେ ହୁଏ ଲୟ ଛାଡ଼ିଲେ ମୂଢ଼ପଣ,

ବହୁରୂପ ଜୀବ ଦିଶଇ ପ୍ରପଞ୍ଚର କାରଣ । ୧୩ ।

ପରିଣାମରେ ଦେଖ ଜୀବ ରହେ ଅହଂ କେବଳ,

ସେହି ଆତ୍ମା ଅଣୁ ପ୍ରମାଣ ସେହି ବ୍ରହ୍ମ ଅଚଳ । ୧୪ ।

ଅଭିନ୍ନ ସେ ମାୟା ପ୍ରପଞ୍ଚେ ଦିଶନ୍ତି ଭିନ୍ନ ଭିନ୍ନ,

କହି ବେଦବାକ୍ୟେ ସଂଶୟ କଲେଟି ଛିନ୍ନ ଭିନ୍ନ । ୧୫ ।

ଶାସ୍ତ୍ରାନୁଷ୍ଠାନରେ ପ୍ରକାଶ ହୁଅଇ ଶୁଦ୍ଧ ଜ୍ଞାନ,

ଭେଦବୁଦ୍ଧି କଲେ ବିନାଶ କହି ବହୁ ପ୍ରମାଣ । ୧୬ ।

ଯୁକ୍ତିବାକ୍ୟ ଖୋଜି ନ ପାଇ ନୀଳକଣ୍ଠ ବୋଇଲେ,

କପିଳ ଆଦି ମୁନିଗଣେ ଯେ ବାକ୍ୟ ସିଦ୍ଧ କଲେ । ୧୭ ।

ସେସବୁ ଅକାଟ୍ୟ ଯୁକ୍ତି ତୁମ୍ଭେ ଖଣ୍ଡନ କଲ,

ଅଦ୍ୱୈତବାଦ ତୁମ୍ଭ ସତ୍ୟ କେମନ୍ତେ ଏହା ବୋଲ । ୧୮ ।

ବେଦବାକ୍ୟେ ହେଲେ ବିରୋଧ ସିଦ୍ଧ ମୁନି ବଚନ,

ଗ୍ରହଣ କରି ନ ଯୋଗାଇ ସତ୍ୟ ବେଦ ପ୍ରଣାମ । ୧୯ ।

ସଂସାର-ସୁଖ-ଦୁଃଖ ଆଦି କାର୍ଯ୍ୟ ଅଟେ ମନର,

ମୂଢ଼ ଜୀବ ମନ ସଂଯୋଗେ ଭୁଞ୍ଜଇ ନିରନ୍ତର । ୨୦ ।

ପରମାତ୍ମା ପରଂବ୍ରହ୍ମଙ୍କ ନାହିଁ କିଛି ସମ୍ୱନ୍ଧ,

ମାୟାର ଲୀଳା ଏ ସକଳ ବ୍ରହ୍ମସାକ୍ଷୀ ନିର୍ଦ୍ୱନ୍ଦ । ୨୧ ।

ଦ୍ୱୈତବାଦ କରି ଖଣ୍ଡନ ଶୁଦ୍ଧ ଅଦ୍ୱୈତ ମତ,

ପ୍ରମାଣ ହେବାରୁ ପରାସ୍ତ ନୀଳକଣ୍ଠ ପଣ୍ଡିତ । ୨୨ ।

ଶଙ୍କରାଚାର୍ଯ୍ୟଙ୍କ ଅଦ୍ୱୈତ ମତ କଲେ ସ୍ୱୀକାର,

ଶିଷ୍ୟ ସଙ୍ଗତରେ ସେଠାରୁ ଯତି ହେଲେ ବାହାର । ୨୩ ।

ସୌରାଷ୍ଟ୍ର ପ୍ରଦେଶେ ପ୍ରବେଶ ତହିଁ ଅଦ୍ୱୈତ ବାଦ,

ପ୍ରଚାର ହେବାରୁ ବିରୁଦ୍ଧବାଦୀ ପଡ଼ିଲେ ପାଦ । ୨୪ ।

ସେଠାରୁ ଦ୍ୱାରକା ନଗରେ ବେଗେ କଲେ ଗମନ,

ତହିଁ ପଞ୍ଚରାତ୍ର ବୈଷ୍ଣବ ଅଟନ୍ତି ବହୁ ଜନ । ୨୫ ।

ଆଚାର୍ଯ୍ୟଙ୍କ ତୁଲେ ବିବାଦେ ସର୍ବେ ପରାସ୍ତ ହେଲେ,

ବେଦାନ୍ତ ଅଦ୍ୱୈତମତରେ ସକଳେ ଦୀକ୍ଷା ନେଲେ । ୨୬ ।

ତହିଁ ନିଜ ମତ ସ୍ଥାପନ କରି ଗୁରୁ ଶଙ୍କର,

ବିଜେ ହେଲେ ଶିଷ୍ୟ ସଙ୍ଗତେ ଉଜ୍ଜୟିନୀ ନଗର । ୨୭ ।

କାଳିଦାସେ ମେଘଦୂତରେ ସେ ନଗରୀର ଶୋଭା,

ବର୍ଣ୍ଣିଛନ୍ତି ଅତି ବିଚିତ୍ର ଦେବଙ୍କ ମନଲୋଭା । ୨୮ ।

ଯତିବର ପ୍ରଥମେ କରି ସେ ସେ ନଗ୍ରେ ପଦାର୍ପଣ,

ମହାକାଳ ମହାଦେବଙ୍କୁ ତୋଷେ କଲେ ଦର୍ଶନ । ୨୯ ।

ବିପ୍ରମାନଙ୍କ ବେଦଧ୍ୱନି ନାନା ବାଦ୍ୟ ସଙ୍ଗତେ,

ଶୁଭୁଛି କି ସତେ ସେ ନାଦ କଇଳାସ ପର୍ବତେ । ୩୦ ।

ଗଣ୍ଡ ବାଦ୍ୟ ବଂ ବଂ ବଂହର କହି କେ କରେ ନୃତ୍ୟ,

ଶିଷ୍ୟଗଣେ କେବା ମହିମ୍ନ କେ ପଢ଼େ ଶିବସୂକ୍ତ । ୩୧ ।

ବିଧିରେ ଶିବଙ୍କୁ ପ୍ରସନ୍ନ କରି ଭାଷି ଶଙ୍କର,

ଆହେ ପଦ୍ମପାଦ ଏଠାରେ ଶ୍ରେଷ୍ଠ ବୁଧ ଭାସ୍କର । ୩୨ ।

ବାର୍ତ୍ତା ଦିଅ ତାଙ୍କୁ ଆସନ୍ତୁ ଅନ୍ୟ ଯେ ଯେ ପଣ୍ଡିତ,

ଆସନ୍ତୁ ଅଦ୍ୱୈତବାଦର ତତ୍ତ୍ୱ ହେବେ ବିଦିତ । ୩୩ ।

ଶୁଣି ପଦ୍ମପାଦ ଭାସ୍କର ପଣ୍ଡିତଙ୍କୁ କହିଲେ,

ଶୁଣିବା ମାତ୍ରକେ ପଣ୍ଡିତ ଗୋଷ୍ଠୀ ଯାକ ମିଳିଲେ । ୩୪ ।

ଶଙ୍କର ମହିମା ଆଗରୁ ହୋଇଅଛି ବିଖ୍ୟାତ,

ଭେଟି ସକଳେ ଯତିବରେ କଲେଟି ପ୍ରଣିପାତ । ୩୫ ।

ବିଧିରେ କରି ଅଭ୍ୟର୍ଥନା ବସାଇଲେ ଆସନେ,

ଯୁକ୍ତିକଲେ ଅଦ୍ୱୈତବାଦ ଯତିମତ ଖଣ୍ଡନେ । ୩୬ ।

ବିଦ୍ୟାଭିମାନୀ ଭାସ୍କର ସଗର୍ବେ ବାଦ କଲେ,

ଶଙ୍କର ସଧୀରେ ଆପଣା ମତକୁ ପ୍ରକାଶିଲେ । ୩୭ ।

ବାକଚାତୁରୀରେ ଅଟନ୍ତି ଉଭୟେ ବିଚକ୍ଷଣ,

ଯେ ଯାହା ମତରେ କହନ୍ତି ଗୂଢ଼ ବେଦବଚନ । ୩୮ ।

ସୁତୀକ୍ଷ୍‌ଣ ବୁଦ୍ଧି ଦାର୍ଶନିକ ଭାସ୍କରଙ୍କ ସନ୍ଦେହ,

ସାଧାରଣ ବୁଝିବା କଷ୍ଟ ଯତିଙ୍କୁ ଅତି ସ୍ନେହ । ୩୯ ।

ନାନାରୂପେ ତର୍କ ମୀମାଂସା କରନ୍ତେ ଯତିବର,

ଶେଷକୁ ଭାସ୍କର ପଣ୍ଡିତ ହୋଇଲେ ନିରୁତ୍ତର । ୪୦ ।

ଭେଦବୁଦ୍ଧି ଜାତ ମାୟାରେ ମାୟାରେ ଏ ଜଗତ,

ମାୟା ତ୍ୟାଗକଲେ କେବଳ ପରଂବ୍ରହ୍ମ ହିଁ ସତ୍ୟ । ୪୧ ।

ଜୀବ ପରମ ଭେଦଜ୍ଞାନ ଅଟେ ଅବିଦ୍ୟ ଖେଳ,

ବ୍ରହ୍ମଜ୍ଞାନ ହେଲେ ଅବିଦ୍ୟା ନାଶ ବ୍ରହ୍ମ କେବଳ । ୪୨ ।

ଜୀବ ଭ୍ରମଇ କର୍ମ୍ମସୂତ୍ରେ କାହିଁ ବିଶ୍ରାମ ନାହିଁ,

ବ୍ରହ୍ମଜ୍ଞାନ ହେଲେ ଜୀବର ଜୀବ ଭାବ ନ ଥାଇ । ୪୩ ।

ବେଦାନ୍ତ ବ୍ରହ୍ମସୂତ୍ର ବାକ୍ୟ ଅଟେ ଏହା ପ୍ରମାଣ,

ଅଦ୍ୱୈତ ବାଦ ଅଟେ ସତ୍ୟ ଅନ୍ୟ ଅସତ୍ୟ ଜାଣ । ୪୪ ।

ବହୁ ଶାସ୍ତ୍ର ଗୂଢ଼ ବଚନ ଶୁଣି ପଣ୍ଡିତେ ବଶ,

ଶିଷ୍ୟହୋଇ ଶଙ୍କର ପାଦେ ସର୍ବେ ଗାଇଲେ ଯଶ । ୪୫ ।

ବାଣ, ମୟୁର, ଦଣ୍ଡୀ ଆଦି ଯେତେ ଶ୍ରେଷ୍ଠ ପଣ୍ଡିତ,

ଅଦ୍ୱୈତ ଶ୍ରୀହର୍ଷ ସହିତେ ହୋଇଲେ ପରାଜିତ । ୪୬ ।

ଶିଷ୍ୟହୋଇ ପାଦେ ଖଟିଲେ ଶଙ୍କରଙ୍କ ମହିମା,

ଦିଗଦିଗନ୍ତରେ ବିଖ୍ୟାତ ହେଲା ନ ରଖି ସୀମା । ୪୭ ।

ଜଇନମତ ବୌଦ୍ଧମତ ସବୁ କରି ଖଣ୍ଡନ,

ଅଦ୍ୱୈତବାଦ ପଚାରିଲେ ସର୍ବେ ହରଷ ମନ । ୪୮ ।

ତହୁଁ କ୍ରମେ ଯାଇ ମିଳିଲେ କାମରୂପ ନଗରେ,

ଭେଟିଲେ ଅଭିନବ ଗୁପ୍ତ ନାମେକ ପଣ୍ଡିତରେ । ୪୯ ।

ଅଭିନବ ଗୁପ୍ତ ପରାସ୍ତ ହୋଇ ଯୁକ୍ତିତର୍କରେ,

ଶରଣ ପଶିଲା ପୟରେ ମାତ୍ର ଈର୍ଷା ଅନ୍ତରେ । ୫୦ ।

ଆଚାର୍ଯ୍ୟଙ୍କ ଦେଖି ପ୍ରତିଭା ଶୁଣି ଯଶ ପ୍ରକାଶ,

ଦୃଷ୍ଟବୁଦ୍ଧି ମନେ ପାଞ୍ଚିଲା କରିବାକୁ ବିନାଶ । ୫୧ ।

ସାକ୍ଷାତେ ମଧୁର ବିନୟ ଅନ୍ତରେ ହଳାହଳ,

ସିଦ୍ଧବିଦ୍ୟା କଲା ପ୍ରୟୋଗ ବିଚାର ଅମଙ୍ଗଳ । ୫୨ ।

ମୁରାରୀ ମିଶ୍ର ଆଦି ଯେତେ ଗୌଡ଼ ଦେଶ ପଣ୍ଡିତ,

ଶିଷ୍ୟ ହୋଇ ପାଦ ସେବିଲେ ହୋଇଣ ପରାଜିତ । ୫୩ ।

ଅଙ୍ଗବଙ୍ଗ ଦେଶେ ପ୍ରଚାର ହେଲା ଅଦ୍ୱୈତବାଦ,

ସକଳେ ସର୍ବତ୍ର ପରାସ୍ତ ହେଲେ କରି ବିବାଦ । ୫୪ ।

ଏମନ୍ତେ ତହିଁ କିଛି ଦିନ ରହିଲେ ଯତିବର,

ଅଭିନବ ମନ୍ତ୍ର ପ୍ରୟୋଗେ ହୋଇଲା ଭଗନ୍ଦର । ୫୫ ।

ଶଙ୍କର ଶରୀରେ ଅସାଧ୍ୟ ରୋଗ ହେଲା ପ୍ରକାଶ,

ଶିଷ୍ୟଗଣେ ହୋଇ ଦୁଃଖିତ ତେଜି ବସିଲେ ଗ୍ରାସ । ୫୬ ।

ବିଚକ୍ଷଣ ରାଜବୈଦ୍ୟଙ୍କୁ ଖୋଜି ଆଣିଲେ ଯାଇ,

ବିଧିମତେ ଦେଲେ ଔଷଧ ରୋଗ ନାଶିବା ପାଇଁ । ୫୭ ।

ଅତି କଷ୍ଟକର ଅଟଇ ବ୍ୟାଧିରେ ଭଗରନ୍ଧ୍ର,

ରକ୍ତପୂଜମଳ ଝରଇ ସଦାବେଳେ ଦୁର୍ଗନ୍ଧ । ୫୮ ।

ସେବାପରାୟଣ ତ୍ରୋଟକ ମନରେ ଘୃଣା ନାହିଁ,

ମଳରକ୍ତଯୁକ୍ତ କୌପୀନ ଧୋଇ ରଖେ ଶୁଖାଇ । ୫୯ ।

ଦିନକୁ ଦିନ ବଢ଼େ ରୋଗ ନ ଶୁଣଇ ଔଷଧ,

ଦେଖି ବୈଦ୍ୟଗଣେ ଦୁଃଖିତ ହେଲେ ଚିନ୍ତି ଆପଦ । ୬୦ ।

ଦେଖି ପଦ୍ମପାଦାଦି ଶିଷ୍ୟେ ହୋଇ ଅତି କାତର,

ବୋଲନ୍ତି ଭୋ ଦେବ ଏ ରୋଗ କଣ ହେବ ଅନ୍ତର ? ୬୧ ।

ଦେହ ପ୍ରତି ନାହିଁ ଆସକ୍ତି ବ୍ରହ୍ମନନ୍ଦରେ ସ୍ଥିତି,

ବୈଦ୍ୟଗଣେ ହେଲେ ନିରସ୍ତ ଆମ୍ଭମାନଙ୍କ ଭୀତି । ୬୨ ।

ଶ୍ରୀଗୁରୁ ବୋଇଲେ ଏ ଦେହ ଭୋଗଭୂମୀ ଅଟଇ,

ପୂର୍ବଜନ୍ମକୃତ କର୍ମର ଫଳ ଜୀବ ଭୁଞ୍ଜଇ । ୬୩ ।

ଭୋଗ ବିନା ରୋଗ ନ ଯାଏ ବଳେ ଦେଲେ ହଟାଇ,

ଅବଶେଷ ପୁଣି ଭୋଗଇ ଅନ୍ୟ ଶରୀର ପାଇ । ୬୪ ।

ଶୁଣି ଶିଷ୍ୟ ଭଣି ବିନୟେ ବ୍ରହ୍ମଜ୍ଞମାନଙ୍କର,

କର୍ମ ହୁଏ ବ୍ରହ୍ମ ବିଲୀନ ଭୋଗ ବିନା ତାଙ୍କର । ୬୫ ।

ଶଙ୍କର ବୋଇଲେ ଏ କଥା ସତ ମାତ୍ର ଆଗତ,

ନଶ୍ୱର ଶରୀର ସକାଶେ କାହିଁ ପାଇଁ ଆରତ । ୬୬ ।

ବୈଦ୍ୟଗଣେ ଚାହିଁ ବୋଲନ୍ତି ଆହେ ଭିଷଗରତ୍ନ,

ମୋର ଏ ବ୍ୟାଧି ନିବାରଣେ କଲ ବହୁତ ଯତ୍ନ । ୬୭ ।

ରାଜବୈଦ୍ୟ ତୁମେ ମୋପାଇଁ ବହୁ ଦିନ ଏଠାରେ,

ରହିଅଛ ଦୁଃଖ ତିଆଗ କରି ନିଜ ଜାଗାରେ । ୬୮ ।

ସ୍ୱକାର୍ଯ୍ୟ ତେଜିବା ଦୋଷରୁ ରାଜାଙ୍କ ହେବ କୋପ,

ଅନ୍ୟ ବୈଦ୍ୟ ଖଞ୍ଜି ତୁମ୍ଭର ସ୍ଥାନ କରିବେ ଲୋପ । ୬୯ ।

ଅନେକ ଲୋକର ଜୀବନ ଦାୟତ୍ୱ ତୁମ୍ଭ କରେ,

ପଥ ଚାହିଁଥିବେ ତୁମ୍ଭର ରୋଗୀଏ ଦୁଃଖଭରେ । ୭୦ ।

ରୋଗଦୁଃଖ ନିବାରିବାକୁ ବିଷ୍ଣଙ୍କ ଅନୁଚର,

ତୁମ୍ଭେ ବୈଦ୍ୟ ହୋଇ ଜନ୍ମିଛ ପରଦୁଃଖ କାତର । ୭୧ ।

ଫେରିଯାଅ ନିଜ ସ୍ଥାନକୁ ତୁମ୍ଭେ ମହାନୁଭବ,

ରୋଗାତୁର ଜନେ ସମ୍ଭାଳ ଯାଇ ସ୍ୱସ୍ଥାନେ ଯବ । ୭୨ ।

ଶୁଣି ନମି ପାଦେ ଦୁଃଖରେ ଫେରିଲେ ବୈଦ୍ୟଗଣ,

ଶିଷ୍ୟମନ ଜାଣି ସୁରିଲେ ଧନ୍ୱନ୍ତରି ତକ୍ଷଣ । ୭୩ ।

ସ୍ୱର୍ଗବୈଦ୍ୟ ବେଗେ ମିଳିଲେ ଯତିବରଙ୍କ ଆଗେ,

ବୋଇଲେ ଏ ରୋଗ ହୋଇଛି ପର କୁବିଦ୍ୟା ଯୋଗେ । ୭୪ ।

ଚିକିତ୍ସାରେ ଫଳ ନୋହିବ ଦଇବ ପ୍ରତିକାର,

କର ବୋଲି ବୈଦ୍ୟ ଗମିଲେ ଆପଣା ସ୍ୱର୍ଗପୁର । ୭୫ ।

ଶୁଣି ପଦ୍ମପାଦ ତକ୍ଷଣେ ପାଲେଟା କର୍ମ କଲେ,

ଅଭିନବ ଦେଖି ସେ ରୋଗ ଜାତ ହେତୁ ସେ ମଲେ । ୭୬ ।

ରୋଗମୁକ୍ତ ହେଲେ ଶଙ୍କର ସର୍ବେ ହେଲେ ଆନନ୍ଦ,

ହିଂସାପର କ୍ରୂର ତାନ୍ତ୍ରିକ କଲା ଏମନ୍ତ ଦ୍ୱନ୍ଦ । ୭୭ ।

ଲୋକହିତେ ସିନା ଅର୍ଜ୍ଜିତ ଶକ୍ତିକୁ ଲଗାଇବ,

ପର ଅହିତ ଚିନ୍ତାକଲେ ଏହି ଫଳ ମିଳିବ । ୭୮।

 

ପଞ୍ଚବିଂଶ ଅଧ୍ୟାୟ

ଶଙ୍କରଙ୍କ କାଶ୍ମୀର ଦିଗବିଜୟ

 

ଯାଉଁ ଯାଉଁ ଯାଇ ମିଳିଲେ କାଶ୍ମୀର ପ୍ରଦେଶରେ,

କାଶ୍ମୀର ପ୍ରଦେଶ ସୌନ୍ଦର୍ଯ୍ୟ କବିଙ୍କ କାବ୍ୟ କରେ । ୧ ।

ପୁଷ୍ପଲତାଫଳପାଦପ କ୍ଷେତ୍ରଶସ୍ୟ ଶ୍ୟାମଳ,

ବନଗିରି ନଦୀ ତଡ଼ାଗ ସ୍ୱଚ୍ଛ ଶୀତଳ ଜଳ । ୨ ।

ସଦା ବସନ୍ତ କି ବିରାଜେ ଚହଟେ ପୁଷ୍ପବାସ,

ପ୍ରକୃତ ଦେବୀଙ୍କ ବିଚିତ୍ର ଶୋଭା ତହିଁ ପ୍ରକାଶ । ୩ ।

ବ୍ରହ୍ମୋପସାର ନଦୀତୀରେ ପୀଠ ଶାରଦାଙ୍କର,

ତହିଁ ଶିଷ୍ୟ ସଙ୍ଗେ ବିଶ୍ରାମ କରୁଥିଲେ ଶଙ୍କର । ୪ ।

ଦିନେ ବସି ନଦୀସୈକତେ ସାନ୍ଧ୍ୟ ସ୍ନିଗ୍‌ଧ ପବନେ,

ବ୍ରହ୍ମ ଚିନ୍ତା କରି ପରମାନନ୍ଦ ଲଭନ୍ତି ମନେ । ୫ ।

ଏ ସମୟେ ମୁନିବରେକ ନଦୀସ୍ରୋତୁ ବାହାରି,

ମିଳିଲେ ଶଙ୍କର ଆଗରେ କଷାକୌପୀନଧାରୀ । ୬ ।

ଶ୍ୱେତ ଶତଦଳ ଶ୍ରୀକରେ ବାମରେ କମଣ୍ଡଳୁ,

ଜ୍ୟୋତି ମୂର୍ତ୍ତି ଖସିପଡ଼ିଲା ଦିବା ନଭୋମଣ୍ଡଳୁ । ୭।

କରେ ଜପମାଳ ରୁଦ୍ରାକ୍ଷ ମାଳ ଶୋଭଇ ଗଳେ,

ମୁନିଶ୍ରେଷ୍ଠ ଗଉଡ଼ପାଦ ବିଖ୍ୟାତ ଧରାତଳେ । ୮ ।

ଶୁକଦେବଙ୍କର ଶିଷ୍ୟ ଏ ଗୁରୁ ଗୋବିନ୍ଦଙ୍କର,

ଦେଖି କଲେ ପଦବନ୍ଦନା ଯତିବର ଶଙ୍କର ।୯।

କରଯୋଡ଼ି ଉଭା ହୋଇଲେ ଭକ୍ତି ଗଦ୍‌ଗଦ ଚିତ୍ତ,

ବୋଲନ୍ତି ଧନ୍ୟ ହେଲି ପୂର୍ଣ୍ଣ ହେଲା ବାଞ୍ଛିତ । ୧୦ ।

ଗୌଡ଼ପାଦ ତହୁଁ ବୋଇଲେ ଆହେ ବତ୍ସ ଶଙ୍କର,

ମହାଯୋଗୀ ମହା ମଣ୍ଡିତ ଶିଷ୍ୟ ଗୋବିନ୍ଦଙ୍କର । ୧୧ ।

ତୁମ୍ଭେ ସଚ୍ଚିଦାନନ୍ଦ ପରଂବ୍ରହ୍ମର ସାରତତ୍ତ୍ୱ,

ଜାଣି ଗୁରୁଙ୍କ ସବୁ ବିଦ୍ୟା କରିଅଛ ଆୟତ୍ତ । ୧୨ ।

ଷଡ଼ ରିପୁ ଜୟ କରିଛି ଅଷ୍ଟାଙ୍ଗ ଯୋଗସିଦ୍ଧି,

ପରମ ବ୍ରହ୍ମରେ ଚିତ୍ତକୁ ରଖିଛ ନିରବଧି । ୧୩ ।

ଧନ୍ୟ ଜନ୍ମ ଧନ୍ୟ ଜୀବନ ଧନ୍ୟ ଭାରତବର୍ଷ,

ବେଦାନ୍ତ ଅଦ୍ୱୈତବାଦର ରଖିଦେଲ ଉତ୍କର୍ଷ । ୧୪ ।

ଶୁଣି ଗଦଗଦ ବାକ୍ୟରେ ଯତି ଯୋଡ଼ିଣ କର,

ବୋଲନ୍ତି ଭୋ ଦେବ ଏ ସବୁ କୃପା ଆପଣଙ୍କର । ୧୫ ।

ମୂର୍ଖ ଜନହୁଏ ପଣ୍ଡିତ ମୂକ ହୁଏ ବାଚାଳ,

ମହାପାପୀ ହୁଏ ପୁଣ୍ୟାତ୍ମା ଦୟା ହେଲେ କେବଳ । ୧୬ ।

ଅଶେଷ ମହିମା ସାଗର ବ୍ୟାସସୁତଙ୍କ ଶିଷ୍ୟ,

ଧନ୍ୟ ହେଲି ଆଜି ଦର୍ଶନେ ଲଭି ଶୁଭ ଆଶିଷ । ୧୭ ।

କହି ଶୁଣାଇଲେ ମାଣ୍ଡୁକ୍ୟ ଉପନିଷଦ ସାର,

ଗୌଡ଼ପାଦଙ୍କର କାରିକା ଭାଷ୍ୟ ଲେଖା ତାଙ୍କର । ୧୮ ।

ଶୁଣି ମୁନି ନିଜ କାରିକା ଭାଷ୍ୟ ଅତି ସୁନ୍ଦର,

ଆନନ୍ଦେ ବୋଇଲେ ହେ ବତ୍ସ ! ମାଗ ଯେ ଇଚ୍ଛା ବର । ୧୯ ।

ଅନାସକ୍ତ ମନା ଶଙ୍କର ଭାଷି ଚିତ୍ତ ମୋହର,

ଲାଗିରହୁ ପରଂବ୍ରହ୍ମରେ ନିଶ୍ଚଳ ନିରନ୍ତର । ୨୦ ।

ପୂର୍ଣ୍ଣହେଉ ମନବାସନା ତୁମ୍ଭେଟି ସେହି ବ୍ରହ୍ମ,

ଧର୍ମ୍ମରକ୍ଷା ପାଇଁ ଶଙ୍କର ନରରୂପେ ଜନମ । ୨୧ ।

ପାଷଣ୍ଡ ମତକୁ ନିବାରି ବୈଦିକ ସନାତନ,

ଅଦ୍ୱୈତ ବେଦାନ୍ତବାଦକୁ କଲ ବିଶ୍ୱେ ସ୍ଥାପନ । ୨୨ ।

କହି ମୁନିବର ତକ୍ଷଣେ ହୋଇଲେ ଅନ୍ତର୍ଦ୍ଧାନ,

ସ୍ନାନସାରି ଗଲେ ଶଙ୍କର ଦିବସ ଅବସାନ । ୨୩ ।

ଆରଦିନ ବାହ୍ମମୁହୂର୍ତ୍ତ ସେ ନଦୀ ପୁଣ୍ୟନୀରେ,

ସ୍ନାନସାରି ଶିଷ୍ୟ ସଙ୍ଗତେ ଫେରୁଅଛନ୍ତି ଧୀରେ । ୨୪ ।

ଶୁଣିଲେ ଲୋକମୁଖରୋଳ ହେଉଛି ନିକଟରେ,

ପ୍ରବେଶ ହେଲେ ଯାଇ ତହିଁ ଶାରଦାଙ୍କ ପୀଠରେ । ୨୫ ।

ସର୍ବଜ୍ଞ ଶାରଦାପୀଠ ସେ ତାର ଚାରି ଦୁଆର,

ସର୍ବଜ୍ଞ ଯେ ହେବ ସେ ପୀଠେ ବସିବା ଅଧିକାର । ୨୬ ।

ଶଙ୍କର ବୋଇଲେ ଦ୍ୱାରିଙ୍କୁ ଦିଅ ହେ ଦ୍ୱାର ଛାଡ଼ି,

ସେ ବୋଇଲେ ଦେଇ ପରୀକ୍ଷା ଆସ ଦୁଆର ମାଡ଼ି । ୨୭ ।

ସର୍ବଜ୍ଞ ଯେ ହେବ ସେ ଏହି ପୀଠ ପରେ ବସିବ,

ପରୀକ୍ଷା ଦିଅ ଆହେ ଯତି ଯେବେ ଶକତି ଥିବ । ୨୮ ।

ଶଙ୍କର ବୋଇଲେ ଯାହା ଯେ ଇଚ୍ଛା ପ୍ରଶ୍ନ ପ୍ରଚାର,

ପରୀକ୍ଷା ଦେଇ ମୁଁ ବସିବି ପୀଠେ ମୋ ଅଧିକାର । ୨୯ ।

ପୁରୂବ-ପଶ୍ଚିମ-ଉତ୍ତର ଦ୍ୱାର ରହିଛି ଫିଟି,

ଦକ୍ଷିଣ ଦୁଆର କେବଳ ଲାଗିଅଛି କବାଟି । ୩୦ ।

ପୂର୍ବରୁ ଏହା ଶୁଣିଥିଲେ ଯତୀଶ ଲୋକମୁଖେ,

ତେଣୁ ଏ ପୀଠକୁ ବିଜୟେ କଲେ ମନ ଉତ୍ସୁକେ । ୩୧ ।

ପଥରୋଧ ଥିବା ବାଦୀଙ୍କୁ ଶିଷ୍ୟେ ଦେଲେ ଉତ୍ତର,

ଆହେ କରି ଦଳ ପଳାଅ ଏ ମୃଗେନ୍ଦ୍ର ଶଙ୍କର । ୩୨ ।

ଅଦ୍ୱୈତବାଦ ରୂପ ଘୋର କାନନରେ ନିବାସ,

ସର୍ବଶାସ୍ତ୍ରଜ୍ଞ ଏ ଆଚାର୍ଯ୍ୟ ତେଜ ତୁମ୍ଭେ ପ୍ରୟାସ । ୩୩ ।

ତହୁଁ ପଣ୍ଡିତେ ତର୍କଯୁଦ୍ଧେ କଥା କଥାକେ ହାରି,

ବସିଲେ କଣାଦ ଜଣେକ ପଚାରିଲେ ବାହାରି । ୩୪ ।

ଦ୍ରବ୍ୟଗୁଣ କର୍ମ ସାମାନ୍ୟ ଆଦି ଷଡ଼ ପଦାର୍ଥ,

ସଂସାରର ମୂଳ ଅଟଇ ହେ ଆଚାର୍ଯ୍ୟ ଯଥାର୍ଥ । ୩୫ ।

ଦୁଇ ପରମା ମିଳିହୁଏ ଏକ ଦ୍ୱୀଣୁକ ଖ୍ୟାତ,

ତା ମଧ୍ୟ ଅଛି ଯେ ଅଣୁତ୍ୱ ବୋଲ ସେ କାହୁଁ ଜାତ ? ୩୬ ।

ଶଙ୍କର ବୋଇଲେ କଣାଦ ଦୁଇ ପରମାଣୁରେ,

ଦୁଇ ସଂଖ୍ୟା ଯାହା ରହିଛି ସେହି ଦ୍ୱିତ୍ୱ ସଂଖ୍ୟାରେ । ୩୭ ।

ଦ୍ୱୀଣୁକାଶ୍ରିତ ପରମାଣୁର ଅଟଇ କାରଣ,

ଶୁଣି କଣାଦବାଦୀ ଯେତେ କହିଲେ ଏ ପ୍ରମାଣ । ୩୮ ।

ତହୁଁ ନୈୟାୟିକ ଜଣେକ ପଚାରିଲେ ହେ ଯତି,

କଣାଦ ପକ୍ଷରୁ ଗୌତମ ପକ୍ଷରେ କିବା ମୁକ୍ତି । ୩୯ ।

ଯତି ବୋଲନ୍ତି ଦ୍ରବ୍ୟ ସଙ୍ଗେ ଗୁଣର ଯେ ସମ୍ୱନ୍ଧ,

ସେ ସମ୍ୱନ୍ଧ ନାଶହୋଇଲେ ହୁଏ ଆକାଶ ସିଦ୍ଧ । ୪୦ ।

କଣାଦ ମତରେ ଅଟଇ ସେହି ମୁକ୍ତି ଲକ୍ଷଣ,

ଜ୍ଞାନ ଆନନ୍ଦ ଏହି ଦୁଇ ହେଲେ ତହିଁ ମିଳନ । ୪୧ ।

ଗୌତମଙ୍କ ମତରେ ତାହା ମୁକତି ବୋଲି ଜାଣ,

ଶୁଣି ନୈୟାୟିକ ନିରସ୍ତ କହି ଏହା ପ୍ରମାଣ । ୪୨ ।

ତହୁଁ ସାଂଖ୍ୟବାଦୀ ପୁଛନ୍ତି ଯେବେ ମୂଳ ପ୍ରକୃତି,

ଅନ୍ୟର ସମ୍ପର୍କ ନ ଥାଇ ସ୍ୱାଧୀନ ରହିଥାନ୍ତି । ୪୩ ।

ସେତେବେଳେ ସେ କି ଅଟନ୍ତି ଜଗତର କାରଣ,

କିବା ସେ କାରଣ ବୋଲନ୍ତି ହୋଇ ପୁଂସ ମିଳନ । ୪୪ ।

ଆଚାର୍ଯ୍ୟ ବୋଲନ୍ତି ପ୍ରକୃତି ଅଟେ ତ୍ରିଗୁଣାତ୍ମିକା,

ସାଂଖ୍ୟମତେ ଆଦି କାରଣ ଅଟେ ପ୍ରକୃତି ଏକା । ୪୫ ।

ବେଦାନ୍ତମତରେ ପ୍ରକୃତି ପୁରୁଷର ଅଧୀନ,

ପୁରୁଷକୁ ଛାଡ଼ି ପ୍ରକୃତି ନୋହିପାରେ ସ୍ୱାଧୀନ । ୪୬ ।

ଏହିପରି ସର୍ବ ପଣ୍ଡିତେ ଯେଝା ପ୍ରଶ୍ନ ପଚାରି,

ଫେଇଦେଲେ ଦ୍ୱାର ସାଦରେ ଏ ସର୍ବଜ୍ଞ ବିଚାରି । ୪୭ ।

ପଦ୍ମପାଦର ହସ୍ତ ଧରି ଧୀରେ ଦକ୍ଷିଣଦ୍ୱାରେ,

ପ୍ରବେଶ ହୁଅନ୍ତେ ଶୁଭିଲା ଶୂନ୍ୟ ବାଣୀ ଉଚ୍ଚରେ । ୪୮ ।

ସର୍ବ ଶାସ୍ତ୍ରେ ତୁମ୍ଭେ ପଣ୍ଡିତ ନାହିଁ ବାଦ କାହାର,

ମଣ୍ଡନ ମିଶ୍ର ଶିଷ୍ୟ ତୁମ୍ଭ ବ୍ରହ୍ମାଙ୍କ ଅବତାର । ୪୯ ।

ଚିତ୍ତ ଶୁଦ୍ଧି ବିନା ଏ ପୀଠେ ବସିପାରିବ ନାହିଁ,

କେବେ ହେଲେ ନାରୀ ସଂସ୍ପର୍ଶେ ପାପ ଅର୍ଜ୍ଜିଛ କାହିଁ ? ୫୦ ।

ଶାରଦା ଦେବୀଙ୍କ ଏ ବାଣୀ ଶୁଣି ଭାଷନ୍ତି ଯତି,

ଭୋ ମାତ ଅନ୍ୟ ଦେହେ ରହି ଛୁଇଁ ଅଛି ଯୁବତୀ । ୫୧ ।

ତୁମ୍ଭ ପ୍ରଶ୍ନ ହେବାରୁ ମୁହିଁ ଶିଖିଲି କାମଶାସ୍ତ୍ର,

କାମିନୀ ସମ୍ଭୋଗ ବାସନା ନାହିଁ ମୋ ତିଳେ ମାତ୍ର । ୫୨ ।

ଇଚ୍ଛାକୃତ ଦୋଷ ନାହିଁ ମୋ ଆଜନ୍ମ ବ୍ରହ୍ମଚାରୀ,

ଅଦ୍ୱୈତବାଦର ପ୍ରତିଷ୍ଠା ନୁହନ୍ତା ବାଦେ ହାରି । ୫୩ ।

ତେଣୁ ଜନନୀ ଦେହମନ ନୁହେ ମୋ କଳୁଷିତ,

ଶୁଣି ଶଙ୍କରଙ୍କ ବଚନ ଦେବୀ ହୋଇଲେ ପ୍ରୀତ । ୫୪ ।

ବୋଇଲେ ତୁମ୍ଭେ ଯୋଗ୍ୟପାତ୍ର ବସ ବସ ପୀଠରେ,

ସରସ୍ୱତୀଙ୍କ ଏ ଭାରତୀ ଶୁଣିଲେ ସର୍ବ ନରେ । ୫୫ ।

ପଣ୍ଡିତଗଣେ ସନମାନେ କଲେ ପଦବନ୍ଦନ ।

ବିଜେ ହେଲେ ଦେବୀପୀଠରେ ଯତିକୁଳମଣ୍ଡନ । ୫୬ ।

ଏମନ୍ତେ କରି ଦିଗ୍‌ବିଜୟ ନାଶି ପାଷଣ୍ଡ ମତ,

ସନାତନ ବୈଦିକ ଧର୍ମ୍ମେ ପୂତ କଲେ ଭାରତ । ୫୭ ।

ବେଦାନ୍ତ ଅଦ୍ୱୈତବାଦର ତତ୍ତ୍ୱ ଲୋକଙ୍କୁ କହି,

ଛାଡ଼ିଲେ ସେ ସ୍ଥାନ କେତେକ ଦିନ ସେଠାରେ ରହି । ୫୮ ।

 

ମଠାମ୍ନାୟ

 

ମଠାମ୍ନାୟ ଗ୍ରନ୍ଥେ ଶଙ୍କର ଅବତୀର୍ଣ୍ଣ ସମୟ,

ଛବିଶଶତଏକତ୍ରିଂଶ ଯୁଧିଷ୍ଠୀରାବ୍ଦ ନିଶ୍ଚୟ । ୧ ।

ଛବିଶ ଛତିଶେ ପଞ୍ଚମ ବର୍ଷେ ଉପନୟନ,

କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ସମାପନ । ୨ ।

ଅଷ୍ଟମ ବର୍ଷରେ ସନ୍ନ୍ୟାସ ଗୁରୁଗୋବିନ୍ଦନାଥ,

ବଦରିକାଶ୍ରମେ ମିଳିଲେ ବର୍ଷନବମ ଖ୍ୟାତ । ୩ ।

ଉପନିଷଦମାନ ଗୀତା ବ୍ରହ୍ମସୂତ୍ର ସହିତେ,

ଷୋଡ଼ଶ ଗୋଟି ଗ୍ରନ୍ଥ ଭାଷ୍ୟ ରଚିଲେ ଲୋକହିତେ । ୪ ।

ପଦ୍ମପଦାଚାର୍ଯ୍ୟ ଶ୍ରୀସୁରେଶ୍ୱରାଚାର୍ଯ୍ୟ ତ୍ରୋଟକ,

ଚାରି ଆଚାର୍ଯ୍ୟ ଶିଷ୍ୟ କଲେ ମିଶି ହସ୍ତାମଳକ । ୫ ।

ଛବିଶ ଛୟାଳିଶ ଅବ୍ଦେ ବଦରିନାରାୟଣେ,

ଜ୍ୟୋତିର୍ମଠ କଲେ ସ୍ଥାପନ ରଖିଲେ ଶିଷ୍ୟ ଜଣେ । ୬ ।

ଚତୁର୍ଥଶିଷ୍ୟ ସେ ପୀଠରେ ଅଭିଷେକ ତୋଟକ,

ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ପ୍ରଥମ ଏ ଗୋଟିକ । ୭ ।

ଛବିଶ ଅଠଚାଳିଶାବ୍ଦ ଶୁକ୍ଳପଞ୍ଚମୀ ତୁଳ,

ଦ୍ୱାରକାଧାମରେ ଶାରଦାମଠ ଗୋମତୀକୂଳ । ୮।

ଆଚାର୍ଯ୍ୟ ହସ୍ତମଳକ ଅଭିଷେକ ମଠରେ,

ଦିଗ୍‌ବିଜୟ ସ୍ତମ୍ଭ ଏ ବେନି ଉତ୍ତରପଶ୍ଚିମରେ । ୯ ।

ଛବିଶ ଅଣଚାଶ ଅବ୍ଦେ ରାମେଶ୍ୱର କ୍ଷେତ୍ରରେ ।

ଶୃଙ୍ଗେରି ମଠ ସଂସ୍ଥାନ ମହିଶୂର ଦେଶରେ ।୧୦।

ଶୁକ୍ଳ ନବମୀ କୁମ୍ଭ ମାସ ସୁରେଶ୍ବର ଆଚାର୍ଯ୍ୟ

ମଠାଧୀଶ ହୋଇ ରହିଲେ ଦକ୍ଷିଣରେ ଏ କାର୍ଯ୍ୟ । ୧୧ ।

ପୂରୁବର ଧାମ ଶ୍ରୀକ୍ଷେତ୍ର ଜଗନ୍ନାଥ ଶ୍ରୀ ପୁରୀ ।

ବୌଦ୍ଧଧର୍ମ ବହୁ ପ୍ରଚାର ବଉଦ୍ଧେ ଥିଲେ ପୂରି । ୧୨ ।

ଜଗନ୍ନାଥଙ୍କୁ ବୁଦ୍ଧଦେବ କରି ବଉଧ ମତେ ।

କରୁଥିଲେ ନୀତି ଅର୍ଚ୍ଚନା ତେଜି ବେଦ ଭକତେ । ୧୩ ।

ସେବକ ସୁଆର ବ୍ରାହ୍ମଣ ପଣ୍ଡିତ ଆଦି ଜନେ ।

ଶାସ୍ତ୍ରଯୁକ୍ତି ତର୍କେ ପରାସ୍ତ ହୋଇ ବିଷନ୍ନ ମନେ । ୧୪ ।

ବୌଦ୍ଧଧର୍ମେ ହୋଇ ଦୀକ୍ଷିତ ପାଳୁଥିଲେ ଆଦେଶ ।

ତୀକ୍ଷ୍‍ଣ ବୁଦ୍ଧି ବୌଦ୍ଧ ନାସ୍ତିକ କୂଟତର୍କୀ ବିଶେଷ । ୧୫ ।

ଉତ୍କଳେ ଲୀଳାକ୍ଷେତ୍ର କରି ଧର୍ମ ପ୍ରଚାରି ଥିଲେ ।

ଜାଣି ଶଙ୍କର ପୁରୀକ୍ଷେତ୍ରେ ତୀର୍ଥ ଯାତ୍ରା ବିହିଲେ । ୧୬ ।

ଶିଷ୍ୟ ସୁଧନ୍ୱା ନରପତି ସୈନ୍ୟବଳ ସହିତେ ।

ଉତ୍କଳେ ଶ୍ରୀ ପୁରୀକ୍ଷେତ୍ରରେ ପ୍ରବଶିଲେ ତ୍ୱରିତେ । ୧୭ ।

ବୌଦ୍ଧ ପଣ୍ଡିତେ ସର୍ବେ ମିଳି କଲେ ବହୁତ ଯୁକ୍ତି ।

ପରାସ୍ତ ହୋଇ ପଳାଇଲେ ଶୁଣି ଶଙ୍କର-ଉକ୍ତି । ୧୮ ।

ପୂର୍ବଦିଗ କରି ବିଜୟ ପୂଜ୍ୟପାଦ ଶଙ୍କର,

ଛବିଶ ପଞ୍ଚାବନ ଅବ୍ଦେ ମେଷ ଶୁକ୍ଳ ପକ୍ଷର । ୧୯ ।

ଶୁଭ ଦଶମୀ ତିଥିଦିନ ବଇଦିକ ବିଧିରେ,

ପ୍ରତିଷ୍ଠା କରି ଜଗନ୍ନାଥେ ପୂଜା କଲେ ମନ୍ଦିରେ । ୨୦ ।

ଦିଗ୍‍ବିଜୟ-ସ୍ତମ୍ଭ ସ୍ୱରୂପ ମଠ ଶ୍ରୀ ଗୋବର୍ଦ୍ଧନ,

ନୀଳାଚଳ କ୍ଷେତ୍ରେ ସମୁଦ୍ରକୂଳେ କଲେ ସ୍ଥାପନ । ୨୧ ।

ପଦ ପାଦାଚାର୍ଯ୍ୟ ପ୍ରଥମ ଶିଷ୍ୟ ସେହି ମଠରେ,

ମଠାଧୀଶ ହୋଇ ରହିଲେ ଅଭିଷେକ କ୍ରମରେ । ୨୨ ।

ଆଚାର୍ଯ୍ୟ ପାଦ ସେତେବେଳେ ଜଗନ୍ନାଥ ମନ୍ଦିରେ,

ରହି ସଦା କରାଉଥିଲେ ପୂଜା ନୀତି ବିଧିରେ । ୨୩ ।

ସନାତନ ବୈଦିକ ଧର୍ମ୍ମେ ଲୋକଙ୍କୁ ଉପଦେଶ,

ଦେଇ ତହୁଁ ବିଜେ ହୋଇଲେ ହିମାଚଳ ପ୍ରଦେଶ । ୨୪ ।

ଛବିଶ ଅଣଚାଶ ଅବ୍ଦେ ବିଜେହେଲେ ଉତ୍କଳେ,

ପଞ୍ଚାବନରେ ମଠ ସ୍ଥାପି ଯାତ୍ରା ହିମ ଅଚଳେ । ୨୫ ।

ଚାରିବର୍ଣ୍ଣାଶ୍ରମ ଆଶ୍ରମ ଧର୍ମ୍ମ ଚାରି ବେଦୋକ୍ତ,

ପ୍ରଚାରି ଲୋକରେ ଉତ୍କଳେ କଲେ କାର୍ଯ୍ୟ ସମାପ୍ତ । ୨୬ ।

ଚତୁର୍ଥ ଶିଷ୍ୟ ବଦ୍ରିକାରେ ତୃତୀୟ ଦ୍ୱାରକାରେ,

ଦ୍ୱିତୀୟ କାଞ୍ଚି ମଠାଧୀଶ ପ୍ରଥମ ଶ୍ରୀକ୍ଷେତ୍ରରେ । ୨୭ ।

ଦିଗ୍‌ବିଜୟ ସ୍ତମ୍ଭ ଏ ଚାରି ଧର୍ମ୍ମର ରାଜଧାନୀ,

ସନାତନ ବୈଦିକ ଧର୍ମ୍ମୀ ରହିଲେ ଏହା ମାନି । ୨୮ ।

ପଶ୍ଚିମରେ କ୍ଷେତ୍ର ଦ୍ୱାରକା ମଠ ନାମ ଶାରଦା,

ଭଦ୍ରକାଳୀ ଦେବୀ ପ୍ରତ୍ୟକ୍ଷ ସିଦ୍ଧେଶ୍ୱର ଦେବତା । ୨୯ ।

ପୂଣ୍ୟତୀର୍ଥ ତହିଁ ଗୋମତ୍ରୀ ବେଦ ଅଟଇ ସାମ,

ବିଶ୍ୱ ରୂପକ (ସୁରେଶ୍ୱର) ଅଟେ ଆଚାର୍ଯ୍ୟ ନାମ । ୩୦ ।

ସେଠା ସନ୍ନ୍ୟାସୀଙ୍କ ଉପାଧି ତୀର୍ଥ ଆଉ ଆଶ୍ରମ,

କୀଟବାର ବୋଲି ବିଖ୍ୟାତ ସମ୍ପ୍ରଦାୟର ନାମ । ୩୧ ।

ବ୍ରହ୍ମଚାରୀ ନାମ ସ୍ୱରୂପ ଗୋତ୍ରଟି ଅତ୍ରୀ ଜାଣ,

ତତ୍ତ୍ୱମସି ମହବାକ୍ୟ ଏ ସାମ ବେଦେ ପ୍ରମାଣ । ୩୨ ।

ତତ୍‍ ତ୍ୱଂ ଅସି ଏ ତ୍ରିପଦ ତ୍ରିବେଣୀର ସଙ୍ଗମ,

ତତ୍ତ୍ୱାର୍ଥଭାବେ ଯେ ବୁଝନ୍ତି ତୀର୍ଥ ତାହାଙ୍କ ନାମ । ୩୩ ।

ପୂର୍ବରେ ମଠ ଗୋବର୍ଦ୍ଧନ କ୍ଷେତ୍ର ପୁରୁଷୋତ୍ତମ,

ଏଠା ସନ୍ନ୍ୟାସୀଙ୍କ ପଦବୀ ବନ, ଅରଣ୍ୟ ନାମ । ୩୪ ।

ଭୋଗବାର ସମ୍ପ୍ରଦାୟ ଏ ଦେବତା ଜଗନ୍ନାଥ,

ବିମଳାକ୍ଷୀ ଦେବୀ ପ୍ରସିଦ୍ଧା ସର୍ବଲୋକରେ ଖ୍ୟାତ । ୩୫ ।

ତୀର୍ଥରାଜ ଅଟେ ସମୁଦ୍ର ଆଚାର୍ଯ୍ୟ ପଦ୍ମପାଦ,

ପ୍ରଜ୍ଞାନଂବ୍ରହ୍ମ ମହାବାକ୍ୟ ଅଟଇ ଋଗ୍‌ବେଦ । ୩୬ ।

କାଶ୍ୟପ ଗୋତ୍ର ବ୍ରହ୍ମଚାରୀ ପ୍ରକାଶକ ବୋଲନ୍ତି,

ପୁରୀ ଗୋବର୍ଦ୍ଧନ ମଠରେ ଏହି ଆଖ୍ୟା ବହନ୍ତି । ୩୭ ।

ଉତ୍ତରାଞ୍ଚଳେ ଜ୍ୟୋତିର୍ମଠ ଅବା ଶ୍ରୀମଠ ଜାଣ,

ସମ୍ପ୍ରଦାୟ ଆନନ୍ଦବାର କ୍ଷେତ୍ର ବଦ୍ରିନାରାୟଣ । ୩୮ ।

ଗିରି, ପରବତ, ସାଗର ସନ୍ନ୍ୟାସୀଙ୍କ ପଦବୀ,

ବଦ୍ରିନାରାୟଣ ଦେବତା ଶ୍ରୀ ପୂର୍ଣ୍ଣାଗିରି ଦେବୀ । ୩୯ ।

ଅଳକାନନ୍ଦା ନାମେ ତୀର୍ଥ ବ୍ରହ୍ମଚାରୀ ଆନନ୍ଦ,

ଅୟମାତ୍ମା ବ୍ରହ୍ମ ଏ ମହବାକ୍ୟ ଅଥର୍ବ ବେଦ । ୪୦ ।

ଆଦି ଆଚାର୍ଯ୍ୟ ଶ୍ରୀ କ୍ରୋଟକ ଅଟଇ ଭୃଗୁ ଗୋତ୍ର,

ବଦ୍ରିନାରାୟଣେ ବିଜୟ ସ୍ତମ୍ଭ ମଠ ପବିତ୍ର । ୪୧ ।

ଶୃଙ୍ଗେରୀ ମଠ ଦକ୍ଷିଣରେ ସମ୍ପ୍ରଦା ଭୂମିବାର,

ସରସ୍ୱତୀ ଭାରତୀ ପୁରୀ ପଦବୀ ଏହାଙ୍କର । ୪୨ ।

ରାମେଶ୍ୱର କ୍ଷେତ୍ରେ ପ୍ରସିଦ୍ଧ ଆଦି ବରାହ ଦେବ,

ଦେବୀ କାମାକ୍ଷ୍ୟା ନାମେ ଖ୍ୟାତେ ଗୋତ୍ରଟି ଭୂର୍ଭୁବ । ୪୩ ।

ତୁଙ୍ଗଭଦ୍ରା ନଦୀ ତୀର୍ଥଟି ଆଚାର୍ଯ୍ୟ ପୃଥ୍ୱୀଧର,

ବ୍ରହ୍ମଚାରୀ ନାମ ଚୈତନ୍ୟ ଯଜୁର୍ବେଦ ତାଙ୍କର । ୪୪ ।

ଅହଂବ୍ରହ୍ମାସ୍ତ୍ର, ମହାବାକ୍ୟ ଏପରି ମଠ ଚାରି,

ସ୍ଥାପନ କରି ଭାରତକୁ ଦେଲେ ବିଭାଗ କରି । ୪୫ ।

ସିନ୍ଧୁ ସୌବୀର ସଉରାଷ୍ଟ୍ର ମହାରାଷ୍ଟ୍ର ଏ ଦେଶ,

ଶାରଦାମଠର ଅଧୀନ ପଶ୍ଚିମାଂଶ ବିଶେଷ ।୪୬।

ଅଙ୍ଗ ବଙ୍ଗ କଳିଙ୍ଗ ମଗଧ ବର୍ବର ଉତ୍କଳ,

ଗୋବର୍ଦ୍ଧନ ମଠ ଅଧୀନେ ଯେତେକ ପୂର୍ବାଞ୍ଚଳ । ୪୭ ।

କୁରୁ କାଶମୀର କାମ୍ବୋଜ ପାଞ୍ଚାଳ ଆଦି ଦେଶ,

ଜ୍ୟୋତିର୍ମଠାଧୀଶ ଅଧୀନ ଉତ୍ତରାଞ୍ଚଳ ଶେଷ । ୪୮ ।

ଆନ୍ଧ୍ର ଦ୍ରାବିଡ଼ କର୍ଣ୍ଣାଟକ କେରଳାଦି ଦକ୍ଷିଣ,

ପ୍ରାନ୍ତେ ଯେତେ ଦେଶ ରହିଲେ କାଞ୍ଚି ମଠ ଅଧୀନ । ୪୯ ।

ଏହିପରି ଭାରତବର୍ଷ ଚାରି ବିଭାଗ କରି,

ଧର୍ମ ରାଜଧାନୀ ସ୍ଥାପିଲେ ଶଙ୍କର ଅବତରି । ୫୦ ।

ତହୁଁ ତାଙ୍କ ଅନୁଶାସନ ଚାରି ମଠଙ୍କ ପ୍ରତି,

ଗୁରୁ ପରଂପରା କ୍ରମରେ ନିଯୁକ୍ତ ହେବେ ଯତି । ୫୧ ।

ଧର୍ମ ପ୍ରୟୋଗରେ ସର୍ବଦା ହୋଇବେ ନିୟନ୍ତ୍ରିତ,

ପୃଥ୍ୱୀରେ ଭ୍ରମଣ କରିବା ତାହାଙ୍କର ବିହିତ । ୫୨ ।

ନିଜ ଅଧିକୃତ ପ୍ରଦେଶେ ଧର୍ମର ସ୍ଥିତି ପାଇଁ,

ଆଚାର୍ଯ୍ୟ ଭ୍ରମଣ କରିବେ ମଠେ ବସି ନ ଥାଇ । ୫୩ ।

ଯେଣୁ କରି ଏ ସମୟରେ ଧର୍ମର ଅବନତି,

ଘଟୁଛି ନାନା ପଥ ପନ୍ଥ ବଢ଼ୁଛନ୍ତି ଦୁର୍ମତି । ୫୪ ।

ଆଳସ୍ୟ ନ କରି କ୍ଷଣେହେଁ କାର୍ଯ୍ୟେ ହେବେ ତତ୍‍ପର,

ସନାତନ ଧର୍ମ୍ମ ବୈଦିକ ପ୍ରଚାର ଯେ ମୋହର । ୫୫ ।

ବର୍ଣ୍ଣାଶ୍ରମ ଧରମ ସଦାଚାର ହିନ୍ଦୁ ସଂସ୍କୃତି,

ରକ୍ଷା କରିବେ ଶଠାଚାର୍ଯ୍ୟେ ବେଦ ଉକ୍ତ ପଦ୍ଧତି । ୫୬ ।

ବେଦବେଦାଙ୍ଗାଦି ଶାସ୍ତ୍ରରେ ହୋଇଥିବେ ପଣ୍ଡିତ,

ଶୁଚିମନ୍ତ ଅଭିଜ୍ଞ ନର ହେଲେ ଇନ୍ଦ୍ରିୟଜିତ୍ । ୫୭ ।

ଏ ମୋ ପ୍ରତିଷ୍ଠିତ ମଠରେ ହୋଇବେ ଅଧିକାରୀ,

ସ୍ଥାନ ନ ପାଇବେ ବିଦ୍ୱାନ ହୋଇଲେ ଅନାଚାରୀ । ୫୮ ।

ଦୃଢ଼ରେ ଚତୁର୍ଥ ଆଶ୍ରମ ଧରମ ପାଳୁଥିବେ,

ବିଶ୍ୱଜନ ହିତେ ଲୋକଙ୍କୁ ସ୍ୱଧର୍ମରେ ରଖିବେ । ୫୯ ।

ଦୃଢ଼ ବଇରାଗ୍ୟ ସନ୍ନ୍ୟାସ ତ୍ୟାଗୀ ପଣ୍ଡିତ ନର,

ଆଚାର୍ଯ୍ୟପଣକୁ ଭାଜନ ଏହି ମତ ମୋହର । ୬୦ ।

ଆଚାରଭ୍ରଷ୍ଟ ସ୍ୱାର୍ଥପର ସ୍ୱଧର୍ମଚ୍ୟୁତ ଯତି,

ମଠରୁ ହେବେ ବହିଷ୍କାର ସୁଜ୍ଞେ ବିହିବେ ଶାସ୍ତି । ୬୧ ।

ବିଶ୍ୱଗୁରୁ ବ୍ରହ୍ମା ସତ୍ୟରେ ବଶିଷ୍ଠ ତ୍ରେତୟାରେ,

ଦ୍ୱାପର ଯୁଗେ ବ୍ୟାସଦେବ ମୁଁ ଏ କଳି ଯୁଗରେ । ୬୨ ।

ଏତେ କହି ଦେବ ଶଙ୍କର କଇଳାସେ ବିଜୟ,

ଯୋଗମାର୍ଗେ ପରମ ଶିବେ ପ୍ରଭୁ ହୋଇଲେ ଲୟ । ୬୩ ।

 

ଓଁ ତତ୍‌ସତ୍‌ ଓଁ

Image